ଭୁବନେଶ୍ବର ୨୪।୮: ଭେଜାଲ ଛେନା, ପନିର ପଛରେ ଏକ ବଡ଼ ରାକେଟ୍ କାମ କରୁଛି । ଏନେଇ ଗୃହ ବିଭାଗ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଗାମୀ ଦିନରେ ରାଜ୍ୟରେ ଚଢ଼ାଉ ଜୋରଦାର କରାଯିବ । ଯେଉଁଠାରେ ପନିର ତିଆରି ହେଉଛି ସେଠାରେ ମଧ୍ୟ ଚଢ଼ାଉ କରାଯିବ । ରାଜ୍ୟରେ ସୁସ୍ଥ ଖାଦ୍ୟର ବାତାବରଣ ତିଆରି କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Also Read:- ଲଘୁଚାପ ପ୍ରଭାବରେ ୯ ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା, ବୈତରଣୀରେ ଅଧିକ କ୍ଷୟକ୍ଷତି

ସେପଟେ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ରାଜଧାନୀରେ ନକଲି ଛେନା ଓ ପନିର ନେଇ ଜୋରଦାର ଯାଞ୍ଚ ହେଉଛି । ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବିଶେଷକରି କେମିକାଲ୍ ଓ ଅସ୍ୱାସ୍ଥ୍ୟକର ଉପାୟରେ ପ୍ରସ୍ତୁତ ପନିର ବିକ୍ରି ହେଉଛି କି ନାହିଁ, ତା’ ଉପରେ ଟିମ୍ର ନଜର ରହିଛି । CRP ଛକ ସମେତ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ମିଠା ଦୋକାନରେ ଯାଞ୍ଚ କରାଯାଉଛି ।

ମିଠା ପ୍ରସ୍ତୁତିରେ ବ୍ୟବହୃତ ଛେନା, ପନିର ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ । ନିୟମ ଉଲ୍ଲଂଘନ କିମ୍ବା ନିମ୍ନମାନର ସାମଗ୍ରୀ ମିଳିଲେ ନମୁନା ସଂଗ୍ରହ ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ମିଳିଛି । ପାର୍ବଣ ସମୟରେ ମିଠାର ଚାହିଦା ବଢ଼ୁଥିବାରୁ ନକଲି ଛେନା ଓ ପନିରର କାରବାର ଉପରେ ରୋକ୍ ଲଗାଇବାକୁ ଏହି ଚଢ଼ାଉ ଜାରି ରହିଛି । ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଛି BMC ।

Watch Video: