ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଦୁନିଆରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ମାଲାୟଲମ ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକର ଜଣେ ଜଣାଶୁଣା ଚେହେରା, ଯୁବ ଅଭିନେତା ହରି ମୁରଲୀ ଆଉ ଆମ ଗହଣରେ ନାହାନ୍ତି। ହରି ମୁରଲୀଙ୍କ ମୃତଦେହ କେରଳର ପାୟାନୁରରେ ତାଙ୍କ ଘରୁ ମିଳିଛି। ଏତେ କମ୍ ବୟସରେ ଅଭିନେତାଙ୍କ ଦେହାନ୍ତ ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଦେଇଛି ।  ଘଟଣା ପରେ ତାଙ୍କୁ ତୁରନ୍ତ ପାୟାନୁରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ତେବେ ଅଭିନେତାଙ୍କ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ । ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଫିଲ୍ମ ସହ ଜଡ଼ିତ ବହୁ ବ୍ୟକ୍ତି ଅଭିନେତାଙ୍କ ମୃତ୍ୟୁ ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ: ପ୍ରେମିକ ଫରମାନଙ୍କୁ କେରଳର ଏକ ମନ୍ଦିରରେ ବିବାହ କଲେ ମୋନାଲିସା, ରାଜି ନାହିଁ ପରିବାର

ପିଲା ବେଳୁ ଥିଲେ ଚର୍ଚ୍ଚାରେ
ହରି ମୁରଲୀଙ୍କ ପିତା, କେ.ୟୁ. ମୁରଲୀ (ପୟନୁର ମୁରଲୀ ନାମରେ ଜଣାଶୁଣା) ନାଟ୍ୟ ଏବଂ ଚଳଚ୍ଚିତ୍ର ଜଗତର ଜଣେ ପ୍ରସିଦ୍ଧ ବ୍ୟକ୍ତି। ପିଲାଦିନରୁ ଘରେ ଅଭିନୟ ଏବଂ କାହାଣୀ ସଂପର୍କରେ ଶୁଣି ସେ ଜଣେ ଅଭିନେତା ହେବେ ବୋଲି ସ୍ପପ୍ନ ଦେଖିଥିଲେ । ସେ ଚାରି ବର୍ଷ ବୟସରେ କ୍ୟାମେରାର ସାମ୍ନା କରିଥିଲେ। ନିର୍ଦ୍ଦେଶକ ଏ.ଏମ୍. ନାଜିର ତାଙ୍କୁ ଏକ ଟିଭି ଧାରାବାହିକରେ ଏକ ଛୋଟ ଭୂମିକା ଦେଇଥିଲେ । ସେଇଠୁ ତାଙ୍କ କ୍ୟାରିୟରର ଆରମ୍ଭ କରିଥିଲା। ସେବେଠାରୁ ହରି କେବେ ପଛକୁ ଫେରି ଚାହିଁନଥିଲେ । ପିଲାବେଳେ ଅନେକ ବଡ଼ ପ୍ରୋଜେକ୍ଟରେ କାମ କରିଥିଲେ ହରି।

ଶିଶୁ କଳାକାର ଭାବରେ ହୃଦୟ ଜିତିଥିଲେ
ହରି ମୁରଲୀ ମାଲାୟଲମ ଚଳଚ୍ଚିତ୍ର ‘ରସିକାନ’ରେ ଶିଶୁ କଳାକାର ଭାବରେ ବଡ଼ ପରଦାରେ ଡେବ୍ୟୁ କରିଥିଲେ। ସେ ‘ଅନ୍ନାନ ଥାମ୍ବି’, ‘ମାଡାମ୍ପି’, ‘ଡନ୍’, ‘ପଟ୍ଟନାଥିଲ ଭୂତମ୍’ ଏବଂ ‘ଉଲାଗମ ଚୁଟ୍ଟମ୍ ଭାଲିବାନ’ ସମେତ ୧୦ ରୁ ଅଧିକ ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ପ୍ରମୁଖ ତାରକାମାନଙ୍କ ସହିତ ସ୍କ୍ରିନ୍ ସେୟାର କରି ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।

ଟିଭି ଜଗତର 'ଉଜ୍ଜ୍ୱଳ ତାରା' ଥିଲେ ହରି
ଚଳଚ୍ଚିତ୍ର ବ୍ୟତୀତ, ହରି ମୁରଲୀ ଛୋଟ ପରଦାର ଜଣେ ପ୍ରିୟ ଅଭିନେତା ଥିଲେ। ସେ ପ୍ରାୟ ୪୦ ଟି ଟିଭି ଧାରାବାହିକରେ ଅଭିନୟ କରିଥିଲେ। ‘କୁଟ୍ଟିଚାଥନ’ ଏବଂ ‘କାୟମକୁଲମ କୋଚୁନ୍ନି’ ଭଳି ଶୋ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ତାଙ୍କର ସରଳତା ଏବଂ ଅଭିନୟ ଦକ୍ଷତା ମାଲାୟଲମ ଦର୍ଶକଙ୍କ ଦ୍ୱାରା ଆଦୃତି ପାଇଥିଲା। ହରିଙ୍କ ପରିବାରରେ ତାଙ୍କ ବାପା, ମା ଏବଂ ଭାଇ ଶ୍ରୀମୁରଲୀ ଅଛନ୍ତି। ଏତେ କମ୍ ବୟସରେ ଏତେ ପ୍ରତିଭାବାନ ଅଭିନେତାଙ୍କୁ ହରାଇବା ମାଲାୟଲମ ଶିଳ୍ପ ପାଇଁ ଏକ ବଡ଼ କ୍ଷତି।