ଢେଙ୍କାନାଳ: ବ୍ଲାକ୍ ଷ୍ଟୋନ ମାଇନ୍ସରେ ବିସ୍ଫୋରଣ ଯୋଗୁ ଅତଡ଼ା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଢେଙ୍କାନାଳ ନିହଲ ପ୍ରସାଦ ଥାନା ଅନ୍ତର୍ଗତ କଷ୍ଟିପାଳ ନିକଟରେ ଏହି ମେଟାଲ ଖଣି ବୋଲି ଜଣାପଡ଼ିଛି। ତେବେ ଅତଡ଼ା ତଳେ ଆହୁରି ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଏହି ଖଣିରେ ବିସ୍ପୋରଣ ବେଳେ ଏହି ଅଘଟଣ ଘଟିଛି।   ବିସ୍ପୋରଣ ବେଳେ ଖଣିରେ ପ୍ରାୟ ୧୫ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। ତେବେ ସଠିକ କେତେ ଜଣ ମୃତାହତ ହୋଇଛନ୍ତି ତାହା ଜଣ ନପଡ଼ିଥିଲେ ମଧ୍ୟ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ଜିଲ୍ଲା ପୋଲିସ ସୂଚନା ଦେଇଛି। ଗୁରୁତରମାନଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣାସ୍ଥଳରେ ଭୁବନ ଓ ନିହଲ ପ୍ରସାଦ ଥାନା ପୋଲିସ ଉପସ୍ଥିତ ରହିଛନ୍ତି।  ଉଦ୍ଧାର କାର୍ଯ୍ୟ ସରିବା ପରେ ହିଁ ମୃତାହତଙ୍କ ସଠିକ ତଥ୍ୟ ମିଳିପାରିବ। ତେବେ ରାତି ଅନ୍ଧକାର ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।