ଭୁବନେଶ୍ୱର,୧୭/୦୮:୧୯ବା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଲଘୁଚାପ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟର ତିନି ଦିନ ଆଗରୁ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୦ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆଗାମୀ ସପ୍ତାହର ଶେଷ ଭାଗ (୨୫ରୁ ୨୮ ତାରିଖ) ଭିତରେ ଉତ୍ତର ଓଡ଼ିଶା ଉପକୂଳରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିବ। ଲଘୁଚାପ,ବର୍ଷା ଆଉ ବନ୍ୟା ପିଛା ଛାଡୁନି ଓଡ଼ିଶାର ।

ରବିବାର ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଅଗଷ୍ଟ ମାସର ତୃତୀୟ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଆସନ୍ତା୨୪ଘଣ୍ଟାରେ ଲଘୁଚାପ ଆହୁରି ବଳୁଆ ହୋଇ ଅବପାତ ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୋମବାର ବାଲେଶ୍ଵର,କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ୩ ଜିଲ୍ଲା ପାଇଁ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂଜାରି କରିଛି।କିଛି ସ୍ଥାନରେ ଅତି ଭୀଷଣ ବର୍ଷାର ଆଶଙ୍କା ରହିଛି ।  ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର,କଟକ,ସୁନ୍ଦରଗଡ଼,ଝାରସୁଗୁଡ଼ା,ସମ୍ବଲପୁର,ଦେବଗଡ଼,ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇପାରେ । ୧୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ ଦିଆଯାଇଛି। ତେବେ ୧୮ ତାରିଖ ପରେ ବର୍ଷା ପରିମାଣ କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଆକଳନ କରିଛନ୍ତି।

Also Read :-Horoscope Today : ଅଗଷ୍ଟ ୧୭ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି,୧୮୨୦ ତାରିଖ ଭିତରେ ଲଘୁଚାପ ସୃଷ୍ଟି ହେବ ବୋଲି ବିଭିନ୍ନ ପ୍ରମୁଖ ପାଣିପାଗ ମଡେଲ ପୂର୍ବାନୁମାନ କରିଥିଲେ। କିନ୍ତୁ ପୂର୍ବରୁ ଥିବା ଲଘୁଚାପ ଯିବା ପରେ ବାୟୁମଣ୍ଡଳରେ ବ୍ୟାପକ ଜଳୀୟବାଷ୍ପ ରହିଥିଲାସୋମାଲି ଜେଟ୍ର ଶକ୍ତିଶାଳୀ ବିଷୁବ ରେଖୀୟ ପ୍ରବାହ ଯୋଗୁ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଶୀଘ୍ର ସଂଗଠିତ ହେଲା। ଫଳରେ ଏହା ନିର୍ଦ୍ଧାରିତ ସମୟର ୨ ରୁ ୩ ଦିନ ଆଗରୁ ଲଘୁଚାପର ରୂପ ନେଲା। ଦ୍ଵିତୀୟ ଲଘୁଚାପ ପ୍ରଭାବରେ ଗତ ୧୩ରୁ ୧୫ ତାରିଖ ଯାଏ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିଲା। ନୂଆ କରି ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହା ପ୍ରଭାବରେ ୧୬ ରୁ ୧୯ ତାରିଖ ଭିତରେ ଉପକୂଳ,କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୧୮ରୁ ୨୦ ତାରିଖ ଭିତରେ ଯେଉଁ ଲଘୁଚାପର ପୂର୍ବାନୁମାନ ଥିଲା,ତାହା ଆଗୁଆ ହୋଇସାରିଛି। ୨୦ ରୁ ୨୨ଯାଏରାଜ୍ୟରେ ବର୍ଷା ପରିମାଣ କମିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଆସନ୍ତା ୨୫ ରୁ ୨୮ ତାରିଖ ଭିତରେ ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଏବେ ସକ୍ରିୟ ଥିବା ଲଘୁଚାପ ଆଭ୍ୟନ୍ତରୀଣ ଭରତକୁ ଅତିକ୍ରମ କରିବା ପରେ ୨୦ ରୁ ୨୪ ଯାଏ ବାୟୁମଣ୍ଡଳୀୟ ସାମୟିକ ବିରାମ ସ୍ଥିତି ରହିବ। ପରେ ମୌସୁମୀ ଟ୍ରର ପୂର୍ବ ଭାଗ ପୁଣି ସକ୍ରିୟ ହୋଇ ଉତ୍ତର-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜଳୀୟବାଷ୍ପ ଓ ବାୟୁ ସଞ୍ଚାଳନକୁ ବଢ଼ାଇବ।

ସେହିପରି୨୪ରୁ ୨୬ ତାରିଖ ଭିତରେ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୨୬ରୁ୨୮ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେବାର ୭୦% ରୁ ଅଧିକ ସମ୍ଭାବନା ଅଛି। ଜିଏଏସ୍ ଡିଟରମିନିଷ୍ଟିକ୍ ଓ ଏନସେମ୍ବଲ୍ ମଡେଲ ଅନୁସାରେ,୨୫ ତାରିଖ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୨୬ ବା ୨୭ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ। ଆଇଏମଡିର ବିସ୍ତାରିତ ଆକଳନ ଅନୁସାରେ,୨୧ରୁ ୨୭ତାରିଖ ଭିତରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ପାଇଁ ବାୟୁମଣ୍ଡଳ ସ୍ଥିତି ଅନୁକୂଳ ରହିବ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୫ ରୁ ୨୯ ତାରିଖ ଯିଏ ରାଜ୍ୟରେ ପୁଣି ଅଧିକ ବର୍ଷା ଆଶଙ୍କା ଅଛି। ସେପଟେ ମୌସୁମୀ ଋତୁରେ ରାଜ୍ୟରେ ସ୍ବାଭାବିକଠାରୁ ୨୭% ଅଧିକ ବର୍ଷା ହୋଇଛି। ଜୁନ ୧ ତାରିଖରୁ ଅଗଷ୍ଟ ୧୬ ତାରିଖ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଭାବେ ୭୪୯ ମିମି ବର୍ଷା ହେବା କଥା। କିନ୍ତୁ ଏଥର ଏହି ସମୟରେ ୯୫୩ ମିମି ବର୍ଷା ହୋଇଛି। ୫ ଜିଲ୍ଲାରେ ଭୀଷଣ ବର୍ଷା ହୋଇଛି। ବୌଦ୍ଧରେ ସ୍ବାଭାବିକଠାରୁ ୧୧୨% ଅଧିକ ବର୍ଷା ହୋଇଛି। ସୋନପୁରରେ ୮୪%,କେନ୍ଦ୍ରାପଡ଼ାରେ ୬୮% ଓ ଢେଙ୍କାନାଳରେ ୬୫% ଓ ବରଗଡ଼ରେ ୭୦% ଅଧିକ ବର୍ଷା ହୋଇଛି। ପୂରା ରାଜ୍ୟରେ ଏବେ ବର୍ଷା ସତ୍ତ୍ୱେ ନବରଙ୍ଗପୁର,ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ବର୍ଷା ନିଅଣ୍ଟିଆ ସ୍ଥିତିରେ ରହିଛି। ନବରଙ୍ଗପୁରରେ ସ୍ବାଭାବିକଠାରୁ ୩୧%,କଳାହାଣ୍ଡିରେ ୨୨% ଓ ଗଜପତିରେ ୨୭ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।