କାମାକ୍ଷାନଗର ୧୦।୭: ଘର ଆଗରେ ଖେଳୁଥିଲେ, ମିଳୁନି ଛାତ୍ରଙ୍କ ପତ୍ତା । କୁଆଡେ ପଳାଇଲେ କେହି ପାଇନାହାନ୍ତି ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସପ୍ତମ ଶ୍ରେଣୀ ଛାତ୍ର ବିଷ୍ଣୁ ପ୍ରସାଦ ବରାଳ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଛି ।

ଶୁକ୍ରବାର ସକାଳେ ବିଷ୍ଣୁପ୍ରସାଦ ରାମ ମନ୍ଦିର ପଛ ପାଖରେ ଥିବା ନିଜ ଘର ସମ୍ମୁଖରେ ଦାନ୍ତ ଘସୁଥିବା ବେଳେ କେଉଁ ଆଡେ ଚାଲି ଯାଇଥିଲେ । ଏ ନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ବିଷ୍ଣୁ ପ୍ରସାଦଙ୍କ କୌଣସି ସନ୍ଧାନ ପାଇ ପାରିନାହାନ୍ତି ।

Also Read:- ଭିଜିଲାନ୍ସ ପଞ୍ଝାରେ ବଡସାହି ବ୍ଲକ୍ କନିଷ୍ଠ ଯନ୍ତ୍ରୀ, ଠିକାଦାରଙ୍କ ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ

ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ କିଛି ଦିନ ତଳେ କାମାକ୍ଷାନଗର ଶିଶୁ ବିଦ୍ୟା ମନ୍ଦିରରେ ପ୍ରାର୍ଥନା କ୍ଲାସ ଚାଲିଥିବା ବେଳେ ପିଲାଙ୍କ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା । ଗୁରୁଜୀ ବିଷ୍ଣୁଙ୍କୁ ଠିଆ ହେବାକୁ କହିଥିଲେ । ମାତ୍ର ବିଷ୍ଣୁ ପ୍ରସାଦ ଗୁରୁଜୀଙ୍କ କଥା ମାନି ନଥିଲେ। ଯାହାକୁ ନେଇ ଶିଶୁ ମନ୍ଦିର ପକ୍ଷରୁ ଗୁରୁବାର ଅଭିଭାବକଙ୍କୁ ଅବଗତ କରାଯାଇଥିଲା। ଏ ନେଇ ବିଷ୍ଣୁ ପ୍ରସାଦଙ୍କ ମାଆ ମଧ୍ୟ ଗୁରୁଜୀଙ୍କୁ ଭୁଲ ମାଗିବା ପାଇଁ ପୁଅକୁ କହିଥିଲେ । ମାତ୍ର ବିଷ୍ଣୁ ପ୍ରସାଦ କହିଥିଲେ, ମୁଁ ଭୁଲ କରିନାହିଁ କି ଭୁଲ ମାଗିବି ନାହିଁ । ଯାହାକୁ ନେଇ ଶୁକ୍ରବାର ସକାଳୁ ସେ କେଉଁଆଡେ ଚାଲିଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଏ ନେଇ କାମାକ୍ଷାନଗର ଥାନାରେ ବିଷ୍ଣୁଙ୍କ ବାପା ପ୍ରକାଶ ବରାଳ ଅଭିଯୋଗ କରିବା ପରେ ପୋଲିସ ଖୋଜାଖୋଜି ଆରମ୍ଭ କରି ଦେଇଛି ।