ନୂଆଦିଲ୍ଲୀ: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍ ପୂର୍ବରୁ ଜମ୍ମୁ-କାଶ୍ମୀରର ମାନଚିତ୍ରକୁ ନେଇ ଉପୁଜିଥିବା ବିବାଦ ଏବେ ଆଉ ପାଦେ ଆଗେଇ ଯାଇଛି। ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ(ACB) ପୁରୁଣା ପ୍ରମୋସନାଲ ଭିଡିଓ ହଟାଇ ଦେଇଛି, ଯେଉଁଥିରେ ଭାରତ ମାନଚିତ୍ରରେ ପାକ୍ ଅଧିକୃତ କାଶ୍ମୀର(PoK) ଓ ଗିଲଗିଟ ବାଲିଟଷ୍ଟାନକୁ ଭାରତ ଭିତରେ ଚିତ୍ରଣ କରାଯାଇଥିଲା। ଏହାକୁ ନେଇ ପାକିସ୍ତାନରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

କ’ଣ ଥିଲା ପୂର୍ବ ଭିଡିଓରେ ?

ସେପ୍ଟେମ୍ବର ୬ ତାରିଖରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଭାରତ ସହ ଥିବା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ଦର୍ଶାଇ ଏକ ପ୍ରମୋସନାଲ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ଭିଡିଓର ଶେଷ ଭାଗରେ ଭାରତର ମାନଚିତ୍ର ଦେଖାଯାଇଥିଲା, ଯେଉଁଥିରେ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଏବଂ ଗିଲଗିଟ୍-ବାଲଟିସ୍ତାନକୁ ଭାରତର ସୀମା ବୋଲି ଦର୍ଶାଯାଇଥିଲା।

Also Read: ବିସିସିଆଇର ବଡ଼ ବିଜନେସ ଡିଲ୍: ଘରୋଇ ମ୍ୟାଚ୍ ପାଇଁ ପାର୍ଟନର ହେଲେ ଜାତୀୟ, ଅନ୍ତର୍ଜାତୀୟ ବ୍ରାଣ୍ଡ

ପାକିସ୍ତାନରେ ହଙ୍ଗାମା

ଏହି ଭିଡିଓ ସାମ୍ନାକୁ ଆସିବା ପରେ ପାକିସ୍ତାନୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ପାକିସ୍ତାନୀ କ୍ରିକେଟ ପ୍ରଶଂସକମାନେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ନିକଟରେ ଏହାକୁ ନେଇ ଆପତ୍ତି ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲେ।

 

ଆଫଗାନିସ୍ତାନର ୟୁ-ଟର୍ଣ୍ଣ

ଚାପ ଓ ବିବାଦ ବୃଦ୍ଧି ପାଇବା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପୁରୁଣା ଭିଡିଓଟିକୁ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ହଟାଇ ଦେଇଛି। ଏହାର ବଦଳରେ ACB ଏକ ନୂତନ ପ୍ରମୋସନାଲ ଭିଡିଓ ଜାରି କରିଛି, ଯେଉଁଥିରେ କାଶ୍ମୀର ମାନଚିତ୍ର ସ୍ଥାନରେ ଦିଲ୍ଲୀର ଐତିହାସିକ 'ଇଣ୍ଡିଆ ଗେଟ୍'ର ଚିତ୍ରକୁ ପ୍ରମୁଖତା ଦିଆଯାଇଛି। ନୂଆ ଭିଡିଓରେ ଭାରତୀୟ ସୀମାର ସ୍ପଷ୍ଟ ମାନଚିତ୍ର ବଦଳରେ ପ୍ରତୀକାତ୍ମକ ଦୃଶ୍ୟ ବ୍ୟବହାର କରାଯାଇଛି।

ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ ସିରିଜ୍

ସୂଚନାଯୋଗ୍ୟ ଯେ, ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍ ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜର ସମସ୍ତ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ସୁରକ୍ଷା କାରଣରୁ ଆଫଗାନିସ୍ତାନ ନିଜର 'ହୋମ୍ ସିରିଜ୍' ଭାରତରେ ଆୟୋଜନ କରୁଛି।