Cash Outflow: ଇରାନ ଯୁଦ୍ଧ ପାଇଁ ଉତ୍ତେଜନା ଲାଗି ରହିଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେବା ଆଦି କାରଣରୁ ଭାରତୀୟ ମାର୍କେଟ୍‌ରୁ କ୍ୟାସ୍ ଆଉଟ୍ ଫ୍ଲୋ ଜାରି ରହିଛି। ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ଟଙ୍କା କାଢ଼ି ନେଇଛନ୍ତି।

ମେ ମାସରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (FPIs) ଭାରତୀୟ ଷ୍ଟକ୍ ବଜାରରୁ କ୍ୟାସ୍ ପ୍ରତ୍ୟାହାର ଜାରି ରଖିଛନ୍ତି। ବିଶ୍ୱ ଆର୍ଥିକ ଚିନ୍ତା ଯୋଗୁ ଚଳିତ ବର୍ଷ ଏପର୍ଯ୍ୟନ୍ତ ବିଦେଶୀ ନିବେଶକମାନେ ବଜାରରୁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ପ୍ରତ୍ୟାହାର କରିଛନ୍ତି। NSDL ତଥ୍ୟ ଅନୁଯାୟୀ, କେବଳ ମେ ମାସରେ ବିଦେଶୀ ନିବେଶକମାନେ ₹୧୪,୨୩୧ କୋଟି ବିକ୍ରି କରିଛନ୍ତି।

୨୦୨୫ ତୁଳନାରେ ଚଳିତ ବର୍ଷ ଚାପ ଅଧିକ

୨୦୨୬ ମସିହାରେ ଏପର୍ଯ୍ୟନ୍ତ ମୋଟ ଉଠାଣ ପୂର୍ବ ବର୍ଷର ସମଗ୍ର ବର୍ଷ ତୁଳନାରେ ଯଥେଷ୍ଟ ଅଧିକ ରହିଛି। ୨୦୨୫ ମସିହାରେ, ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ମୋଟ ₹୧.୬୬ ଲକ୍ଷ କୋଟି ପ୍ରତ୍ୟାହାର କରିଥିଲେ। ହେଲେ ଚଳିତ ବର୍ଷ ଏହି ସଂଖ୍ୟା ଏପର୍ଯ୍ୟନ୍ତ ₹୨ ଲକ୍ଷ କୋଟି ଅତିକ୍ରମ କରିଛି। ଯାହା ବଜାରରେ ନିରନ୍ତର ବିକ୍ରୟ ଚାପକୁ ପ୍ରତିଫଳିତ କରୁଛି।

Also Read- Price Hike: ପୁରୁଣା ଷ୍ଟକ୍ ସରିବା ମାତ୍ରେ ବଢ଼ିବ ଦର! ଅସମ୍ଭାଳ ହେବ ସ୍ଥିତି ?

କେବଳ ଫେବୃଆରୀରେ କିଣାକିଣି ହୋଇଥିଲା,ମାର୍ଚ୍ଚରେ ରେକର୍ଡ ବିକ୍ରି

ଏହି ବର୍ଷ ଭାରତୀୟ ମାର୍କେଟ୍ ପାଇଁ ବିଦେଶୀ ନିବେଶକଙ୍କ ମନ ମୁଖ୍ୟତଃ ନକାରାତ୍ମକ ରହିଥିଲା। ଜାନୁଆରୀରେ ₹୩୫,୯୬୨ କୋଟି ମୂଲ୍ୟର ଶେୟାର ବିକ୍ରି ହୋଇଥିଲା। ତେବେ, ଫେବୃଆରୀ ଏଥିରେ ବ୍ୟତିକ୍ରମ ଘଟିଥିଲା। ଲୋକେ ନିବେଶ ବଢାଇଥିଲେ। ନିବେଶକମାନେ ₹୨୨,୬୧୫ କୋଟି ନିବେଶ କରିଥିଲେ, ଯାହା ଗତ ୧୭ ମାସ ମଧ୍ୟରେ ସର୍ବାଧିକ ମାସିକ ନିବେଶ ଥିଲା। କିନ୍ତୁ ଏହି ବୃଦ୍ଧି ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଟି ରହି ପାରିଲା ନାହିଁ।

ଫେବ୍ରୁଆରୀ ଶେଷ ବେଳକୁ ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ମାର୍ଚ୍ଚ ମାସରେ ଭାରତୀୟ ମାର୍କେଟ୍ ଉପରେ ଏହାର ସର୍ବାଧିକ ପ୍ରଭାବ ପଡ଼ିଥିଲା। ଭାରତୀୟ ଷ୍ଟକ୍ ବଜାରରୁ ରେକର୍ଡ ₹୧.୧୭ ଲକ୍ଷ କୋଟି ଟଙ୍କା ବାହାର କରି ନେଇଥିଲେ ବିଦେଶୀ ନିବେଶକ। ଏପ୍ରିଲରେ ମଧ୍ୟ ₹୬୦,୮୪୭ କୋଟି ଟଙ୍କା ବାହାରକୁ ଚାଲିଯାଇଥିଲା।

ମୁଦ୍ରାସ୍ଫୀତି ଏବଂ ସୁଧ ହାର ମୁଖ୍ୟ କାରଣ

ମର୍ଣ୍ଣିଂଷ୍ଟାର ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଇଣ୍ଡିଆର ପ୍ରିନ୍ସପାଲ୍ ମ୍ୟାନେଜର ରିସର୍ଚ୍ଚ ହିମାଂଶୁ ଶ୍ରୀବାସ୍ତବଙ୍କ ଅନୁଯାୟୀ, ବିଶ୍ୱ ସ୍ତରରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, ସୁଧ ହାର ପରିବର୍ତ୍ତନର ଭୟ ଏବଂ ଭୂରାଜନୈତିକ ବିପଦ ଏହି ବିକ୍ରୟର ମୁଖ୍ୟ କାରଣ। ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ଏବଂ ଉଚ୍ଚ ଅଶୋଧିତ ତୈଳ ମୂଲ୍ୟ ମୁଦ୍ରାସ୍ଫୀତି ଚିନ୍ତାକୁ ବୃଦ୍ଧି କରିଛି। ଫଳସ୍ୱରୂପ, ନିବେଶକମାନେ ସୁଧ ହାର ହ୍ରାସ ଆଶା ଛାଡ଼ି ବିକଶିତ ବଜାରରେ ଡେଟ ଇନଷ୍ଟ୍ରୁମେଣ୍ଟ ଆଡ଼କୁ ମୁହାଇଁଛନ୍ତି।

Also Read- ହର୍ମୁଜରୁ ଟୋଲ ଅସୁଲ କରିବ ଇରାନ, ଗଠିତ ହେଲା ଏଜେନ୍ସୀ, ଚୀନ୍ ମୁଦ୍ରାରେ ନେବ ଟ୍ୟାକ୍ସ

ବିଦ୍ୟୁତ୍-ନିର୍ମାଣ କ୍ଷେତ୍ରରେ ଏବେ ବି ଆଗ୍ରହୀ

ବିକ୍ରୟ ଜାରି ରହିବା ସତ୍ତ୍ୱେ, ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ସମ୍ପୂର୍ଣ୍ଣ ବାହାରି ନାହାଁନ୍ତି। ସେମାନେ ଏବେ ବି ବିଦ୍ୟୁତ୍, ନିର୍ମାଣ ଏବଂ ପୁଞ୍ଜି ସାମଗ୍ରୀ(କ୍ୟାପିଟାଲ୍ସ ଗୁଡ୍ସ) ଭଳି କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକରେ ନିବେଶ କରୁଛନ୍ତି। ଏଥିସହିତ ଦୃଢ଼ ଆୟ ଏବଂ ଭଲ ଅଭିବୃଦ୍ଧି ଥିବା ମିଡ-କ୍ୟାପ୍ ଏବଂ କିଛି ସ୍ମଲ-କ୍ୟାପ୍ ଷ୍ଟକ୍ ମଧ୍ୟ କିଣୁଛନ୍ତି। ତଥାପି, ବିଶ୍ୱ ସ୍ତରରେ, ନିବେଶକମାନେ ଏବେ ଦକ୍ଷିଣ କୋରିଆ ଏବଂ ତାଇୱାନ ଭଳି ବଜାର ଆଡକୁ ମୁହାଁଇଛନ୍ତି, ଯେଉଁଠାରେ AI (କୃତ୍ରିମ ବୁଦ୍ଧିମତ୍ତା) ଯୋଗୁଁ ଭଲ ରୋଜଗାର ଆଶା କରାଯାଉଛି।