କୋଲକାତା: ପଶ୍ଚିମବଙ୍ଗରେ ହୋଇଥିବା ଏସ୍ଆଇଆରରେ ଏକାଧିକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନୋଟିସ୍ କରାଯାଇଛି। ଯେଉଁଥିରେ ନୋବେଲ ବିଜୟୀ ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ, କ୍ରିକେଟର ମହମ୍ମଦ ଶାମୀଙ୍କ ସମେତ ଅଭିନେତା ତଥା ଟିଏମ୍‌ସି ସାଂସଦ ଦେବ ଦୀପକ ଅଧିକାରୀ (ଦେବ ନାଁରେ ଲୋକପ୍ରିୟ)ଙ୍କୁ ଏସଆଇଆର୍ ଶୁଣାଣି ପାଇଁ ନୋଟିସ୍ କରାଯାଇଛି।

ସ୍ଥାନୀୟ କାଉନସିଲର ମୌସୁମୀ ଦାସ କହିଛନ୍ତି ଯେ ସାଂସଦଙ୍କ ପରିବାରର ତିନି ଜଣ ସଦସ୍ୟଙ୍କୁ ମଧ୍ୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ବା ଏସ୍ଆଇଆରର ଅଂଶ ସ୍ୱରୂପ ଶୁଣାଣି ପାଇଁ ହାଜର ହେବା ପାଇଁ ନୋଟିସ୍ ଜାରି କରାଯାଇଛି। ଦେବ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ କେବେ ନିର୍ବାଚନ କମିଶନର ଅଧିକାରୀଙ୍କୁ ଡକ୍ୟୁମେଣ୍ଟ ଦେଖାଇବେ ସେ ବିଷୟରେ କୌଣସି ସୂଚନା ନାହିଁ। ଦେବ ମଧ୍ୟ ଏପର୍ଯ୍ୟନ୍ତ ନିର୍ବାଚନ କମିଶନର ନୋଟିସ୍ ଉପରେ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି।

ନିର୍ବାଚନ କମିଶନ ଏସଆଇଆର ଦ୍ୱିତୀୟ ପର୍ଯ୍ୟାୟର ଅଂଶ ସ୍ୱରୂପ ପଶ୍ଚିମବଙ୍ଗର ପ୍ରାୟ ୩୨ ଲକ୍ଷ ଭୋଟରଙ୍କୁ ନାଗରିକତାର ପ୍ରମାଣ ସ୍ଥାପନ କରିବାକୁ କିମ୍ବା ସେମାନଙ୍କର ଦାଖଲ ହୋଇଥିବା ଡକ୍ୟୁମେଣ୍ଟଗୁଡ଼ିକର କ୍ରସ-ଚେକ୍ କରିବାକୁ ନୋଟିସ୍ ଜାରି କରିଛନ୍ତି। ସୂଚନା ଅନୁସାରେ, ପଶ୍ଚିମ ମେଦିନୀପୁରର ଘାଟାଲରେ ଜନ୍ମଗ୍ରହଣ କରିଥିବା ଦେବ ମୁମ୍ବାଇରେ ବଢ଼ିଥିଲେ। କାରଣ ସେଠାରେ ତାଙ୍କ ବାପାଙ୍କର ବ୍ୟବସାୟ ଥିଲା।

ମୁମ୍ବାଇରେ ପାଠପଢ଼ା ସାରିବା କରିବା ପରେ, ସେ ଅଭିନୟ କରିବା ପାଇଁ କୋଲକାତାକୁ ଚାଲି ଆସିଥିଲେ। କୋଲକାତାରେ ରହି କ୍ୟରିୟର ଆରମ୍ଭ କରିଥିଲେ। ଧୀରେ ଧୀରେ ଚଳଚ୍ଚିତ୍ର ଜଗତରେ ନିଜକୁ ପ୍ରତିଷ୍ଠିତ କରିବା ପରେ, ସେ ଦକ୍ଷିଣ କୋଲକାତାରେ ଏକ ଫ୍ଲାଟ କିଣିଥିଲେ, ଯେଉଁଠାରେ ଦେବ ଓ ତାଙ୍କ ପରିବାର ରହୁଛନ୍ତି। ଆଉ ଏବେ ତାଙ୍କୁ ଏସଆଇଆର୍ ନୋଟିସ୍ ମିଳିବା ପରେ ଟିଏମସି ଇଲେକ୍ସନ କମିଶନଙ୍କୁ ସମାଲୋଚନା କରିଛି। ନିର୍ବାଚନ କମିଶନ ଜାଣିଶୁଣି ତିନିଥର ସାଂସଦ ରହିଥିବା ଦେବଙ୍କୁ ହଇରାଣ କରୁଛି ବୋଲି ଟିଏମ୍ସି କହିଛି।

କେବଳ ଦେବ ନୁହଁନ୍ତି ଅନ୍ୟ ବେଙ୍ଗଲି ଫିଲ୍ମ ଷ୍ଟାର୍ଙ୍କୁ ମଧ୍ୟ ଏସ୍ଆଇଆର୍ ନୋଟିସ୍ କରିଛନ୍ତି। ନୋଟିସ୍ ପାଇଥିବା ଏବଂ ଶୁଣାଣି ପାଇଁ ହାଜର ହୋଇଥିବା ଅନ୍ୟ ପ୍ରଖ୍ୟାତ ବଙ୍ଗୀୟ ଅଭିନେତା ଅଭିନେତ୍ରୀମାନେ ହେଲେ ଲାବୋନୀ ସରକାର, କୌଶିକ ବନ୍ଦୋପାଧ୍ୟାୟ ଏବଂ ଅନିର୍ବାଣ ଭଟ୍ଟାଚାର୍ଯ୍ୟ।

ରିପୋର୍ଟ ଅନୁସାରେ, ସୋମବାର ଦକ୍ଷିଣ କୋଲକାତାର ଟଲିଗଞ୍ଜରେ ରହୁଥିବା ଲାବୋନି ସରକାର ଏବଂ କୌଶିକ ବନ୍ଦୋପାଧ୍ୟାୟ ଏସଆଇଆର୍ ଶୁଣାଣି ପାଇଁ କାଟଜୁନଗର ସ୍କୁଲକୁ ଯାଇଥିଲେ। ଏନେଇ ଲାବୋନୀ ସରକାର କହିଛନ୍ତି “ଏହା ସରକାରଙ୍କ କାମ। ଆମ ପାଖରେ କୌଣସି ପ୍ରଶ୍ନ କିମ୍ବା ଉତ୍ତର ନାହିଁ। ଆମେ ଏଠାକୁ ଆସିଥିଲୁ। ସେମାନେ ଆମକୁ ଦୁଇଟି କାଗଜରେ ଦସ୍ତଖତ କରାଇଲେ ଏବଂ ମୋର ପୂର୍ବ ଦସ୍ତଖତ ସହିତ ତୁଳନା କଲେ।”

ପଶ୍ଚିମ ମେଦିନୀପୁରର ଅନିର୍ବାଣ ଭଟ୍ଟାଚାର୍ଯ୍ୟ ଅଭିନେତା ହୋଇଥିବାରୁ ସେ ବର୍ତ୍ତମାନ ରାଜଧାନୀ କୋଲକାତାରେ ରହୁଛନ୍ତି। ରାଜ୍ୟ ମୁଖ୍ୟ ଇଲେକ୍ସନ କମିଶନଙ୍କ କାର୍ଯ୍ୟାଳୟର କର୍ମୀମାନଙ୍କ ସୂଚନା ଅନୁଯାୟୀ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ଗଣନା ଫର୍ମ ପୂରଣ କରିବା ସମୟରେ ୨୦୦୨ ମସିହାର କୌଣସି ଡକ୍ୟୁମେଣ୍ଟ ଦାଖଲ କରି ନଥିବାରୁ ତାଙ୍କୁ ସମନ କରାଯାଇଛି।

ଖାଲି ସିନେ ଷ୍ଟାର ନୁହଁନ୍ତି ପଶ୍ଚିମବଙ୍ଗର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମନ କରାଯାଇଛି। ପ୍ରଖ୍ୟାତ କବି ଜୟ ଗୋସ୍ୱାମୀ ଏବଂ କ୍ରିକେଟର ମହମ୍ମଦ ଶାମିଙ୍କୁ ମଧ୍ୟ ଶୁଣାଣି ପାଇଁ ଡକାଯାଇଛି। ପଶ୍ଚିମବଙ୍ଗ ପାଇଁ ବିଜୟ ହଜାରେ ଟ୍ରଫି ଖେଳିବା ପାଇଁ ବର୍ତ୍ତମାନ ରାଜକୋଟରେ ଥିବା ଶାମି ସୋମବାର ଶୁଣାଣି ପାଇଁ ହାଜର ହୋଇପାରି ନଥିଲେ। ସେ ନିର୍ବାଚନ କମିଶନଙ୍କୁ ଆଉ ଏକ ତାରିଖ ଦେବାକୁ ଅନୁରୋଧ କରିଥିବା ଜଣାପଡ଼ିଛି।