Air India pay cut: ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁ ବିଶ୍ୱସ୍ତରୀୟ ବିମାନ ଚଳାଚଳ କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହୋଇଛି। ଏହି ସଙ୍କଟର ସିଧାସଳଖ ପ୍ରଭାବ ଭାରତର ଅଗ୍ରଣୀ ବିମାନ ସେବା ସଂସ୍ଥା ଏୟାର ଇଣ୍ଡିଆ (Air India) ବି ଉପରେ ପଡ଼ିଛି। ବିଶେଷ କରି ବିମାନ ଇନ୍ଧନ (ATF) ଦର ବୃଦ୍ଧି ଏବଂ ଆକାଶମାର୍ଗ ବନ୍ଦ ହେବା କାରଣରୁ କମ୍ପାନୀ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି।

ବିମାନ ଚଳାଚଳରେ ୨୦% କାଟ୍

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଏୟାର ଇଣ୍ଡିଆ ଆଗାମୀ ତିନି ମାସ ପାଇଁ ନିଜର ପ୍ରାୟ ୨୦ ପ୍ରତିଶତ ଉଡ଼ାଣ ବାତିଲ କରିବାକୁ ଯୋଜନା କରିଛି। ବର୍ତ୍ତମାନ ଏୟାର ଇଣ୍ଡିଆ ଦୈନିକ ପ୍ରାୟ ୧,୧୦୦ ବିମାନ ଚଳାଚଳ କରୁଥିବା ବେଳେ, ଏହି ନିଷ୍ପତ୍ତି ପରେ ପ୍ରାୟ ୧୦୦ରୁ ଅଧିକ ଫ୍ଲାଇଟ୍ କମ୍ ଚାଲିବ। ବିଶେଷ କରି ୟୁରୋପ, ଉତ୍ତର ଆମେରିକା ଏବଂ ସିଙ୍ଗାପୁର ଭଳି ଦୀର୍ଘ ଦୂରଗାମୀ ରୁଟ୍ରେ ଅଧିକ ପ୍ରଭାବ ପଡ଼ିବ।

Also Read-Price Hike: ପୁରୁଣା ଷ୍ଟକ୍ ସରିବା ମାତ୍ରେ ବଢ଼ିବ ଦର! ଅସମ୍ଭାଳ ହେବ ସ୍ଥିତି ?

ଇନ୍ଧନ ଦରରେ ଅହେତୁକ ବୃଦ୍ଧି

ଯୁଦ୍ଧ ଯୋଗୁ ଆନ୍ତର୍ଜାତୀୟ ବଜାରରେ ଅଶୌଧିତ ଦର ୪୫.୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହାଫଳରେ ବିମାନ ଇନ୍ଧନ (ATF) ମୂଲ୍ୟରେ ମଧ୍ୟ ପ୍ରାୟ ୨୫% ବୃଦ୍ଧି ଘଟିଛି। ପୂର୍ବରୁ ବିମାନ ଚଳାଚଳ ଖର୍ଚ୍ଚର ୪୦% କେବଳ ଇନ୍ଧନ ବାବଦରେ ଯାଉଥିବା ବେଳେ, ବର୍ତ୍ତମାନ ଏହା ୬୦%କୁ ବୃଦ୍ଧି ପାଇଛି। ଏତେ ଅଧିକ ଖର୍ଚ୍ଚ ଯୋଗୁ ଅନେକ ରୁଟ୍ରେ ବିମାନ ଚଳାଚଳ କରିବା ଆଉ ଲାଭଜନକ ହେଉ ନାହିଁ।

କର୍ମଚାରୀଙ୍କ ଦରମା କାଟ୍ ଓ ଖର୍ଚ୍ଚ କାଟ୍ ପଦକ୍ଷେପ

ଆର୍ଥିକ କ୍ଷତିରୁ ବର୍ତ୍ତିବା ପାଇଁ ଏୟାର ଇଣ୍ଡିଆ ଅନେକ କଠୋର ପଦକ୍ଷେପ ନେବ ବୋଲି କୁହାଯାଉଚି। ଯେଉଁଥିରେ ଦରମା କାଟ୍ ଠାରୁ ଆରମ୍ଭ କରି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇବା ଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି।

Also Read- FPI Outflow: ଭାରତ ଉପରେ ବିଶ୍ୱାସ କରି ପାରୁ ନାହାନ୍ତି ବିଦେଶୀ! ମେ ମାସରେ ବଜାରରୁ କାଢ଼ି ନେଲେଣି ୧୪ ହଜାର କୋଟିରୁ ଅଧିକ ଟଙ୍କା

ଦରମା କାଟ୍: ଭାଇସ ପ୍ରେସିଡେଣ୍ଟ (VP) ଏବଂ ତା’ଠାରୁ ଉପର ପଦବୀରେ ଥିବା ବରିଷ୍ଠ ଅଧିକାରୀଙ୍କ ଦରମା କାଟ୍ ପାଇଁ ବୋର୍ଡ ବିଚାର କରୁଛି।
ଛୁଟିରେ ପଠାଇବା: ନନ୍ ଟେକ୍ନିକାଲ (Non-technical) କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଯାଇପାରେ।
ବୋନସ୍ ବନ୍ଦ:ସମସ୍ତ କର୍ମଚାରୀଙ୍କ ବାର୍ଷିକ ବୋନସ୍ ଉପରେ ମଧ୍ୟ କାଟ୍ ହୋଇପାରେ।

ଆର୍ଥିକ ସଙ୍କଟର ସ୍ଥିତି

ଏୟାର ଇଣ୍ଡିଆର ଏହି ପଦକ୍ଷେପ କେବଳ ଯୁଦ୍ଧ ପାଇଁ ନୁହେଁ, ବରଂ କମ୍ପାନୀର ବଢୁଥିବା କ୍ଷତି ପାଇଁ ମଧ୍ୟ ନିଆଯାଇଛି। ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା କମ୍ପାନୀର ବାର୍ଷିକ କ୍ଷତି ପ୍ରାୟ ୨୨,୦୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଇରାନ୍ ଆକାଶ ମାର୍ଗ ବନ୍ଦ ହେବା ଯୋଗୁ ବିମାନଗୁଡ଼ିକୁ ବୁଲିକି ଯିବାକୁ ପଡୁଛି, ଯାହାଦ୍ୱାରା ଅଧିକ ସମୟ ଏବଂ ଇନ୍ଧନ ଖର୍ଚ୍ଚ ହେଉଛି।

ଏୟାର ଇଣ୍ଡିଆର ଏହି ନିଷ୍ପତ୍ତି ଯାତ୍ରୀମାନଙ୍କ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି, କାରଣ ଉଡ଼ାଣ ସଂଖ୍ୟା କମିବା ଦ୍ୱାରା ଟିକେଟ୍ ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।