ଭୁବନେଶ୍ୱର, ୨/୧୦ : ସାଢେ ୬ ଘଣ୍ଟା ଲାଗିଗଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବାକୁ। ସ୍ଥଳଭାଗକୁ ପ୍ରବେଶ ପରେ ବି ବହୁ ଅଧିକ ସମୟ ଧରି ରହିଲା ଆନ୍ଧ୍ର ଉପକୂଳରେ । ସିଧା ମାଡ଼ ନ ହେଲେ ବି ଲଗାଣ ବର୍ଷା, ଅଳ୍ପ ପବନରେ ଦକ୍ଷିଣ ଓ ଉପକୂଳ ଓଡ଼ିଶା ପ୍ରଭାବିତ ହୋଇଛି। ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ପୁରୀରେ ସର୍ବଧିକ ପ୍ରକୋପ ରହିଛି। ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଭୂସ୍ଖଳନ ସହ କେତେକ ନଦୀ ଜଳସ୍ତର ଫୁଲିଛି। ଦକ୍ଷିଣ ଓଡ଼ିଶାରେ ପବନ ବେଗ ପ୍ରାୟ ୮୪ କିମି ପର୍ଯ୍ୟନ୍ତ ଯାଇଥିଲା । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି।

Also Read :- ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଅଞ୍ଚଳରେ ODRAFର ବ୍ୟାପକ ଉଦ୍ଧାର, ଜନଜୀବନ ସୁରକ୍ଷା ଓ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାରକୁ ଗୁରୁତ୍ୱ

ଲ୍ୟାଣ୍ଡଫଲ୍ ସମୟରେ ୧୨୫-୧୩୫ ଓ ଝଟକା ପବନ ପ୍ରାୟ ୧୫୦ କିମି ପର୍ଯ୍ୟନ୍ତ ରହିଥିଲା। ଏହାପରେ ପ୍ରକୋପ କମି ଅତି ଭୀଷଣର ଭୀଷଣ ବାତ୍ୟା ରୂପ ନେଲା । ସନ୍ଧ୍ୟାବେଳକୁ ଏହା ବାତ୍ୟାରେ ପରିଣତ ହୋଇଥିବାବେଳେ ପବନ ପ୍ରକ୍ଷେପ ୮୦-୯୦ କିମି ଥିଲା । ଝଟକା ପବନ ବେଗ ୧୦୦ କିମି ପର୍ଯ୍ୟନ୍ତ ରହିଥିଲା । ଆଉ କିଛି ଘଣ୍ଟା ଭିତରେ ଗଭୀର ଅବପାତ ରୂପ ନେବା ସହ ସକାଳକୁ ଅବପାତରେ ପରିଣତ ହୋଇ ପରବର୍ତ୍ତୀ ସମୟରେ ଲଘୁଚାପ ରୂପ ନେବ।

ବୁଧବାର ବିଳମ୍ବିତ ରାତିରୁ ଗୁରୁଦାର ସକାଳ ଭିତରେ ଛତିଶଗଡ଼ ନିକଟବର୍ତ୍ତୀ ମଲକାନଗିରି ସମେତ ଦକ୍ଷିଣ ଓଡ଼ିଶା ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ପବନ ପ୍ରକୋପ ବି ରହିପାରେ। ଅର୍ଣ୍ଣବ କ୍ରମଶଃ ଦୁର୍ବନ ହୋଇ ଗୁରୁବାରକୁ ଅବପାତ ରୂପ ନେଇପାରେ । ଗୁରୁବାର ଛତିଶଗଡ଼ ସଂଲଗ୍ନ ପଶ୍ଚିମ ଓଡ଼ିଶା ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷ ସମ୍ଭାବନା ଅଛି।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମତି) ଆକଳନ କରିଛି, ଗୁରୁବାର ଅନେକ ସ୍ଥାନରେ ବର୍ଷା ହୋଇପରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ରେ ପ୍ରବଳରୁ ଅତି ଭୀଷଣ ବର୍ଷା ସାଙ୍ଗକୁ ୪୦-୫୦ କିମି ବେଗରେ ପବନ ଆଣଙ୍କା ଅଛି I ପବନ ଝଟକା ୬୦ କିମି ଭିତରେ ରହିପାରେ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ଦେବଗଡ଼ରେ ପ୍ରବଳ ବର୍ଷା ସହ ୩୦-୪୦ ପବନ ରହିପାରେ। ଝଟକା ପବନ ୫୦ କିମି ଛୁଇଁପାରେ। ୩୦ରୁ ବର୍ଷା ପ୍ରକୋପ କମିଯିବ।

ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହ ବିଳମ୍ବିତ ରାତିରୁ ଗଞ୍ଜାମ, ଗଜପତିରେ ବର୍ଷା, ପବନ ବଢ଼ିଥିଲା। ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ରେଗେଡିସିଂ ପାହାଡ଼ରୁ ମାଟି ଅତଡ଼ା ଖସି ଗାଁ ଭିତରକୁ ଧସେଇ ପଡ଼ିଲା। ଏଥିରେ ଗାଁର ମୁଖ୍ୟ ରାସ୍ତା ବନ୍ଦ ହୋଇଛି। ବହୁ ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରି ଯିବା ବାଟରେ କଇଁପୁର- ବୁରୁଖୁତ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। କଇଁପୁର ପଞ୍ଚାୟତ ଓଡ଼ାଲିଙ୍ଗ ଗ୍ରାମ ତଳ ସାହିରେ ଗଛ ପଡ଼ି ବିଦ୍ୟୁତ୍ ତାର ଛିଣ୍ଡିଯାଇଛି । ଗଣ୍ଡାହାତୀ ପଞ୍ଚାୟତ କାର୍ଯ୍ୟାଳୟ କୋଠା ଉପରେ ଏକ ବିରାଟ ଗଛ ଭାଙ୍ଗି ପଡ଼ିଛି।

ଗଞ୍ଜାମରେ ଦିନ ତମାମ ବର୍ଷା ଲାଗି ରହିଥିଲା। ରାତିରେ ବି ବର୍ଷା, ପବନ ଥିଲା। ଗୋପାଳପୁରରେ ଝଟକା ପବନ ବେଗ ଘଣ୍ଟା ପ୍ରତି ୮୪ କିମି ପର୍ଯ୍ୟନ୍ତ ଯାଇଥିଲା। ଗଛ ଉପୁଡ଼ି ପଡ଼ିବାରୁ ମାଗୁରା, ଜଗମୋହନ, ନନ୍ଦିଗୋର, ଜାହାଡା ଦେଇ ସୋରଡା-ଆସିକା ରାସ୍ତା ଅବରୋଧ ହୋଇଥିଲା। ତପ୍ତପାଣି ଘାଟି ରାସ୍ତା ଜଳାର୍ଣ୍ଣବ ହୋଇଛି। ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଚାଲିଥିଲା। ରାୟଗଡ଼ା ଜିଲ୍ଲା ପଦ୍ମପୁର ବୃକ୍ ମୁଟୁକୁଣିର ୪୮ ପରିବାରକୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ରାୟଗଡ଼ା ବ୍ଳକର ତାମଲବାଇ, ବିଷମକଟକ ବ୍ଳକର ବେଥୁଆପଡ଼ା ଓ ରାମନାଗୁଡ଼ାରେ କେତେକ ଘର ଭାଙ୍ଗିଛି।ହରଭଙ୍ଗୀ ଜଳଭଣ୍ଡାରର ୫ ଓ ୬ ନମ୍ବର ରେଡିଆଲ ଗେଟକୁ ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଖୋଲି ପାଣି ଛଡ଼ାଯଇଛି। କୋରାପୁଟ-ରାୟଗଡ଼ା ୩୨୬ ଏନଏଚରେ ଘୋଡ଼ାବନ୍ଧ ବ୍ରିଜ୍ ରାସ୍ତା ଧସିଯାଇଛି। ନବରଙ୍ଗପୁରର ଉମରକୋଟରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି।

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିବାବେଳେ ଲକ୍ଷ୍ମୀପୂଜା ତୋରଣ ଭାଙ୍ଗିଛି। ଭଦ୍ରକରେ ପ୍ରବଳ ବର୍ଷା ଯୋଗୁ ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ନୂଆପଡ଼ାରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବାବେଳେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝରରେ ବି ପ୍ରଭାବ ପଡ଼ିଛି।