ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଧୁରି ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ ଜେଲରେ ଥିବା ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କୁ ଲୁଧିଆନାରୁ ପ୍ରାର୍ଥୀ କରାଯାଇଛି। ବର୍ତ୍ତମାନ ବିଧାୟକ ଥିବା ୪୦ ଜଣଙ୍କ ନାଁ ମଧ୍ୟ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛି।

ମୁଖ୍ୟମନ୍ତ୍ରୀ ଭଗୱନ୍ତମାନଙ୍କୁ ପ୍ରାର୍ଥୀ କରାଯାଇଥିବା ଧୁରି ଆସନ ଆମ ଆଦମୀ ପାର୍ଟିର ଗଡ଼ ବୋଲି କୁହାଯାଏ। ୨୦୨୨ ନିର୍ବାଚନରେ ଶ୍ରୀ ମାନ ଏହି ଆସନରୁ ଏକ ବଡ଼ ବିଜୟ ହାସଲ କରିଥିଲେ। କଂଗ୍ରେସର ଦଲବୀର ସିଂହ ଗୋଲ୍ଡୀଙ୍କୁ ସେ ୫୮ ହଜାର ଭୋଟରେ ହରାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ନିକଟରେ ହୋଇଥିବା ଧୁରୀ ପୌର ନିର୍ବାଚନରେ ଆପ୍ ମୋଟ ୨୧ ଆସନରୁ ୨୦ଟି ରେ ବିଜୟ ଲାଭ କରିଛି। ତେଣୁ ଏହି ନିର୍ବାଚନ ମଣ୍ଡଳୀ ଆପର ଏକ ମଜଭୁତ ଗଡ଼ ବୋଲି ବିଚାର କରାଯାଏ।

ମିଳିଥିବା ସୂଚନା ଅନୁସାରେ ଭଗୱନ୍ତମାନ ନିଜେ ଧୁରି ଆସନରୁ ନିର୍ବାଚନ ଲଢ଼ିବାକୁ ଚାହିଁଥିଲେ। କାରଣ ସେ ୨୦୨୭ ନିର୍ବାଚନ ପାଇଁ ଘର ଘର ବୋଲି ପ୍ରଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ସେପ୍ଟେମ୍ବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ମାନ ପଞ୍ଜାବର ପ୍ରତ୍ୟେକ ଘର ଯାଇ ପ୍ରଚାର ମଧ୍ୟ କରିଥିଲେ। ୨୦୨୨ ନିର୍ବାଚନରେ ଦଳ କରିଥିବା ସମସ୍ତ ଗ୍ୟାରେଣ୍ଟି ପୂରା କରିଛି। ମାଗଣା ବିଜୁଳି, ଉନ୍ନତ ସ୍କୁଲ ଏବଂ ଆମ ଆଦ୍‌ମୀ କ୍ଲିନିକ୍ସ ଖୋଲାଯାଇଛି। ପ୍ରତ୍ୟେକ ଲୋକ ମାସକୁ ୧୫ ହଜାର ଟଙ୍କା ସଞ୍ଚୟ କରିପାରୁଛନ୍ତି ବୋଲି ମାନ କହିଥିଲେ ।

ତେବେ ଏଥର ପଞ୍ଜାବର ଧୁରି ଆସନରେ ନିର୍ବାଚନ ଫାଇଟ ଖୁବ ଜମିପାରେ। କୁହାଯାଇଛି ଯେ ଅକାଳୀ ଦଳର(ୱାରିସ ଦି ପଞ୍ଜାବ)ର ମୁଖ୍ୟ ଅମ୍ରିତପାଲ ସିଂହ ଧୁରି ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ଖାଦୁର ସାହିବ ସହିତ ଧୁରିରୁ ନିର୍ବାଚନ ଲଢ଼ିବେ।

ଲୁଧିଆନାରୁ ଲଢ଼ିବେ ସଞ୍ଜୀବ

ଆମ ଆଦମୀ ପାର୍ଟି ସଞ୍ଜୀବ ଅରୋରାଙ୍କୁ ଲୁଧିଆନା ୱେଷ୍ଟରୁ ପ୍ରାର୍ଥୀ କରିଛି। ଅରୋରା ୨୦୨୫ ଉପନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ୨୦୨୨ ମସିହାରେ ଆପର ଗୁରପ୍ରୀତ ସିଂହ ଗୋଗୀ କଂଗ୍ରେସ ହାତରୁ ଏହି ଆସନ ଛଡାଇ ଆଣି ବିଜୟୀ ହୋଇଥିଲେ। ହେଲେ ୨୦୨୫ ଉପନିର୍ବାଚନରେ ଅରୋରା କଂଗ୍ରେସର ଭାରତ ଭୂଷଣ ଆଶୁଙ୍କୁ ୧୦,୬୩୭ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

ସୂଚନା ଥାଉକି ୨୦୨୬ ମେ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳ(ଇଡି) ଆର୍ଥିକ ହେରେଫେର୍ ମାମଲାରେ ସଞ୍ଜୀବ ଅରୋରାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ୭ ଦିନ ପାଇଁ ଇଡି କଷ୍ଟୁଡିରେ ପଠାଇ ଦେଇଥିଲେ।

ଏହି ମାମଲାଟି ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ପଞ୍ଜିକୃତ ହୋଇଥିଲା। ଇଡିର ଅଭିଯୋଗ ଅନୁସାରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମୋବାଇଲ୍ ଫୋନ୍ର ନକଲି ଜିଏସଟି କ୍ରୟ ଏବଂ ପରବର୍ତ୍ତୀ ରପ୍ତାନି ମାମଲା ସହ ଜଡ଼ିତ। ଏହା ମାଧ୍ୟମରେ ଦୁବାଇରୁ ଭାରତକୁ ଅବୈଧ ପାଣ୍ଠି ପଠାଯାଉଥିଲା ବୋଲି ଇଡି ଅଭିଯୋଗ ଆଣିଛି।