ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଅରବିନ୍ଦ କେଜରିୱାଲଙ୍କ ଠାରୁ ଅଭିଜିତ୍ ଦୀପକେଙ୍କୁ ଅଧିକ ପସନ୍ଦ କରୁଛନ୍ତି ଲୋକେ। ଇଣ୍ଡିଆଟୁଡେର ଏକ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ଅନୁସାରେ, ଆମ୍ ଆଦମୀ ପାର୍ଟି (ଆପ୍)ର ପୂର୍ବତନ କର୍ମୀ ଏବଂ କକ୍ରୋଚ ଜନତା ପାର୍ଟି (ସିଜେପି) ସଂସ୍ଥାପକ ଅଭିଜିତ ଦୀପକେ ପ୍ରଧାନମନ୍ତ୍ରୀ ହୁଅନ୍ତୁ, ଏକଥା ୧.୩% ଲୋକ ଚାହୁଁଛନ୍ତି।

ଇଣ୍ଡିଆ ଟୁଡେ-ସିଭୋଟର ମୁଡ୍ ଅଫ ନେସନ (MOTN) ସର୍ଭେ ଅନୁଯାୟୀ, ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦୀପକେଙ୍କୁ ୧.୩ ପ୍ରତିଶତ ଲୋକ ପସନ୍ଦ କରିଥିବାବେଳେ କେଜ୍ରିୱାଲଙ୍କୁ ୧.୨ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ମାତ୍ର ୦.୧ ପ୍ରତିଶତ ପଏଣ୍ଟର ଏକ ଛୋଟ ତଫାତ୍ ରହିଥିଲେ ମଧ୍ୟ ରାଜନୈତିକ ଦୃଷ୍ଟିରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ମୋଦି ଆଗରେ, ରାହୁଲ ଦ୍ୱିତୀୟ

ଏବେ ବି ଲୋକଙ୍କ ପସନ୍ଦର ପ୍ରଧାନମନ୍ତ୍ରୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବାଗ୍ରେ ଅଛନ୍ତି। ଆଉ ଦ୍ୱିତୀୟରେ ଅଛନ୍ତି ରାହୁଲ। ସର୍ଭେ ଅନୁସାରେ ୪୮.୭ ପ୍ରତିଶତ ଉତ୍ତରଦାତା ମୋଦିଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ସବୁଠାରୁ ଉପଯୁକ୍ତ ବୋଲି ମତ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୭.୧ ପ୍ରତିଶତ ସମର୍ଥନ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ୯.୨ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨ ପ୍ରତିଶତ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ୧.୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ଏହାପରେ ଦୀପକେ ୧.୩ ପ୍ରତିଶତ ଏବଂ କେଜ୍ରିୱାଲ ୧.୨ ପ୍ରତିଶତ ସମର୍ଥନ ପାଇଛନ୍ତି।

କେଜ୍ରିୱାଲଙ୍କଠାରୁ ବିଜୟଙ୍କ ବଡ଼ ଲୋକପ୍ରିୟତା

ବିରୋଧୀ ମେଣ୍ଟର ନେତୃତ୍ୱ ପାଇଁ କିଏ ଉପଯୁକ୍ତ ବୋଲି ପ୍ରଶ୍ନ କରାଯିବାରେ ରାହୁଲ ଗାନ୍ଧୀ ୨୯ ପ୍ରତିଶତ ସମର୍ଥନ ସହ ଶୀର୍ଷରେ ରହିଛନ୍ତି। ଜାନୁଆରୀ ୨୦୨୬ରେ ତାଙ୍କ ସମର୍ଥନ ୨୮.୬ ପ୍ରତିଶତ ଥିଲା।

ଏହି ତାଲିକାରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ବିଜୟ ୧୨.୨ ପ୍ରତିଶତ ସମର୍ଥନ ସହ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ମମତା ବାନାର୍ଜୀ ୮.୫ ପ୍ରତିଶତ ଏବଂ ଅରବିନ୍ଦ କେଜ୍ରିୱାଲ ୭.୫ ପ୍ରତିଶତ ସମର୍ଥନ ପାଇଛନ୍ତି।

ଦୁର୍ନୀତି ଓ ବେକାରୀ ନେଇ ସର୍ଭେରେ ଚିନ୍ତା

ଅଗଷ୍ଟ ୨୦୨୬ର ମୋସନ ସର୍ଭେରେ ୪୩ ପ୍ରତିଶତ ଲୋକ କହିଛନ୍ତି ଯେ ଏନଡିଏ ସରକାରଙ୍କ ଶାସନରେ ଦୁର୍ନୀତି ବଢ଼ିଛି। ଅନ୍ୟପକ୍ଷରେ ବେକାରୀକୁ ଏନଡିଏ ସରକାରର ସବୁଠାରୁ ବଡ଼ ବିଫଳତା ଭାବେ ଉତ୍ତରଦାତାମାନେ ଦର୍ଶାଇଛନ୍ତି। ନୀଟ ପେପର ଲିକ୍ ଓ ବେକାରୀ ଭଳି ପ୍ରସଙ୍ଗରେ ସିଜେପିର ଆନ୍ଦୋଳନ ଯୁବପିଢ଼ି ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବାରୁ ଏହାର ପ୍ରଭାବ ସର୍ଭେରେ ଦେଖାଯାଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।

୨୫,୧୮୪ ଲୋକଙ୍କୁ ନେଇ ହୋଇଥିଲା ସର୍ଭେ

ଇଣ୍ଡିଆ ଟୁଡେ-ସିଭୋଟରର ଏହି ମୋସନ ସର୍ଭେ ଦୁଇ ବର୍ଷର ଡାଟାକୁ ନେଇ କରାଯାଏ। ଅଗଷ୍ଟ ୨୦୨୬ ସଂସ୍କରଣ ପାଇଁ ଜୁଲାଇ ୧ରୁ ଅଗଷ୍ଟ ୨୫ ମଧ୍ୟରେ ୨୫,୧୮୪ ଜଣଙ୍କୁ ସିଧାସଳଖ ସର୍ଭେ କରାଯାଇଥିଲା। ଏହା ସହ ଗତ ୬ ମାସରେ ସି-ଭୋଟରର ନିୟମିତ ଟ୍ରାକିଂ ଅଧୀନରେ କରାଯାଇଥିବା ଆଉ ୯୧,୭୯୫ଟି ସାକ୍ଷାତକାରର ତଥ୍ୟକୁ ମଧ୍ୟ ସର୍ଭେର ଫଳାଫଳ ପ୍ରସ୍ତୁତିରେ ବ୍ୟବହାର କରାଯାଇଛି।

ଦୀପକେଙ୍କ ୧.୩ ପ୍ରତିଶତ ସମର୍ଥନ ପ୍ରମୁଖ ଦାବିଦାରଙ୍କ ତୁଳନାରେ ନିଶ୍ଚିତ ଭାବେ କମ୍। କିନ୍ତୁ ମାତ୍ର କିଛି ମାସ ମଧ୍ୟରେ ଏକ ବ୍ୟଙ୍ଗାତ୍ମକ ‘ପାର୍ଟି’ରୁ ଯୁବପିଢ଼ିର ଚାପ ସୃଷ୍ଟିକାରୀ ଆନ୍ଦୋଳନର ଚେହେରା ହୋଇଥିବା ଦୀପକେଙ୍କ କେଜ୍ରିୱାଲଙ୍କୁ ପଛରେ ପକାଇବା ଏହି ସର୍ଭେର ସବୁଠାରୁ ଚର୍ଚ୍ଚିତ ଦିଗ ଭାବେ ସାମ୍ନାକୁ ଆସିଛି।