ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗ (8th Pay Commission)କୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଚେନ୍ନାଇ ଓ ପୁଡୁଚେରୀରେ ୮ମ ବେତନ ଆୟୋଗର ୩ ଦିନିଆ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ସେପ୍ଟେମ୍ବର ୭ ଓ ୮ ତାରିଖରେ ଚେନ୍ନାଇ ଏବଂ ୯ ସେପ୍ଟେମ୍ବରରେ ଆୟୋଗର ଟିମ୍ ପୁଡୁଚେରୀରେ କର୍ମଚାରୀ ସଂଗଠନ ଓ ପେନସନଭୋଗୀଙ୍କ ସହ ଆଲୋଚନା କରୁଛନ୍ତି। ଏହି ବୈଠକରେ ଦରମା, ପେନସନ, ଫିଟମେଣ୍ଟ ଫ୍ୟାକ୍ଟର, ମହଙ୍ଗା ଭତ୍ତା (DA) ଏବଂ ବାର୍ଷିକ ଇନକ୍ରିମେଣ୍ଟ ଉପରେ ଚର୍ଚ୍ଚା ହେଉଥିବାରୁ ସମସ୍ତ କର୍ମଚାରୀଙ୍କ ନଜର ଏହା ଉପରେ ରହିଛି।

ବାର୍ଷିକ ଇନକ୍ରିମେଣ୍ଟ ୩%ରୁ ୭%କୁ ବଢ଼ାଇବାକୁ ଦାବି

ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରତିବର୍ଷ ୩% ବାର୍ଷିକ ଇନକ୍ରିମେଣ୍ଟ (Annual Increment) ମିଳୁଛି। କିନ୍ତୁ ବଢୁଥିବା ଦରବୃଦ୍ଧିକୁ ଦୃଷ୍ଟିରେ ରଖି କର୍ମଚାରୀ ସଂଗଠନଗୁଡ଼ିକ ଏହାକୁ ୫%ରୁ ୭% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି କରୁଛନ୍ତି। NC-JCM, AIDEF ଏବଂ FNPO ଭଳି ବଡ଼ ସଂଗଠନ ୬% ଇନକ୍ରିମେଣ୍ଟ ପାଇଁ ସୁପାରିଶ କରିଥିବା ବେଳେ AINPSEF ସବୁଠାରୁ ଅଧିକ ଅର୍ଥାତ୍ ୭% ବାର୍ଷିକ ଦରମା ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛି। କର୍ମଚାରୀଙ୍କ ଯୁକ୍ତି ହେଉଛି ଯେ, ପୁରୁଣା ୩% ହାରରେ ବେସିକ୍ ପେ’ (Basic Pay) ସେଭଳି ବଢ଼ିପାରୁନାହିଁ, ଯେମିତି ମହଙ୍ଗା ମାଡ଼ ବଢୁଛି।

୭% ଇନକ୍ରିମେଣ୍ଟ ମିଳିଲେ କେମିତି ହେବ ଲାଭ ?

ବାର୍ଷିକ ଇନକ୍ରିମେଣ୍ଟର ପ୍ରଭାବ ଦୀର୍ଘକାଳୀନ ଭିତ୍ତିରେ ବହୁତ ବଡ଼ ହୋଇଥାଏ। ଉଦାହରଣସ୍ବରୂପ ଯଦି ୭ମ ବେତନ ଆୟୋଗ ଅନୁଯାୟୀ ଜଣେ ଲେଭଲ-୮ କର୍ମଚାରୀଙ୍କ ମୂଳ ଦରମା (Basic Pay) ୪୭,୬୦୦ ଟଙ୍କା ଅଛି। ଆଉ ଯଦି ୮ମ ବେତନ ଆୟୋଗରେ ୨.୧୫ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ ହୁଏ, ତେବେ ପ୍ରାରମ୍ଭିକ ବେସିକ୍ ପେ’ ୧,୦୨,୩୪୦ ଟଙ୍କା ହୋଇଯିବ।

ତେଣୁ ୩% ଇନକ୍ରିମେଣ୍ଟ ମିଳିଲେ ୧୦ ବର୍ଷ ମଧ୍ୟରେ ମାସିକ ବେସିକ୍ ପେ’ ବଢ଼ି ପ୍ରାୟ ୧.୩୪ ଲକ୍ଷ ଟଙ୍କା ହେବ। ସେହିଭଳି ୭% ଇନକ୍ରିମେଣ୍ଟ ମିଳିଲେ ଏହି ମାସିକ ବେସିକ୍ ପେ’ ବଢ଼ି ପ୍ରାୟ ୧.୮୮ ଲକ୍ଷ ଟଙ୍କାରେ ପହଞ୍ଚିଯିବ। ଏହି ହିସାବରେ ଦେଖିଲେ, ୧୦ ବର୍ଷ ମଧ୍ୟରେ କର୍ମଚାରୀଙ୍କୁ ମୋଟ୍ ଉପରେ ପ୍ରାୟ ୨୮.୮୯ ଲକ୍ଷ ଟଙ୍କା (ପ୍ରାୟ ୨୯ ଲକ୍ଷ) ଅଧିକ ମୂଳ ଦରମା ମିଳିବ ।

Also Read: ଅଟଳ ପେନ୍‌ସନ୍‌ ଯୋଜନାରେ ରଖନ୍ତୁ ଏତିକି ଟଙ୍କା ୬୦ ବର୍ଷ ପରେ ହୋଇଯିବେ ମାଲାମାଲ 

ଏହି ୨୯ ଲକ୍ଷ ଟଙ୍କା କ୍ୟାସ୍ ଆକାରରେ ଏକାଥରକେ ମିଳିବ କି ?

ନା, ଏହି ୨୯ ଲକ୍ଷ ଟଙ୍କା କୌଣସି ବୋନସ୍ ବା ଏକକାଳୀନ ନଗଦ ନୁହେଁ। ଏହା ହେଉଛି ୧୦ ବର୍ଷ ମଧ୍ୟରେ ମିଳିବାକୁ ଥିବା ମୋଟ୍ ବେସିକ୍ ପେ’ର ପାର୍ଥକ୍ୟ। ଏହା ବ୍ୟତୀତ ହାତକୁ ଆସୁଥିବା ଇନ୍-ହ୍ୟାଣ୍ଡ (Take-home) ଦରମାରରେ ମହଙ୍ଗା ଭତ୍ତା (DA), ଘରଭଡ଼ା ଭତ୍ତା (HRA), ଟ୍ରାଭେଲ ଆଲାଉନ୍ସ (TA) ଭଳି ଅନେକ ଜିନିଷ ଯୋଡ଼ି ହେବା ସହ ଟ୍ୟାକ୍ସ ଓ ପିଏଫ୍ ମଧ୍ୟ କଟିବ।

ସୂଚନାଯୋଗ୍ୟ, ସରକାର କିମ୍ବା ୮ମ ବେତନ ଆୟୋଗ ପକ୍ଷରୁ ଏପର୍ଯ୍ୟନ୍ତ ଫିଟମେଣ୍ଟ ଫ୍ୟାକ୍ଟର କିମ୍ବା ଇନକ୍ରିମେଣ୍ଟ ହାରକୁ ନେଇ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ। ବର୍ତ୍ତମାନ କେବଳ ସୁପାରିଶ ଓ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଆୟୋଗର ଚୂଡ଼ାନ୍ତ ରିପୋର୍ଟ ଆସିବା ଏବଂ ସରକାରଙ୍କ ମଞ୍ଜୁରୀ ମିଳିବା ପରେ ହିଁ କାହା ପକେଟକୁ କେତେ ଟଙ୍କା ଆସିବ, ତାହା ସ୍ପଷ୍ଟ ହେବ।