ନୂଆଦିଲ୍ଲୀ ୧୬।୦୯;ନିଖୋଜ ଥିଲା ୧୨ ବର୍ଷର ଜଣେ ଶିଶୁ। ଖୋଜାଖୋଜି ପାଇଁ ଫାର୍ମରେ ପହଞ୍ଚିଥିଲା ପୋଲିସ୍। ହେଲେ ଏହି ସର୍ଚ୍ଚ ଅପରେସନ ଶେଷ ହେଲା ଏକ ପୋଷା ଗଧର ମୃତ୍ୟୁରେ। ଆଉ ଏବେ ସେହି ଘଟଣାକୁ ନେଇ କୋର୍ଟରେ ପହଞ୍ଚିଛି ମାମଲା। ଜର୍ଜିଆରେ ଘଟିଥିବା ଏହି ଘଟଣାକୁ ନେଇ ପୋଲିସ୍ ଅଧିକାରୀଙ୍କ ବିରୋଧରେ ନାଗରିକ ଅଧିକାର ମାମଲା ଦାୟର କରିଛନ୍ତି ଗଧର ମାଲିକା । ତାଙ୍କ ଅଭିଯୋଗ—କୌଣସି ୱାରେଣ୍ଟ କିମ୍ବା ଅନୁମତି ବିନା ଅଧିକାରୀମାନେ ତାଙ୍କ ସମ୍ପତ୍ତିରେ ପ୍ରବେଶ କରିଥିଲେ। ଆଉ ସେହି ସମୟରେ ତାଙ୍କ ବର୍ଷକର ପୋଷା ଗଧ ‘ହି-ହ'’କୁ ଗୁଳି କରାଯାଇଥିଲା।

ହି-ହ'... ଏକ ସାଧାରଣ ଗଧ ନୁହେଁ, ପରିବାରର ପୋଷା ପ୍ରାଣୀ ଥିଲା। ମାଲିକାଙ୍କ କହିବା ଅନୁସାରେ, ଏହା ଶାନ୍ତ ଓ ବନ୍ଧୁତ୍ୱପୂର୍ଣ୍ଣ ସ୍ୱଭାବର ଥିଲା ଏବଂ କେବେ ବି କାହା ପ୍ରତି ଆକ୍ରମଣାତ୍ମକ ହୋଇନଥିଲା। କିନ୍ତୁ ଅଗଷ୍ଟ ୨୯ ତାରିଖ ରାତିରେ ନିଖୋଜ ଶିଶୁକୁ ଖୋଜୁଥିବା ପୋଲିସ୍ ଟିମ୍ର ସାମ୍ନାକୁ ଆସିଥିଲା ଏହି ପଶୁ।ଘଟଣାକୁ ନେଇ ପୋଲିସ୍ର ଯୁକ୍ତି କିନ୍ତୁ ଭିନ୍ନ। ଅଧିକାରୀ ଟ୍ରେଣ୍ଟନ୍ ଗାର୍ନରଙ୍କ ରିପୋର୍ଟ ଅନୁସାରେ, ହି-ହ' ଅଧିକାରୀମାନଙ୍କ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସିଥିଲା। ତାକୁ ଅଟକାଇବା ପାଇଁ K-9 ହ୍ୟାଣ୍ଡଲର୍ ଟେଜର୍ ବ୍ୟବହାର କରିଥିଲେ। କିନ୍ତୁ ସେଥିରେ ବି ଗଧଟି ଅଟକିନଥିଲା । ଶେଷରେ ଗୁଳି ଚଳାଇଥିଲେ। ଗୁଳି ପରେ ହି-ହ' ପାହାଡ଼ ଆଡ଼କୁ ଚାଲିଯାଇଥିଲା ଏବଂ ସେଠାରେ ତା’ର ମୃତ୍ୟୁ ହୋଇଥିଲା।

ତେବେ ମାଲିକାଙ୍କ ଅଭିଯୋଗ ପୋଲିସ୍ ଘଟଣାସ୍ଥଳ ଛାଡ଼ିବା ବେଳେ ଗଧଟିର ଅବସ୍ଥା ବିଷୟରେ ତାଙ୍କୁ କିଛି ଜଣାଇନଥିଲା। ଫଳରେ ଅନ୍ଧାର ରାତିରେ ହି-ହ'କୁ ଖୋଜିଥିଲେ। ଏବେ ଏହି ଘଟଣାକୁ ନେଇ ଆଇନର ଲଢ଼େଇ। ସେ କ୍ଷତିପୂରଣ ସହ ଦଣ୍ଡମୂଳକ ଅର୍ଥରାଶି, ଆଇନଗତ ଫି' ଓ କୋର୍ଟ ଖର୍ଚ୍ଚ ଦାବି କରିଛନ୍ତି। ସେପଟେ ହି-ହ'ର ସ୍ମୃତିକୁ ଜୀବିତ ରଖିବା ସହ ଫାର୍ମର ଅନ୍ୟ ପଶୁମାନଙ୍କ ଯତ୍ନ ପାଇଁ ଏକ ଫାଉଣ୍ଡେସନ୍ ଗଢ଼ିବାକୁ ଆରମ୍ଭ ହୋଇଛି ଅର୍ଥ ସଂଗ୍ରହ। ମାତ୍ର ୩୦ ହଜାର ଡଲାର୍ ଲକ୍ଷ୍ୟ ରଖାଯାଇଥିବା ବେଳେ, ଦୁଇ ହଜାରରୁ ଅଧିକ ଲୋକଙ୍କ ଦାନରେ ଏହା ୧ ଲକ୍ଷ ୫୯ ହଜାର ଡଲାର୍ରୁ ଅଧିକ ହୋଇସାରିଛି।ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଜର୍ଜିଆ କୃଷି ବିଭାଗର ଲ' ଏନ୍ଫୋର୍ସମେଣ୍ଟ ଡିଭିଜନ୍ ଏହି ଘଟଣାର ସ୍ୱାଧୀନ ତଦନ୍ତ କରୁଛି।