ଉଦଳା ୨।୧୧: ବେପରୁଆ ଭାବେ ଦ୍ରୁତ ଗତିରେ ଆସିଲା, ଆଉ ଦୁଇଟି ଅଟୋକୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ୮ରୁ ଅଧିକ ହେଲେ ଗୁରୁତର । ଏଭଳି ଘଟଣା ଘଟିଛି ଉଦଳା ଥାନା ବିସିପୁର ଛକ ନିକଟରେ ।

ମୟୁରଭଞ୍ଜ ଜିଲ୍ଲା ଉଦଳା ବୈରାଟପୁର ଅଞ୍ଚଳରୁ ପୂଜା ସାରି ଦୁଇ ଗୋଟି ଅଟୋରେ ୧୩ ଜଣ ପରିବାର ସଦସ୍ୟ ବାରିପଦା ଅଭିମୁଖେ ଫେରୁଥିଲେ । ହେଲେ ବିସିପୁର ଛକ ନିକଟରେ ଦ୍ରୁତ ଗତିରେ ବେପରୁଆ ଭାବେ ଆସୁଥିବା ଏକ କାର ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଦୁଇଟି ଅଟୋରେ ଥିବା ଲୋକେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Also Read:-ଭିଜିଲାନ୍ସର ବଡ଼ ଆକ୍ସନ, ୫ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ରେଳ ପ୍ରକଳ୍ପର ଜମି ଅଧିଗ୍ରହଣ ଅଧିକାରୀ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା, ୫ ଜଣ ମହିଳା ରହିଛନ୍ତି । ଦୁର୍ଘଟଣା ଘଟାଇଥିବା କାର୍ ଚାଳକ ଉଦଳା ନିର୍ବାଚନ ମଣ୍ଡଳୀ ସାଧାରଣ ସମ୍ପାଦକ ବୋଲି ଜଣାପଡିଛି । ସେପଟେ ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡି ଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସେପଟେ, ସାମ୍ନାକୁ ଆସିଲା ସିରିଜ୍ ଦୁର୍ଘଟଣାର ସିସିଟିଭି ଫୁଟେଜ । ସିସିଟିଭି ଫୁଟେଜରେ କଏଦ ହୋଇଛି ଦୁର୍ଘଟଣାର ଛାତିଥରା ଦୃଶ୍ୟ । ଗୋଟିଏ ଅଟୋ ପାଖ ଦେଇ ଆଉ ଗୋଟିଏ ଅଟୋ ଆଗକୁ ଯାଉଥିବା ବେଳେ ସାମ୍ନାରୁ ଆସି ମୁହାଁମୁହିଁ ପିଟିଲା କାର୍ । ସିସିଟିଭି ଭିଜୁଆଲ ହିଁ ବୟାନ କରୁଛି କାର୍ ଚାଳକ କିଭଳି ଆସି ଦୁଇ ଅଟୋକୁ ପିଟିଛନ୍ତି ।