ନୂଆଦିଲ୍ଲୀ: ଆଧାର କାର୍ଡ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏଣିକି ଆଧାର କାର୍ଡରେ ନିଜର ଇମେଲ୍ ଆଇଡି ଅପଡେଟ୍ ବା ସଂଶୋଧନ କରିବା ପାଇଁ ଆଉ ଆଧାର କେନ୍ଦ୍ରକୁ ଦୌଡ଼ିବାକୁ ପଡ଼ିବ ନାହିଁ। ବ୍ୟବହାରକାରୀମାନେ ଘରେ ବସି ନିଜ ମୋବାଇଲ୍ ଆପ୍ ଜରିଆରେ ହିଁ ଏହି କାମ ସହଜରେ କରିପାରିବେ। ପୂର୍ବରୁ ଆଧାର କାର୍ଡରେ ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ଆଇଡି ବଦଳାଇବା ପାଇଁ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ନିକଟସ୍ଥ ଆଧାର ସେବା କେନ୍ଦ୍ର କୁ ଯିବାକୁ ପଡ଼ୁଥିଲା, ଯେଉଁଠି ଲମ୍ବା ଲାଇନ୍‌ରେ ଠିଆ ହେବାକୁ ହେଉଥିଲା। କିନ୍ତୁ ବର୍ତ୍ତମାନ UIDAI ଏହି ପ୍ରକ୍ରିୟାକୁ ଅତି ସହଜ କରିଦେଇଛି। ବର୍ତ୍ତମାନ ଆପଣ ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ନିଜର ସଠିକ୍ ଇମେଲ୍ ଆଇଡି ଯୋଡ଼ିପାରିବେ କିମ୍ବା ପୁରୁଣା ଆଇଡିକୁ ବଦଳାଇ ପାରିବେ।

ଆଧାର କେନ୍ଦ୍ରକୁ ଯିବା, ସେଠାରେ ଫର୍ମ ପୂରଣ କରିବା ଏବଂ ଅପେକ୍ଷା କରିବା ଭଳି ସମସ୍ୟାରୁ ମୁକ୍ତି ମିଳିବ। ବ୍ୟବହାରକାରୀମାନେ ନିଜ ସମୟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ଏହି ଅପଡେଟ୍ ପ୍ରକ୍ରିୟା କରିପାରିବେ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁରକ୍ଷିତ, କାରଣ ଏହା ଓଟିପି ଯାଞ୍ଚ (Verification) ମାଧ୍ୟମରେ ହିଁ ହୋଇପାରିବ । 

କେମିତି କରିବେ ଇମେଲ୍‌ ଅପଡେଟ୍‌ ?
ପ୍ରଥମେ ନିଜ ମୋବାଇଲ୍‌ରେ ସରକାରୀ ଆଧାର ଆପ୍ଲିକେସନ୍ (mAadhaar App) କୁ ଓପନ୍ କରନ୍ତୁ କିମ୍ବା UIDAI ର ଅଫିସିଆଲ୍ ପୋର୍ଟାଲ୍‌କୁ ଯାଆନ୍ତୁ। ସେଠାରେ ଥିବା ଆଧାର ଅପଡେଟ୍ ସେବା ବିକଳ୍ପକୁ ଚୟନ କରନ୍ତୁ। ନିଜର ଆଧାର ସଂଖ୍ୟା ଏବଂ ସେଠାରେ ଦେଖାଯାଉଥିବା ସିକ୍ୟୁରିଟି କ୍ୟାପ୍ଚା କୋଡ୍ ପ୍ରବେଶ କରନ୍ତୁ। ଏହାପରେ ଆପଣ ଯେଉଁ ନୂଆ ଇମେଲ୍ ଆଇଡି ଯୋଡ଼ିବାକୁ ଚାହୁଁଛନ୍ତି, ତାହାକୁ ଟାଇପ୍ କରନ୍ତୁ। ଆପଣଙ୍କର ସେହି ନୂଆ ଇମେଲ୍ ଆଇଡି ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ। ସେହି ଓଟିପି କୁ ସଠିକ୍ ଭାବେ ଏଣ୍ଟର କରି ସବମିଟ୍ କରିବା ମାତ୍ରେ ଆପଣଙ୍କର ଇମେଲ୍ ଆଇଡି ଅପଡେଟ୍ ଅନୁରୋଧ ଗ୍ରହଣ ହୋଇଯିବ ଏବଂ କିଛି ଦିନ ମଧ୍ୟରେ ଏହା ସଫଳତାର ସହ ଅପଡେଟ୍ ହୋଇଯିବ।