ଭୁବନେଶ୍ୱର, ୨୯/୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ' ଅନ୍ଧ୍ର ପ୍ରଦେଶରେ ବିନାଶ ରଚିଛି। ବୁଧବାର ଭୋର ୩ଟା ୩୦ରେ ଆନ୍ଧ୍ର ଉପକୂଳ ଛୁଇଁଥିଲା ବାତ୍ୟା । କାକିନାଡ଼ାର ଦକ୍ଷିଣ ଭାଗରେ ମାଡ଼ ହେବା ପରେ ଏହାର ପ୍ରଚଣ୍ଡ ପ୍ରଭାବରେ ଘଣ୍ଟା ପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ପଦନ ବହିବା ସହ ପ୍ରବଳ ବର୍ଷା ହୋଇଛି।

ବାତ୍ୟା ଯୋଗୁ ଆନ୍ଧ୍ର ପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ୩୧ଟି ଘର କ୍ଷତିଗ୍ରସ୍ତ ହୋଇଛି। ୭୬୪ ପ୍ରଭାବିତ ଗ୍ରାମର ୫୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଝଡ଼ ସୃଷ୍ଟି କରିଥିବା ଭୀଷଣ ବାତ୍ୟା ଯୋଗୁ ପ୍ରାୟ ୬୦ଟି ଟ୍ରେନ୍ ଏବଂ ବିଜୟୱାଡ଼ା-ବିଶାଖପାଟଣା ବିମାନବନ୍ଦରରେ ୨୧ଟି ବିମାନ ସେବା ବାତିଲ କରାଯାଇଛି।

Also Read :- ଫେଲ୍‌ ମାରିଲା ଗ୍ଲୋବାଲ ଫୋରକାଷ୍ଟ ! ଦୁଇ ସିଷ୍ଟମ୍‌ର ଟକ୍କର, ବଦଳିଗଲା ‘ଅର୍ଣ୍ଣବ’ର ଗତି

ବାତ୍ୟା ପ୍ରଭାବରେ ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାଇଛି। ପଳରେ ବିଶାଖାପାଟଣା, ବିଜୟନଗରମ, କାକିନାଡ଼ା ଓ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ବିଜୁଳି ସେବା ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ରାସ୍ତା ଧୋଇଯିବା ଯୋଗୁ ଗମନାଗମନ ପ୍ରଭାବିତ ହୋଇଛି। ବିଶାଖାପାଟଣା, ବିଜୟନଗରମ ଏବଂ ଶ୍ରୀକାକୁଳମରେ ପ୍ରବଳ ବର୍ଷା ଆଣିଛି ଅର୍ଣ୍ଣବ। ପାଣିପାଗ ବିଭାଗ ସୂଚନା ଅନୁସାରେ, ବିଶାଖାପାଟଣାରେ ବୁଧବାର ଭୋର ୩ଟା ସୁଦ୍ଧା ୨୦୦ ମିଲିମିଟରରୁ ଅଧିକ ବର୍ଷା ରେବର୍ଡ କରାଯାଇଛି। ଏହା ଜୁଲାଇ ମାସର ବୃଷ୍ଟିପାତ ତୁଳନାରେ ଦେଢ଼ଗୁଣା ଅଧିକ।

ଏଠାରେ ଜୁଲାଇରେ ୧୩୩ ମିମି ବର୍ଷା ହୋଇଥାଏ। ବିଜୟନଗରମରେ ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ବୁଡ଼ିଯାଇଛି। ଜିଲ୍ଲା ପ୍ରଶାସନ ହାଇ ଆଲର୍ଟ ମୋଡରେ ରହିଛି। ବାତ୍ୟାର ତାଣ୍ଡବଲୀଳା ମଧ୍ୟରେ ୩୯ ଏନଡିଆରଏଫ୍ ଓ ୮୦ ଏସଡିଆରଏଫ୍ ଟିମ୍ ବିଭିନ୍ନ ସ୍ଥାନରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଲାଗିଛନ୍ତି। ବିଶେଷକରି ଉପୁଡ଼ିଥିବା ଗଛଗୁଡ଼ିକୁ କାଢ଼ି ରାସ୍ତା ସଫା କରାଯାଉଛି। ଅତି ପ୍ରଭାବିତ ଉତ୍ତର ପୂର୍ବତଟ ଅଞ୍ଚଳରେ ଉଦ୍ଧାର କର୍ମୀଙ୍କୁ ପହଞ୍ଚାଇବା ଲାଗି ବାୟୁସେନା ତରଫରୁ ଏୟାରଲିଫ୍ଟ ବ୍ୟବସ୍ଥା କରାଯାଇଛି। ବାୟୁସେନା ବାତ୍ୟା ପ୍ରଭାବିତ ବିଜୟୱାଡ଼ାରେ ୨୩ ଟନ ରିଲିଫ ସାମଗ୍ରୀ ପହଞ୍ଚାଇଛି। ଏଥିପାଇଁ ୨ଟି ସି-୧୩୦ଜେ ବିମାନ ବ୍ୟବହାର କରାଯାଇଛି। ଆନ୍ଧ୍ରରେ ବିନାଶ ରଚିବା ପରେ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଆଡ଼କୁ ଏହା ଗତି କରିଥିବା ଜଣାପଡ଼ିଛି।

ଆନ୍ଧ୍ର ପ୍ରଦେଶର କୋନାସୀମା ଅଞ୍ଚଳରେ ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ଓ ଭାରୀ ବୃଷ୍ଟିପାତ ଯୋଗୁ ଅନେକ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟରେ ବାତ୍ୟା ଯୋଗୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହିତ କ୍ଷତି ଆକଳନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନାଇଡୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହିତ ଫୋନରେ କଥା ହୋଇ ବାତ୍ୟା ପ୍ରଭାବ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ଖୁବଶୀଘ୍ର କେନ୍ଦ୍ରୀୟ ଟିମ୍ ପଠାଇ କ୍ଷତି ଆକଳନ ସହିତ ରିଲିଫ, ପୁନର୍ବାସ ଓ ଥଇଥାନ କାର୍ଯ୍ୟ ନିମନ୍ତେ କେନ୍ଦ୍ର ତରଫରୁ ବିତ୍ତୀୟ ସହାୟତା ଲାଗି ଅନୁରୋଧ କରିଛନ୍ତି।

ବାତ୍ୟା ଯୋଗୁ ଆନ୍ଧ୍ର ଏବଂ ଓଡ଼ିଶା ସମେତ ୯ଟି ରାଜ୍ୟରେ ବର୍ଷା ଆଲର୍ଟ ଜାରି ହୋଇଛି। ତେଲଙ୍ଗାନା ଓ ଛତିଶଗଡ଼ରେ ଗୁରୁବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ପୂର୍ବ ମଧ୍ୟପ୍ରଦେଶ ଓ ବିଦର୍ଭରେ ବର୍ଷା ହେବା ଆଶଙ୍କା ରହିଛି। କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ଓ ବିହାରରେ ବର୍ଷା ଆଶଙ୍କା ରହିଛି। ଉତ୍ତରପ୍ରଦେଶର ପୂର୍ବ ଭାଗରେ ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।