ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ ନିଜର ପ୍ରଶଂସକଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି । ସେ ତାଙ୍କର ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି କହିଲେ, ଭୁଲ ହେବ ନାହିଁ । ଏଣିକି ଭାଇଜାନଙ୍କ ଫ୍ୟାନ୍ସ ତାଙ୍କର ଦିନଚର୍ଯ୍ୟା ଠାରୁ ଆରମ୍ଭ କରି ସୁଟିଂ ସେଟ୍‌ର ଟିକିନିଖି ଖବର ଜାଣିପାରିବେ । ଅର୍ଥାତ, ସଲମାନଙ୍କ ଜୀବନର ‘ଏ ଟୁ ଜେଡ୍‌’ ଜାଣିପାରିବେ ତାଙ୍କର ପ୍ରଶଂସକ । ହେଲେ ସୁପରଷ୍ଟାରଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ କେମିତି ଜାଣିବେ ତାଙ୍କ ଫ୍ୟାନ୍ସ ? ଏଥିପାଇଁ ସେ, ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିଥିବା ନେଇ ଘୋଷଣା କରିଛନ୍ତି ।

ସୋସିଆଲ ମିଡିଆରେ ସଲମାନ ଘୋଷଣା କରି କହିଛନ୍ତି, ଏହି ଚ୍ୟାନେଲ ଜରିଆରେ ସେ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନର ବିଶେଷ ମୁହୂର୍ତ୍ତ ଏବଂ ସୁଟିଂ ପଛର ଦୃଶ୍ୟ ଶେୟାର କରିବେ । ସଲମାନ ଏନେଇ ଘୋଷଣା କରିବା ପରେ ପରେ, ତାଙ୍କ ଚ୍ୟାନେଲ୍‌ର ସବ୍‌ସ୍କ୍ରାଇବର୍ ସଂଖ୍ୟା ବଢ଼ିବାରେ ଲାଗିଛି।  

ସଲମାନ ଖାନ ଇଂରାଜୀ ବର୍ଣ୍ଣମାଳା ଆବୃତ୍ତି କରୁଥିବାର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ଆରମ୍ଭରୁ ପୁଣି ଆରମ୍ଭ କରିବା । ମୋର ଅଫିସିଆଲ୍‌ ୟୁଟ୍ୟୁବ ଚ୍ୟାନେଲ୍‌ । A ରୁ Z ଯାଏଁ, ସବୁକିଛି ଏଠାରେ ମିଳିବ । ସେପଟେ ଚ୍ୟାନେଲ୍‌ର ବାୟୋରେ ସଲମାନ ନିଜକୁ ଅଭିନେତା, ଚିତ୍ରଶିଳ୍ପୀ ଓ ମାନବପ୍ରେମୀ ବୋଲି ବର୍ଣ୍ଣନା କରିଛନ୍ତି । ପ୍ରଥମେ ସେ କିଛି ସର୍ଟସ୍‌ ପୋଷ୍ଟ କରିଛନ୍ତି ।  ତାଙ୍କର ବ୍ଲଗ୍‌ ଦେଖିବାକୁ ବ୍ୟଗ୍ର ହୋଇପଡ଼ିଛନ୍ତି କୋଟି କୋଟି ପ୍ରଶଂସକ । 

ସଲମାନଙ୍କ ଚଳଚ୍ଚିତ୍ର
ସଲମାନଙ୍କ ପୂର୍ବରୁ ଅଭିନେତ୍ରୀ ଆଲିଆ ଭଟ୍ଟ, ଅଲ୍ଲୁ ଅର୍ଜୁନ, ପ୍ରିୟଙ୍କା ଚୋପ୍ରାଙ୍କ ଭଳି ବହୁ ଅଭିନେତା ଅଭିନେତ୍ରୀ ନିଜ ନିଜର ୟୁଟ୍ୟୁବ ଚ୍ୟାନଲ ଲଞ୍ଚ କରିସାରିଛନ୍ତି । ଆଉ ଏହି ଚ୍ୟାନେଲ ମାଧ୍ୟମରେ ସେମାନେ ଅନେକ ବ୍ୟକ୍ତିଗତ ଘଟଣାର ଦୃଶ୍ୟ ଦେଖାଇଥାନ୍ତି ।ସେପଟେ ସଲମାନ ଖାନ ଏବେ ବିଗ ବସ୍‌ ୨୦ର ହୋଷ୍ଟ କରୁଛନ୍ତି । ଏହା ବ୍ୟତୀତ ସେ ଅପୂର୍ବା ଲାଖିଆଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମାତୃଭୂମି’ଲାଗି ବେଶ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମକୁ ଖୁବଶୀଘ୍ର ସେନ୍ସର ବୋର୍ଡ ଅନୁମୋଦନ ମଳିବାକୁ ଥିବା ବେଳେ, ଏହା ରିଲିଜ୍‌ ହେବ ।