ବାରିପଦା: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ୩୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ବିଭାଗ। ଲାଞ୍ଚୁଆ ଯନ୍ତ୍ରୀ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ସୁଶୀଲ ସିଂ। ବର୍ତ୍ତମାନ ଯନ୍ତ୍ରୀଙ୍କୁ ଅଟକ ରଖାଯାଇଥିବା ବେଳେ, ଭିଜିଲାନ୍ସ ବ୍ଲକ କାର୍ଯ୍ୟାଳୟରେ ତଦନ୍ତ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ, ଠିକାଦାରଙ୍କ ଠାରୁ ୫ଲକ୍ଷ ଟଙ୍କାର ବିଲ୍ ପାସ୍ କରିଦେବା ପାଇଁ ଲାଞ୍ଚ ନେଉଥିଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ସୁଶୀଲ ସିଂ। ଅଭିଯୋଗ ଅନୁସାରେ, ବଡ଼ସାହି ବ୍ଲକ୍ ଅଧିନରେ ଥିବା ଟଙ୍ଗାଶୋଳ ପଞ୍ଚାୟତର ଲେମ୍ବୁସାହିଠାରୁ କେନ୍ଦୁଆ ପର୍ଯ୍ଯନ୍ତ ୫ ଲକ୍ଷ ଟଙ୍କା ଅଟକଳ ମୂଲ୍ଯ ଏକ ମେଟାଲ୍ ମୋରମ୍ ରାସ୍ତା କାର୍ଯ୍ଯ ପାଇଁ କନିଷ୍ଠ ଯନ୍ତ୍ରୀ ସୁସିଲ୍ ସିଂ ୩୨ ହଜାର ଟଙ୍କା ପିସି ମାଗୁଥିଲେ। ହେଲେ ଠିକାଦାର ଏନେଇ ଭିଜିଲାନ୍ସରେ ଫେରାଦ ହୋଇଥିଲା। ଆଉ ପୂର୍ବ ଯୋଜନା ମୁତାବକ କନିଷ୍ଠ ଲାଞ୍ଚ ନେବା ବେଳେ ବ୍ଲକ୍ କାର୍ଯ୍ଯାଳୟରେ ମାଡ଼ିବସିଥିଲା ବାରିପଦା ଭିଜିଲାନ୍ସ ।

ବର୍ତ୍ତମାନ ତାଙ୍କୁ ବଡ଼ସାହି ବ୍ଲକ ଅଫିସରେ ପ୍ରାରମ୍ଭିକ ଜେରା ପରେ ବାରିପଦା ଭିଜିଲାନ୍ସ ଅଫିସକୁ ଅଣାଯାଇଛି। ଏହା ସହ ବାରିପଦା ଭଡ଼ାଘର, ପୁରୁଣିଆ ସ୍ଥିତ ନିଜ ବାସଭବନରେ ଚଢ଼ାଉ ଓ ଯାଞ୍ଚ ପରେ ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ଅରୁଣ ନାୟକ।