କରଞ୍ଜିଆ: ରାଜ୍ୟକୁ ସବୁଜ ସୁନ୍ଦର କରିବା ପାଇଁ ସରକାର ଏକ ବଡ଼ ସଙ୍କଳ୍ପ ନେଇଛନ୍ତି । ଚଳିତ ବର୍ଷ ସାରା ଓଡ଼ିଶାରେ ପାଖାପାଖି ୮ କୋଟିରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିସହିତ ପରିବେଶର ସୁରକ୍ଷା ପାଇଁ ରାଜ୍ୟର ପ୍ରତ୍ୟେକ ନାଗରିକ ଅତିକମରେ ୧୦ଟି ଲେଖାଏଁ ଗଛ ଲଗାଇବାକୁ ନିବେଦନ କରିଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ।

ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବର୍ତ୍ତମାନ ୭୭ ତମ ବନମହୋତ୍ସବ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଅନ୍ତର୍ଗତ ଯଶିପୁର ରାମତୀର୍ଥ ନିକଟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ନିଜେ ବୃକ୍ଷରୋପଣ କରି ଏହି ସବୁଜ ଅଭିଯାନର ଶୁଭାରମ୍ଭ କରିଥିଲେ ।

ରାମତୀର୍ଥଠାରେ ଆୟୋଜିତ ଏହି ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ କଲେଜର ଶତାଧିକ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଏବଂ ଜନସାଧାରଣ ଉତ୍ସାହର ସହ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ସହ ପ୍ରକୃତିର ସୁରକ୍ଷା ପାଇଁ ସଙ୍କଳ୍ପ ବଦ୍ଧ ହୋଇଥିଲେ ।