କଳାହାଣ୍ଡି ୨୧।୦୪ : ମଧ୍ୟପ୍ରାଚ୍ୟରେ ଲାଗିରହିଛି ଉତ୍ତେଜନା । ଯେଉଁଥି ଲାଗି ଗ୍ୟାସ୍ ବଣ୍ଟନରେ ସାମାନ୍ୟ ଅସୁବିଧା ହେଉଛି । ଏପିରିକି ଲୋକଙ୍କ ଯେଉଁ ସମୟରେ ଗ୍ୟାସ୍ ସିଲିଣ୍ଡର ମିଳିବା କଥା, ସେହି ସମୟରେ ମିଳୁନାହିଁ । ଏକପ୍ରକାର ଗ୍ୟାସ୍ ସଙ୍କଟ ଦେଖାଦେଇଛି । ଏସବୁ ଭିତରେ ୬୪ଟି କର୍ମସିଆଲ୍ ଗ୍ୟାସ୍ ସିଲିଣ୍ଡର ଜବତ ହୋଇଛି ।

ଖବର ଅନୁଯାୟୀ, ଯୋଗାଣ ବିଭାଗ ଏବଂ ପୋଲିସ ମିଳିତ ଭାବେ ଚଢାଉ କରିଥିଲା । ଏହି ଚଢାଉରେ ଏକ ପିକ୍ ଅପ୍ ଗାଡ଼ି ସହ ୬୪ ଗ୍ୟାସ୍ ସିଲିଣ୍ଡର ଜବତ ହୋଇଛି । ଏହାସହିତ ଜଣଙ୍କୁ ଅଟକ ରଖିଛି ପୋଲିସ । ଭବାନୀପାଟଣାଠାରୁ ରାୟପୁରକୁ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଜୁନାଗଡ଼ କଳମପୁର ଛକ ନିକଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ସମୟରେ ଧରାପଡିଥିଲା l ପିକଅପ ଗାଡ଼ିରେ ୬୪ଟି ସିଲିଣ୍ଡର ମଧ୍ୟରୁ ୫୨ଟି ଭର୍ତ୍ତି ଗ୍ୟାସ ସିଲିଣ୍ଡର ଏବଂ ୧୨ଟି ଖାଲି ସିଲିଣ୍ଡର ଜବତ କରିଥିବା ଜୁନାଗଡ଼ ପୋଲିସ ସୂଚନା ଦେଇଛି l

Also Read:-ପଡ଼ିଲାନି ଦର ବୃଦ୍ଧିର ଇଫେକ୍ଟ, ଅକ୍ଷୟ ତୃତୀୟାରେ ବୋହିନେଲେ ୨ ଶହ କୋଟିର ସୁନା !

ତେବେ ଏତେ ପରିମାଣର ଗ୍ୟାସ ସିଲିଣ୍ଡର କେଉଁ ସ୍ଥାନରୁ ଆସିଲା । ଏବଂ ଏହାକୁ କାହା ଅନୁମତିରେ ଚାଲାଣ କରାଯାଉଥିଲା । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି । ସେହିପରି ଅଟକ ଥିବା ଯୁବକକୁ ଜେରା କରୁଛି ପୋଲିସ ।