କଟକ ୦୧/୧୦ : ପୁଅ ସୌମ୍ୟ ହତ୍ୟା ପଛରେ ବୋହୂ ବିଦ୍ୟା ଭାରତୀର ସମ୍ପୃକ୍ତି ରହିଛି । ଗୁରୁବାର ଏକଥାକୁ ପୁଣି ଥରେ ଦୋହରାଇଛନ୍ତି ମୃତ ପାରଳାଖେମୁଣ୍ଡି ACF ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର। ଏଭଳି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ କିପରି ଏଯାଏଁ ଗିରଫ ହୋଇନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ପୋଲିସର ଟାଳଟୁଳ ନୀତିକୁ ନେଇ ସେ ପୋଲିସ ଡିଜିଙ୍କୁ ଫେରାଦ ହୋଇସାରିଛନ୍ତି । ଆବଶ୍ୟକ ହେଲେ ପୁଣି ଡିଜିପିଙ୍କୁ ଭେଟିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଅଭିରାମ ମହାପାତ୍ର। ଗୁରୁବାର ସୁଦ୍ଧା ବିଦ୍ୟା ଭାରତୀଙ୍କୁ ପାରଳାଖେମୁଣ୍ଡି SDJM କୋର୍ଟରେ ହଜାର ହେବାର ଥିଲା, କିନ୍ତୁ ପୂର୍ବ ଆଦେଶକୁ ମୋଡିଫାଏ କରିବା ସହିତ, ଅକ୍ଟୋବର ୩୦ ସୁଦ୍ଧା ତାଙ୍କୁ ନିମ୍ନ ଅଦାଲତରେ ହଜାର ହେବାକୁ ପଡିବ ବୋଲି ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ବାପା।

ବୁଧବାର ଗିରଫ ହୋଇଛନ୍ତି ରୋଷେୟା ମନ୍ମଥ କୁମ୍ଭ । ସେପଟେ ଜେଲରେ DFO ସଂଗ୍ରାମ କେଶରୀ ବେହେରା । ଏବେ କ’ଣ ହେବ ବିଦ୍ୟାଭାରତୀଙ୍କ ଭାଗ୍ୟ ? ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତତ୍କାଳୀୟ ରୋଷେୟା ତଥା ମାମଲାର ଅନ୍ୟତମ ଅଭିଯୁକ୍ତ ମନ୍ମଥ କୁମ୍ଭଙ୍କୁ ଗିରପ କରିସାରିଛି ପାରଳାଖେମୁଣ୍ଡି ପୋଲିସ । NBW ଆଧାରରେ ମନ୍ମଥ କୁମ୍ଭଙ୍କୁ ଗିରଫ କରାଯାଇଛି । ଗତ ଜୁଲାଇ ମାସରେ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ଗଜପତିର ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ଆତ୍ମସମର୍ପଣ କରିଥିଲେ । ସେହି ଦିନ ଠାରୁ ସେ ପାରଳାଖେମୁଣ୍ଡି ଜେଲରେ ଅଛନ୍ତି । ଅନ୍ୟପଟେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ମୃତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ବଢ଼ିଛି ଅଡ଼ୁଆ । ବିଦ୍ୟାଭାରତୀଙ୍କୁ ପୋଲିସ ଗିରଫ କରିବାର ଆଶଙ୍କା ଦେଖାଦେଇଛି । କାରଣ ସୁପ୍ରିମକୋର୍ଟରେ ବିଦ୍ୟାଭାରତୀ କରିଥିବା ଆବେଦନ ଖାରଜ ହୋଇଯାଇଛି ।

ଗତ ୯ ତାରିଖରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ତେଣୁ ବିଦ୍ୟାଭାରତୀଙ୍କୁ ଟ୍ରାଏଲ୍ କୋର୍ଟରେ ହାଜର ହେବାକୁ ପଡିବ। ଟ୍ରାଏଲ୍ କୋର୍ଟରେ ବ୍ୟକ୍ତିଗତ ହାଜିରା ଛାଡ଼ ପାଇଁ ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି SDJM କୋର୍ଟରେ ହାଜର ହେବାକୁ ଗତ ୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏବେ ହାଇକୋର୍ଟରେ ସାନି ଆବେଦନ ପରେ ଏହି ତାରିଖକୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବଢ଼ାଇଛନ୍ତି ଉଚ୍ଚ ଅଦାଲତ । କିନ୍ତୁ ଯେହେତୁ ବିଦ୍ୟାଭାରତୀଙ୍କୁ ଅନ୍ତରୀଣ ସୁରକ୍ଷା କୋର୍ଟ ଦେଇ ନାହାନ୍ତି ତେଣୁ ତାଙ୍କୁ କୌଣସି ମୁହୂର୍ତ୍ତରେ ବି ପୋଲିସ ତାଙ୍କୁ ଗିରଫ କରିପାରେ ।

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଥାନାରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଅନୁଯାୟୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପୋଲିସ କେବଳ ବିଦ୍ୟାଭାରତୀଙ୍କ ବିରୋଧରେ IPC ୩୦୪-A ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଛି । ଏହାପରେ ଅଭିଯୋଗକାରୀ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ । ପ୍ରୋଟେଷ୍ଟ ପିଟିସନ୍ରେ ମାଜିଷ୍ଟ୍ରେଟ୍ ତଦନ୍ତ କରିବା ପରେ ବିଦ୍ୟାଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚାଲେଂଜ୍ କରି ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

୨୦୨୫ ଜୁଲାଇ ୩ ତାରିଖରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିବାରୁ ବିଦ୍ୟାଭାରତୀଙ୍କ କୋର୍ଟଙ୍କୁ ଜଣାଇଥିଲେ ଯେ, ସେ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ନୁଆଗାଁରେ ଚୁକ୍ତିଭିତ୍ତିକ ସରକାରୀ ଚାକିରି କରୁଛନ୍ତି । ପାରଳାଖେମୁଣ୍ଡି ତାଙ୍କ କର୍ମସ୍ଥଳୀ ଠାରୁ ୫୨୪ କିମିରୁ ଅଧିକ ଦୂର ହୋଇଥିବାରୁ ବାରମ୍ବାର କୋର୍ଟରେ ହାଜର ହେବା କଷ୍ଟକର । ସେପଟେ ବିଦ୍ୟାଭାରତୀ ଜାଣିଶୁଣି କୋର୍ଟ ପ୍ରକ୍ରିୟାକୁ ଏଡ଼ାଇ ଚାଲିଥିବା ଯୁକ୍ତି ଦର୍ଶାଇଥିଲେ ପ୍ରତିପକ୍ଷ ଓକିଲ । ବିଦ୍ୟାଭାରତୀଙ୍କ ଅନୁପସ୍ଥିତି ଯୋଗୁଁ ଟ୍ରାଏଲ୍ ଆରମ୍ଭ ହୋଇ ପାରି ନାହିଁ ବୋଲି ପ୍ରତିପକ୍ଷଙ୍କ ତରଫରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ଯାହାକୁ ଗ୍ରହଣ କରି ହାଇକୋର୍ଟ କହିଥିଲେ ଯେ, ମାମଲାର ପ୍ରକୃତି ଏବଂ ଅଭିଯୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଦ୍ୟାଭାରତୀ ବ୍ୟକ୍ତିଗତ ଭାବେ ହାଜର ହେବା ଜରୁରୀ । ଆବଶ୍ୟକତା ଅନୁଯାୟୀ ପରବର୍ତ୍ତୀ ସମୟରେ ସେ ଆବେଦନ କରିପାରିବେ। ବିଦ୍ୟାଭାରତୀଙ୍କ ଗିରଫ ହେବା ନେଇ ଥିବା ଆଶଙ୍କାକୁ ଦୃଷ୍ଟିରେ ରଖି ହାଇକୋର୍ଟ ତାଙ୍କୁ କୋର୍ଟରେ ହାଜର ହେବା ସମୟରେ ଜାମିନ ପାଇଁ ଆବେଦନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଉକ୍ତ ନିର୍ଦ୍ଦେଶକୁ ଚାଲେଂଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ,କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଛି ।

୨୦୨୧ ଜୁଲାଇ ୧୧ ତାରିଖ ରାତିରେ ACF ସୌମ୍ୟରଞ୍ଜନ ମହାପାତ୍ର ଅତି ସନ୍ଦେହଜନକ ଅବସ୍ଥାରେ ପୋଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତା’ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା। ମାମଲାର ତଦନ୍ତ କରି ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବା ସହ ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ । ଏହାକୁ ଚ୍ୟାଲେଞ୍ଜ କରି ସୌମ୍ୟରଞ୍ଜନଙ୍କ ପରିବାର ପାରଳାଖେମୁଣ୍ଡି SDJM କୋର୍ଟରେ ମାମଲା ଦାଏର କରିଥିଲେ। ଉକ୍ତ ଆବେଦନର ଶୁଣାଣି କରି ପାରଳାଖେମୁଣ୍ଡି SDJM କୋର୍ଟ ଏହି ୩ ଜଣଙ୍କ ବିରୋଧରେ IPC ର ଦଫା ୩୦୨ ହତ୍ୟା ଏବଂ IPC ୧୨୦- ବି, ଅପରାଧିକ ଷଡଯନ୍ତ୍ର ରଚିବା ମକଦ୍ଦମା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ସମନ ସତ୍ତ୍ବେ ହାଜର ନହେବାରୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୨୦୨୩ ମସିହାରେ ଜାମିନ ବିହୀନ ଗିରଫ ପରଓ୍ବାନା ବା NBW ଜାରି ହୋଇଥିଲା।

Also Read:ଟିଚରଙ୍କ ପାଇଁ ବଡ଼ ଖବର, ନିୟମିତ ହେଲେ କନିଷ୍ଠ ଶିକ୍ଷକ; ମିଳିବ ପିଛିଲା ଦରମା