ଭୁବନେଶ୍ୱର: ବଡ଼ ବାତ୍ୟାର ଆଶଙ୍କା, ଅତି ପ୍ରବଳ ବର୍ଷାର ପୂର୍ବାନୁମାନ। ହେଲେ ଓଡ଼ିଶାରେ ଆକଳନ ଅନୁସାରେ ଦେଖିବାକୁ ମିଳିଲାନି ‘ଅର୍ଣ୍ଣବ’ର ପ୍ରଭାବ। କେଉଁଠି ଗତି ମନ୍ଥର ହେଲା ତ କେଉଁଠି ଦୁର୍ବଳ ପଡ଼ିଗଲା ପାଣିପାଗ ପ୍ରଣାଳୀ। ପୂର୍ବାନୁମାନ ଓ ବାସ୍ତବ ବର୍ଷା ମଧ୍ୟରେ କାହିଁକି ଦେଖାଦେଲା ଏତେ ବଡ଼ ପାର୍ଥକ୍ୟ? ଏହା ପଛରେ ରହିଛି କି ଦୁଇଟି ପାଣିପାଗ ପ୍ରଣାଳୀର ପାରସ୍ପରିକ ପ୍ରଭାବ? ଆସନ୍ତୁ ଜାଣିବା।

ପ୍ରାରମ୍ଭରେ 'ଅର୍ଣ୍ଣବ'ର ଯେଉଁ ଗତିପଥ ଏବଂ ପୂର୍ବାନୁମାନ Model Forecast କରାଯାଇଥିଲା, ସେତେବେଳେ ତାମିଲନାଡୁ ପାଖରେ ସୃଷ୍ଟି ହୋଇଥିବା ଅନ୍ୟ ଏକ ସିଷ୍ଟମକୁ ସେତେଟା ଗୁରୁତ୍ୱ ଦିଆଯାଇ ନଥିଲା। ଆଶା କରାଯାଉଥିଲା ଯେ ସେହି ସିଷ୍ଟମଟି ଆରବ ସାଗର ଆଡକୁ ଯାଇ ଦୁର୍ବଳ ହୋଇଯିବ। କିନ୍ତୁ ଯେତେବେଳେ 'ଅର୍ଣ୍ଣବ' ଆଣ୍ଡମାନ ପାଖରୁ ଗତିକରି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଏବଂ ତା'ର ଗତିପଥ ଦକ୍ଷିଣ-ପଶ୍ଚିମ ଦିଗକୁ ରହିଲା, ସେତେବେଳେ ପରିସ୍ଥିତି ବଦଳିଗଲା।ଏହାକୁ ଏକ 'ବାଇନାରୀ ସିଷ୍ଟମ' କୁହାଯାଇପାରେ, ଯେଉଁଠାରେ ଦୁଇଟି ପାଣିପାଗ ପ୍ରଣାଳୀ ପରସ୍ପରର ନିକଟବର୍ତ୍ତୀ ହୋଇଥିଲେ।

ସାଧାରଣତଃ ଏକ ଶକ୍ତିଶାଳୀ ସିଷ୍ଟମ ଅନ୍ୟ ଏକ ଦୁର୍ବଳ ସିଷ୍ଟମକୁ ନିଜ ଆଡକୁ ଟାଣି ମର୍ଜ କରିଦେଇଥାଏ, କିନ୍ତୁ ଏଥର ସେଭଳି ମର୍ଜ ହେଲା ନାହିଁ। ତଥାପି, ଦୁଇଟି ସିଷ୍ଟମର ଅର୍ବିଟ୍ ମଧ୍ୟରେ ପାର୍ଥକ୍ୟ ଏବଂ ସେମାନଙ୍କର ପେରିଫେରାଲ୍ ୱିଣ୍ଡ୍ ପାର୍ଶ୍ୱବର୍ତ୍ତୀ ପବନ ପ୍ୟାଟର୍ନ ବିପରୀତମୁଖୀ ରହିବା କାରଣରୁ 'ଅର୍ଣ୍ଣବ'ର ଗତି ମନ୍ଥର ହୋଇଯାଇଥିଲା।ଓଡ଼ିଶାରେ 'ଅର୍ଣ୍ଣବ'ର ପ୍ରଭାବ କାହିଁକି କମ ରହିଲା? ମୁଖ୍ୟ କାରଣଗୁଡ଼ିକବାଇନାରୀ ସିଷ୍ଟମର ପ୍ରଭାବ ଏବଂ ସ୍ଥିର ଅବସ୍ଥା ତାମିଲନାଡୁ ପାଖରେ ଥିବା ସିଷ୍ଟମଟି ଦ୍ରୁତଗତିରେ ଉତ୍ତର ଦିଗକୁ ଅତିକ୍ରମ କରିଗଲା। ପଛରେ ଥିବା 'ଅର୍ଣ୍ଣବ'କୁ ଏହା ଟାଣି ରଖିବା ଯୋଗୁଁ 'ଅର୍ଣ୍ଣବ'ର ଆଗକୁ ବଢ଼ିବା ପ୍ରକ୍ରିୟା ବାଧାପ୍ରାପ୍ତ ହେଲା ଏବଂ ଏହା ସ୍ଥଳଭାଗ ନିକଟରେ ପ୍ରାୟ ସ୍ଥିର ହୋଇଗଲା।

ଶକ୍ତି ହ୍ରାସ ଏବଂ ଶୁଷ୍କ ପବନର ପ୍ରଭାବ ସମୁଦ୍ର କୂଳରେ ବା ସ୍ଥଳଭାଗ ପାଖରେ ବହୁ ସମୟ ଧରି ସ୍ଥିର ରହିବା କାରଣରୁ 'ଅର୍ଣ୍ଣବ'ର ଶକ୍ତି କ୍ଷୟ ହୋଇଗଲା। ତଳ ପାଣି ଉପରକୁ ଆସିବା ଏବଂ ସ୍ଥଳଭାଗର ଥଣ୍ଡା ଓ ଶୁଷ୍କ ପବନ ସଂସ୍ପର୍ଶରେ ଆସିବା ଯୋଗୁଁ ଏହା ଦ୍ରୁତଗତିରେ ଦୁର୍ବଳ ହୋଇଗଲା। ପୂର୍ବଘାଟ ପର୍ବତମାଳା ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବରେ ଅତିକ୍ରମ କରିବାରେ ପ୍ରତିବନ୍ଧକ ସାଜିଥିଲା।ପୂର୍ବାନୁମାନ ଏବଂ ପ୍ରକୃତ ବର୍ଷାରେ ପାର୍ଥକ୍ୟ ପୂର୍ବରୁ ଆକଳନ କରାଯାଇଥିଲା ଯେ 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ୧୨ରୁ ୧୮ ଘଣ୍ଟା ପର୍ଯ୍ୟନ୍ତ ନିଜର ତୀବ୍ରତା ବଜାୟ ରଖିବ ଏବଂ କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଆଦି ଜିଲ୍ଲାରେ ଅତି ପ୍ରବଳ ବର୍ଷା କରାଇବ। କିନ୍ତୁ ସିଷ୍ଟମଟି ଦୁର୍ବଳ ହୋଇଯିବା କାରଣରୁ ଗଞ୍ଜାମ, ଗଜପତି, ରାୟଗଡ଼ା, ଦକ୍ଷିଣ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ବର୍ଷା ସୀମିତ ରହିଲା।

ଆଜିର ପାଣିପାଗ ଓ ବର୍ଷାର ପରିସ୍ଥିତିବର୍ତ୍ତମାନ ଏହି ସିଷ୍ଟମଟି ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ ଆଡକୁ ଗତି କରିସାରିଛି। ଏହାର ପ୍ରଭାବରେ ଆଜି ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବାର ସମ୍ଭାବନା ରହିଛି।

ପବନର ବେଗ: ପଶ୍ଚିମ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ଏବଂ ଉପକୂଳ ଓଡ଼ିଶାରେ ୩୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ସତର୍କ ରହିବା ଜିଲ୍ଲାଗୁଡ଼ିକ ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଏବଂ ନୂଆପଡ଼ା ଆଦି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକରେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି।