ନୂଆଦିଲ୍ଲୀ: ବଢୁଥିବା ଜନବସତି ଓ ଶିଳ୍ପାଞ୍ଚଳ ମଧ୍ୟରେ ବି ବନ୍ୟଜନ୍ତୁ ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ କିଭଳି ସଂଘର୍ଷ କରନ୍ତି, ତାହାର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଜଣେ ଜୀବନସାଥୀର ସନ୍ଧାନରେ ଆଫ୍ରିକାର ୩ଟି ବନ୍ୟ କୁକୁର ଜାମ୍ବିଆରେ ପ୍ରାୟ ୪ ହଜାର କିଲୋମିଟରର ଏକ ଦୀର୍ଘ ଓ କଷ୍ଟକର ଯାତ୍ରା ଅତିକ୍ରମ କରିଛନ୍ତି। କୌଣସି ସ୍ଥଳଚର ସ୍ତନ୍ୟପାୟୀ ପ୍ରାଣୀ ନିଜର ପ୍ରଜନନ ସାଥୀ ଖୋଜିବା ପାଇଁ ଏତେ ବାଟ ଅତିକ୍ରମ କରିବା ବିଶ୍ୱରେ ପ୍ରଥମ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। ପ୍ରସିଦ୍ଧ ବିଜ୍ଞାନ ପତ୍ରିକା ‘ଇକୋଲୋଜି’ ରେ ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି।

୪୨୦ କିମି ପାଇଁ ଯିବାକୁ ପଡ଼ିଲା ୪ ହଜାର କିମି

ନକ୍ସା ହିସାବରେ ଏହି କୁକୁରଗୁଡ଼ିକ ଆରମ୍ଭରୁ ଶେଷ ସ୍ଥାନ ପର୍ଯ୍ୟନ୍ତ ସରଳ ରେଖାରେ ମାତ୍ର ୪୨୦ କିଲୋମିଟର ବାଟ ଯାଇଥାନ୍ତେ। ମାତ୍ର ବାଟରେ ସହର, ରାସ୍ତା, ପାହାଡ଼, ପର୍ବତ, ନଦୀ, ଝରଣା ଆଦି ଯୋଗୁଁ ସେମାନଙ୍କୁ ବୁଲି ବୁଲି ରାସ୍ତା ଦେଇ ଯିବାକୁ ପଡ଼ିଥିଲା। ଫଳରେ ଏହି ଯାତ୍ରାର ଦୂରତା ପ୍ରାୟ ୧୦ ଗୁଣା ବୃଦ୍ଧି ପାଇ ୪ ହଜାର କିଲୋମିଟରରେ ପହଞ୍ଚିଥିଲା।

Also Read: ଶାନ୍ତ ଗଧ ପାଇଁ ଲୋକେ ଦେଇଥିଲେ ୧.୫ କୋଟିର ଚାନ୍ଦା; ତଥାପି ଗୁଳି କରି ମାରିଦେଲା ପୁଲିସ

ବିଜ୍ଞାନୀମାନେ ଜିପିଏସ କୋଲାର୍ ମାଧ୍ୟମରେ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଏହି ଯାତ୍ରା ସମୟରେ କୁକୁରଗୁଡ଼ିକ ଜାମ୍ବିଆର ରାଜଧାନୀ ଲୁସାକା ଏବଂ କେତେକ ବଡ଼ ବଡ଼ ଶିଳ୍ପାଞ୍ଚଳ ଦେଇ ଗତି କରିଥିଲେ। ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟିର ପ୍ରଫେସର ସ୍କଟ୍ କ୍ରିଲଙ୍କ ଅନୁଯାୟୀ, ଏହି ଘଟଣାରୁ ସ୍ପଷ୍ଟ ଯେ ପୂର୍ବ ଓ ଦକ୍ଷିଣ ଆଫ୍ରିକାର ବନ୍ୟ କୁକୁରଙ୍କ ବଂଶ ଏପର୍ଯ୍ୟନ୍ତ ପରସ୍ପର ସହ ଯୋଡ଼ିହୋଇ ରହିଛି।

ଅଧା ବାଟରେ ଚାଲିଗଲା ଜଣଙ୍କ ଜୀବନ

ତେବେ ଏହି ସଫଳତା ପଛରେ ଏକ ଦୁଃଖଦ ସତ୍ୟ ମଧ୍ୟ ରହିଛି। ଏହି ୩ ଭାଇଙ୍କ ସହ ଥିବା ଅନ୍ୟ କିଛି ସାଥୀ ବେଆଇନ ଶିକାରୀ ଜାଲରେ ଫସି ପ୍ରାଣ ହରାଇଥିଲେ। ଅନ୍ୟ ୩ଟି ମାଈ କୁକୁର ମଧ୍ୟ ପ୍ରାୟ ସମାନ ଦୂରତା ଯାତ୍ରା କରିସାରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ଜାଲରେ ଫସିଯିବାରୁ ସେମାନଙ୍କ ଯାତ୍ରା ଅଧାରେ ରହିଯାଇଥିଲା। ଏହାବାଦ୍ ସାଥୀର ମୃତ୍ୟୁ ହୋଇଥିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଏହି କୁକୁରଗୁଡ଼ିକ ବାରମ୍ବାର ଫେରି ଆସୁଥିବା ଭାବପ୍ରବଣ ବ୍ୟବହାର ମଧ୍ୟ ବୈଜ୍ଞାନିକମାନେ ଲକ୍ଷ୍ୟ କରିଛନ୍ତି।

Also Read: ୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କଲେ ମହିଳା ପୋଲିସ ଅଧିକାରୀ, ସେକ୍ସ ପାର୍ଟନରଙ୍କ ମଧ୍ୟରେ ରହିଛି କୁକୁର !

ପ୍ରଜନନ ସାଥୀ ଖୋଜିବା ବଡ଼ କାମ

ସାରା ଆଫ୍ରିକାରେ ମାତ୍ର ୬,୦୦୦ ବନ୍ୟ କୁକୁର ବଞ୍ଚିଛନ୍ତି। ଏମାନେ ସଂଘବଦ୍ଧ ଭାବେ ରହନ୍ତି ଏବଂ ଏମାନଙ୍କର କଠୋର ସାମାଜିକ ନିୟମ ରହିଛି। ନିଜ ଦଳ ଭିତରେ ସେମାନେ ପ୍ରଜନନ କରନ୍ତି ନାହିଁ। ତେଣୁ ୨ ରୁ ୩ ବର୍ଷ ବୟସ ହେବା ପରେ ନୂଆ ଆଶ୍ରୟ ଓ ପ୍ରଜନନ ସାଥୀ ଖୋଜିବା ପାଇଁ ସେମାନେ ନିଜ ଦଳ ଛାଡ଼ି ବାହାରି ପଡ଼ନ୍ତି। ବୈଜ୍ଞାନିକମାନଙ୍କ ମତରେ, ବନ୍ୟଜନ୍ତୁ ସଂରକ୍ଷଣ ଅଞ୍ଚଳଗୁଡ଼ିକୁ ମାନବ ବସତି ଓ ରାସ୍ତା ଦ୍ୱାରା ବିଚ୍ଛିନ୍ନ ନକରି ସେଗୁଡ଼ିକୁ ଯୋଡ଼ିବା ପାଇଁ ପ୍ରାକୃତିକ ‘ଗ୍ରୀନ୍ କରିଡୋର’ ନିର୍ମାଣ କରିବା ଜରୁରୀ ହୋଇପଡ଼ିଛି।