ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟରେ ଟର୍ବୁଲେନ୍ସ ହୋଇଥିଲା । ଏଥିରେ ଅନେକ ଯାତ୍ରୀ ଆହାତ ହୋଇଥିଲେ । ଏହି ମାମଲାରେ ଏବେ ପାଇଲଟଙ୍କ ନଶା ନେଇଥିବା ନେଇ ପ୍ରଶ୍ନ ଉଠିବାରେ ଲାଗିଛି, କାରଣ ଦୁଇଜଣ ପାଇଲଟଙ୍କ ମଧ୍ୟରୁ ଜଣଙ୍କର ଡୋପ୍ ଟେଷ୍ଟ ପଜିଟିଭ୍ ଆସିଛି । ତେବେ ଏହି କଥାକୁ ଏୟାର ଇଣ୍ଡିଆ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ।

'ଦି ଟାଇମ୍ସ ଅଫ୍ ଇଣ୍ଡିଆ'ର ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ପହଞ୍ଚିବା ପରେ ପାଇଲଟଙ୍କର ଡୋପ୍ ଟେଷ୍ଟ କରାଯାଇଥିଲା । ଏଥିରେ ପଜିଟିଭ୍ ଆସିବାର ଅର୍ଥ ହେଉଛି ପାଇଲଟ୍ କୌଣସି ନିଶାଦ୍ରବ୍ୟ ସେବନ କରିଥିଲେ । ଫୁକେଟରୁ ଦିଲ୍ଲୀ ଫେରୁଥିବା ଏୟାର ଇଣ୍ଡିଆର AI2379 ଫ୍ଲାଇଟ୍ ଟର୍ବୁଲେନ୍ସ ଅର୍ଥାତ୍ ପ୍ରବଳ ପବନର ଶିକାର ହୋଇଥିଲା । ଏହାଯୋଗୁଁ ବିମାନଟି ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିଆସିଥିଲା । ଫ୍ଲାଇଟରେ ୧୩୭ ଜଣ ଯାତ୍ରୀ ଏବଂ ୮ ଜଣ କ୍ରିୟୁ ମେମ୍ବର ଥିଲେ । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କ୍ରିୟୁଙ୍କୁ ଉଡ଼ାଣ ଡ୍ୟୁଟିରୁ ହଟାଇ ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପାଇଲଟ୍-ଇନ୍-କମାଣ୍ଡଙ୍କ ସାଇକୋଏକ୍ଟିଭ୍ ସବଷ୍ଟାନ୍ସର ପ୍ରଥମ ଟେଷ୍ଟ ପଜିଟିଭ୍ ଆସିଛି, କିନ୍ତୁ ଏହା ବର୍ତ୍ତମାନ ଚୂଡ଼ାନ୍ତ ନୁହେଁ । ଏହା ବ୍ୟତୀତ ଅନ୍ୟ ଏକ ଟେଷ୍ଟ ମଧ୍ୟ କରାଯାଇଛି, ଯାହାର ରିପୋର୍ଟ ଆସିବା ବାକି ଅଛି । ତେବେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଦୁଇ ପାଇଲଟଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୪ରେ ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟକୁ ଓଡ଼ିଶା ନିକଟରେ ପ୍ରବଳ ଟର୍ବୁଲେନ୍ସର ସାମ୍ନା କରିବାକୁ ପଡ଼ିଥିଲା । ଏ ବିମାନଟି ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିଆସିଥିଲା । ଦିଲ୍ଲୀ ପହଞ୍ଚିବା ପରେ ୧୩ ଜଣ ଯାତ୍ରୀ ଏବଂ ୪ ଜଣ କ୍ରିୟୁ ସଦସ୍ୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଡିଜିସିଏ ଏହି ସମ୍ପୂର୍ଣ୍ଣ ମାମଲାର ବିଭିନ୍ନ ଦିଗରୁ ତଦନ୍ତ କରୁଛି ।

ଏବେ ପ୍ରଶ୍ନ ଉଠୁଛି ଯେ ପାଇଲଟଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡିଜିସିଏ ନିୟମ ଅନୁଯାୟୀ, ଯଦି କୌଣସି ପାଇଲଟ୍ ପ୍ରଥମ ଥର ପାଇଁ ସାଇକୋଏକ୍ଟିଭ୍ ସବଷ୍ଟାନ୍ସ ଟେଷ୍ଟରେ ପଜିଟିଭ୍ ଆସନ୍ତି, ତେବେ ତାଙ୍କୁ ନଶାମୁକ୍ତି ଏବଂ ପୁନର୍ବାସ ପାଇଁ ପଠାଯାଏ । ଏପରି ସ୍ଥିତିରେ ଚିକିତ୍ସା ପରେ ଯଦି ତାଙ୍କର ଡୋପ୍ ଟେଷ୍ଟ ନେଗେଟିଭ୍ ଆସେ, ତେବେ ତାଙ୍କୁ ପୁଣି ବିମାନ ଉଡ଼ାଇବା କାମରେ ନିୟୋଜିତ କରାଯାଇପାରିବ । ଏତିକି ନୁହେଁ ଦ୍ୱିତୀୟ ଥର ପଜିଟିଭ୍ ମିଳେ, ତେବେ ପାଇଲଟଙ୍କ ଲାଇସେନ୍ସକୁ ୩ ବର୍ଷ ପାଇଁ ନିଲମ୍ବିତ କରାଯାଇପାରିବ । ତୃତୀୟ ଥର ପଜିଟିଭ୍ ମିଳିଲେ ପାଇଲଟଙ୍କ ଫ୍ଲାଇଂ ଲାଇସେନ୍ସ ରଦ୍ଦ କରାଯାଇପାରିବ ।