ଯାଜପୁର ୪।୭: ଯାଜପୁରରେ ଧସିଲା ୫୦ ଫୁଟର ପିଚୁ ରାସ୍ତା । ମାତ୍ର ମାସେ ପୂର୍ବରୁ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିଲା । ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ ।

ଯାଜପୁର ଜିଲ୍ଲା ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟ ହୋଇଥିବା ଅଣ୍ଢାଳରୁ ମାଟିଆକଣକୁ ସଂଯୋଗ କରୁଥିବା ପ୍ରାୟ ୩ କିଲୋମିଟର ରାସ୍ତାର ଅବସ୍ଥା ସଙ୍କଟାପନ୍ନ ହୋଇଛି । ସାମାନ୍ୟ ବର୍ଷାରେ ଧସିଯାଇଛି ପ୍ରାୟ ୫୦ ଫୁଟର ପିଚୁ ରାସ୍ତା । କେବଳ ଗୋଟିଏ ସ୍ଥାନ ନୁହେଁ ପ୍ରାୟ ୬ରୁ ୭ଗୋଟି ସ୍ଥାନରେ ରାସ୍ତା ସମ୍ପୂର୍ଣ୍ଣ ଭାବେ ଧସିଯାଇଥିବା ଦେଖିବାକୁ ମିଳିଛି ।

Also Read:- ଲଗାଣ ବର୍ଷାରେ ବଢ଼ିଲା ଜଳସ୍ତର, ଖୋଲିଲା ମାଛକୁଣ୍ଡ ଡ୍ୟାମ୍‌ର ଗୋଟିଏ ଗେଟ୍

ନିମ୍ନମାନର କାର୍ଯ୍ୟ ଯୋଗୁ ଏହି ରାସ୍ତା ଧସିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବା ବେଳେ ଜଳସମ୍ପଦ ବିଭାଗକୁ ଦୋଷ ଦେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ଅଧିକାରୀଙ୍କ କହିବା ଅନୁଯାୟୀ, ରାସ୍ତା ପାର୍ଶ୍ଵରୁ ଜଳସମ୍ପଦ ବିଭାଗ ମାଟି ଖୋଳିବାରୁ ରାସ୍ତା ଧସିଛି । ଅନ୍ୟପଟେ ଜଳସମ୍ପଦ ବିଭାଗ ଅଧିକାରୀ କହିଛନ୍ତି, ଆମେ ରାସ୍ତା କଡରୁ ମାଟି ଖୋଳିନାହୁଁ । ଦୁଇ ବିଭାଗ ଉଭୟ ଉଭୟଙ୍କ ଉପରେ ଦୋଷ ଲଦୁଥିବା ବେଳେ ରାସ୍ତା ଧସିଯିବା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଯଥାଶୀଘ୍ର ରାସ୍ତା ମରାମତି କରିବା ସହ ରାସ୍ତା ଧସିବା ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।