କେନ୍ଦୁଝର : ମଞ୍ଚରେ ଚାଲିଥିଲା ନିଖୁଣ ଅଭିନୟ । ଅଭିନେତା ଓ ଅନ୍ୟ କଳାକାରମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମଞ୍ଚରେ ନିଜର ଅଭିନୟକୁ ନେଇ ନିମଗ୍ନ ଥିଲେ । କିଭଳି ଦର୍ଶକଙ୍କ ମନ ଜିଣିବେ ତାହା ଥିଲା ଅଭିନେତା ଓ କଳାକାରଙ୍କ ପ୍ରଚେଷ୍ଟା । ହେଲେ ହଠାତ୍ ଅଭିନେତା ଲିଟନ୍ ଙ୍କ ଉପରକୁ ବୋତଲ ମାଡ଼ ହୋଇଥିଲା । ଦର୍ଶକଙ୍କ ଭିତରୁ କେହି ଅଭିନେତା ଲିଟନ୍ ଙ୍କୁ ଟାର୍ଗେଟ୍ କରି ଫିଙ୍ଗିଥିଲେ ପ୍ଲାଷ୍ଟିକ୍ ବୋତଲ । ଏହି ବୋତଲ ଅଭିନେତାଙ୍କ ଦେହରେ ବାଜିଥିଲେ ମଧ୍ୟ ଅଟକି ନଥିଲା ତାଙ୍କର ଅଭିନୟ । ନିଜର ଜୀବନ୍ତ ଅଭିନୟ ଜାରି ରଖିଥିଲେ ଅଭିନେତା ଲିଟନ୍ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଆନନ୍ଦପୁର ପଥରପଦା ଗାଁରେ ।

ଗାଁରେ ତୁଳସୀ ଗଣନାଟ୍ୟ ପକ୍ଷରୁ ପରିବେଷିତ ହେଉଥିଲା ନାଟକ ‘ସଖି ଲୋ ତୁ କାନ୍ଦନା’। ନାଟକ ଦେଖିବା ପାଇଁ ଜମିଥିଲା ଦର୍ଶକଙ୍କ ଭିଡ଼ । ଆଉ ଏହାରି ଭିତରୁ କେହି ଅଭିନେତାଙ୍କ ଉପରକୁ ଫିଙ୍ଗିଥିଲେ ବୋତଲ୍ । ବୋତଲଟି ଦେହରେ ବାଜିବା ପରେ ମଧ୍ୟ ଅଟକି ନଥିଲେ, କି କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ଅଭିନେତା ତାଙ୍କର ଅଭିନୟ ଜାରି ରଖିଥିଲେ । ଏତେ ସବୁ ପରେ ମଧ୍ୟ ତାଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ବୋତଲ ମାଡ଼ କରା ଯାଇଥିଲା। ମଞ୍ଚ ଉପରେ ପ୍ଲାଷ୍ଟିକ ବୋତଲ ପଡ଼ିଥିଲେ ମଧ୍ୟ ଅଭିନେତା ଲିଟନ୍ ଏବଂ ସହ ଅଭିନେତା ଓ ଅଭିନେତ୍ରୀମାନେ ସେମାନଙ୍କର ଅଭିନୟ ଜାରି ରଖିଥିଲେ । ଏହି ଘଟଣା ନେଇ ଅଭିନେତା ଲିଟନ୍ ଙ୍କର କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ସେଠାରେ ଉପସ୍ଥିତ ଅନ୍ୟ ଦର୍ଶକ ମାନେ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଆଉ ଲିଟନ୍ ଓ ଅନ୍ୟ କଳାକାରଙ୍କ ପ୍ରଶଂସା ମଧ୍ୟ କରିଛନ୍ତି। କାରଣ ଅଭିନୟ ସମୟରେ ବୋତଲ ମାଡ଼ ପରେ ବି ସେ ଅଟକି ନଥିଲେ।

 Also Read- Mayurbhanj Crime : ସ୍ୱାମୀଙ୍କୁ ଫେରାଇ ଆଣିବାକୁ ଯାଇଥିଲେ , ଭୟ ଦେଖାଇ ତିନି ଦିନ ଧରି ଦୁଷ୍କର୍ମ କଲା ଭଣ୍ଡ ଗୁଣିଆ

କଳାକାରଙ୍କ ଜୀବନରେ ଥାଏ ଉଭୟ ନିନ୍ଦା ଓ ପ୍ରଶଂସା। ହେଲେ ମଞ୍ଚ ଉପରେ ଅଭିନୟ ଜାରି ରଖିଥିବା ବେଳେ ଅଭିନେତାଙ୍କ ଉପରକୁ ଏପରି ବୋତଲ ମାଡ଼ ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ। ଆଗକୁ ଏପରି ଘଟଣା ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯିବ ଜରୁରୀ।