ପୁନେ ୨୪/୧୨: କଥାରେ ଅଛି ପିଲା ହେଉ ପଛେ ଦିବ୍ୟାଙ୍ଗ । ମାଆ ପାଖରେ ସେ ପୁନେଇଁର ଚାନ୍ଦ । ପିଲାଟି ଯେମିତି ବି ହେଉ ୧୦ ମାସ ୧୦ ଦିନ ଗର୍ଭରେ ଧରି  ଅନ୍ତ ଫାଡି ଜନ୍ମ କରିଥିବା ମାଆ କଣ କେବେ ହତାଦର କରିପାରେ । ନିଜକୁ କଷ୍ଟ ହେଲେ ବି ପିଲାଟି ଯେମିତି କଷ୍ଟ ନପାଇବ ସେଥିପାଇଁ ବେଶ ସଜାଗ ହୋଇପଡେ ମାଆଟି । ଯାହାକୁ ଦେଖିଲେ ଦେଖିଲା ଲୋକଙ୍କୁ ବି କଷ୍ଟ ହୁଏ । ଖୁସିରେ ଆଖିରେ ଲୁହ ଜକାଇ ଆସେ । ଯାହା ପାଖରେ ମାଆ ଅଛି ତାର ଆଉ କେହି ଦରକାର ନାହିଁ । ଏକଥାକୁ ପୁଣି ଥରେ ପ୍ରମାଣ କରୁଛି ଏ ଭିଜୁଆଲ ।

ଦିବ୍ୟାଙ୍ଗ ପୁଅ ପାଖରେ ଠିଆ ହୋଇଛନ୍ତି ଜଣେ ମାଆ । କେବଳ ଠିଆ ହୋଇନାହାନ୍ତି ପୁଅକୁ ମଞ୍ଚ ଉପରେ ଅଭିନୟ କରିବାକୁ ଉତ୍ସାହିତ କରୁଛନ୍ତି ।ପିଲାଟି ଛତ୍ରପତି ଶିବାଜୀଙ୍କ ବେଶ ହୋଇ ମଂଚ ଉପରକୁ ଆସିଥିଲା ।ତା ହାତ ଧରି ତାକୁ ବଳ ଦେଉଛନ୍ତି ମାଆ । କହୁଛନ୍ତି ଧନରେ ତୁ ଏକା ନୁହେଁ ତୋ ମାଆ ପରା ତ ପାଖରେ ଅଛି ତୁ ଭୟ କରନା । ଆଗକୁ ଆଗେଇ ଯାଆ ।ପିଲାଟିକୁ ସାହସ ଦେବା ସହ ଆତ୍ମବିଶ୍ବାସ ନେଇ ଆଗକୁ ବଢିବାକୁ ଉତ୍ସାହିତ କରୁଥିବାର ଏ ମୁହୂର୍ତ୍ତ ସମସ୍ତଙ୍କ ମନକୁ ଛୁଇଁଥିଲା ।ସମସ୍ତେ କହିଥିଲେ ସତରେ ମାଆର ଅବଦାନ ଅତୁଳନୀୟ । ମାଆ ପରି କିଏ ହୋଇପାରିବ ।

ଏଠି ମାଆର ଉପସ୍ଥିତି ଦେଖାଇଥିଲା କରାମତି । ପିଲାଟି ଭୟ ନକରି ମଞ୍ଚରେ ଆଗକୁ ବଢିଥିଲା । ଅନେକ ସମୟରେ ସ୍ବପ୍ନକୁ ଉଚ୍ଚ ଶବ୍ଦର ଆବଶ୍ୟକତା ପଡେନି । କେବଳ ଏକ ପ୍ରେମ ପୂର୍ଣ୍ଣ ସହଯୋଗ ଦରକାର । ଯାହା କୁହେ ତମେ ଏହା ନିଶ୍ଚୟ କରିପାରିବ । ଏ ଭିଡିଓଟି କେଉଁ ସ୍ଥାନର ଓ ମାଆ-ପୁଅଙ୍କ ପରିଚୟ ସେ ସଂପର୍କରେ କୌଣସି ସୂଚନା ନାହିଁ । ତେବେ ଇନଷ୍ଟାଗ୍ରାମରେ ଭିଡିଓଟି ଅପଲୋଡ ହୋଇଥିଲା ।ଭିଡିଓଟି ଦେଖୁ ଦେଖୁ ଲୋକେ ଲାଇକ,ସେୟାର ଓ କମେଣ୍ଟ ଦେବାକୁ ଆରମ୍ଭ କରିଦେଇଥିଲେ ।