କେନ୍ଦୁଝର ୧।୭: ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି ଘଟଣାରେ ଦାଦନ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ନାଁରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନାରେ ହେଲା ମାମଲା ରୁଜୁ । ଏହାସହ ଯେଉଁ ଯେଉଁ ଅଞ୍ଚଳରୁ ଶ୍ରମିକ ଚାଲାଣ କରିଥିଲା ସେହିସବୁ ଅଞ୍ଚଳର ଥାନା ମାନଙ୍କରେ ମଧ୍ୟ ଶ୍ରମିକ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ନାମରେ ଏତଲା ହେବ । ଏ ନେଇ ସୂଚନା ଦେଲେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ସୂର୍ଯ୍ୟ ନାରାୟଣ ମାଲ୍ଲୀ ।

ପ୍ରଭାଗୀୟ ଶ୍ରମ ଆୟୁକ୍ତ ଆହୁରୀ ମଧ୍ୟ କହିଛନ୍ତି ଯେ, ଗ୍ୟାସ୍ ଟ୍ରାଜେଡିରେ କେବଳ କେନ୍ଦୁଝର ଜିଲ୍ଲାର ୧୩ ଜଣ ଜୁଆଙ୍ଗ ଯୁବତୀଙ୍କର ମୃତ୍ୟୁ ଘଟିଛି । ୫୮ ଜଣଙ୍କୁ ସୁରକ୍ଷିତ ଭାବରେ ଫେରାଇ ଅଣାଯାଇଛି । କିଛି ଜଣ ଚିକିତ୍ସିତ ହେଉଛନ୍ତି । ସେମାନେ ମଧ୍ୟ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଫେରିଆସିବେ । ଏପରିକି ଅନେକଙ୍କର ଆଧାର କାର୍ଡକୁ ମଧ୍ୟ ଜାଲିଆତି କରାଯାଇଥିବା ଓ ଏକାଧିକ ୧୮ ବର୍ଷରୁ କମ୍ ବୟସର ଯୁବତୀ ମାନଙ୍କୁ ଦାଦନ ଖଟିବାକୁ ତାମିଲନାଡୁ ନେଇଥିବା ଶ୍ରମ ଆୟୁକ୍ତ ସୂଚନା ଦେଇଛନ୍ତି ।

Also Read:- ଫ୍ଲାଏ ଆଶ୍ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି, ସ୍ୱତନ୍ତ୍ର ସ୍ପେଶାଲ୍ ଟାସ୍କ ଫୋର୍ସ ଗଠନ କରିବାକୁ ଚିଠିରେ ପ୍ରସ୍ତାବ

ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାରୁ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଶତାଧିକ ଯୁବକ ଓ ଯୁବତୀଙ୍କୁ ଶ୍ରୀକାନ୍ତ ଜୁଆଙ୍ଗ ନାମକ ଜଣେ ଶ୍ରମିକ ଦଲାଲ ତାମିଲନାଡୁର ଏକ ଚିଙ୍ଗୁଡି କାରଖାନାରେ କାମ କରାଇବାକୁ ନେଇଥିଲା । ଜୁନ୍ ୨୧ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ ସେଠାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଯାହା ଫଳରେ ଏପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାରୁ ୧୩ ଜଣ ଝିଅଙ୍କର ମୃତ୍ୟୁ ଘଟିଲାଣି ।