IPL 2026: ଚଳିତ ମେ’ ୩୧ ତାରିଖରେ ଅହମ୍ମଦାବାଦ ଗ୍ରାଉଣ୍ଡରେ ଖେଳାଯିବ ଆଇପିଏଲ୍ ୨୦୨୬ର ଗ୍ରାଣ୍ଡ ଫାଇନାଲ୍। ମେ’ ୨୪ରେ ଲିଗ୍ ପର୍ଯ୍ୟାୟ ଶେଷ ହେବାକୁ ଥିବାବେଳେ ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପ୍ଲେ-ଅଫ୍ରେ ନିଜ ସ୍ଥାନ ପକ୍କା କରିସାରିଛନ୍ତି। ତେବେ ସିଜିନ୍ ଶେଷ ଆଡ଼କୁ ଗତି କରୁଥିବା ବେଳେ ଏବେ କିଛି ସିନିୟର କ୍ରିକେଟରଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅନୁମାନ କରାଯାଉଛି ଯେ, ଚଳିତ ସିଜିନ୍ ପରେ ୫ ଜଣ ପ୍ରତିଷ୍ଠିତ ଖେଳାଳି ଆଇପିଏଲ୍ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇ ପାରନ୍ତି। ଆସନ୍ତୁ ଜାଣିବା ସେହି ଖେଳାଳିମାନଙ୍କ ବିଷୟରେ...

୧. ମହେନ୍ଦ୍ର ସିଂ ଧୋନି

ପ୍ରତିବର୍ଷ ଆଇପିଏଲ୍ ଶେଷ ଆଡ଼କୁ ଏମଏସ ଧୋନିଙ୍କ ଅବସରକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ଚଳିତ ବର୍ଷ ଏହି ଚର୍ଚ୍ଚା ପଛରେ ଏକ ବଡ଼ କାରଣ ରହିଛି। ନିକଟରେ ସୁରେଶ ରାଇନା ଯେତେବେଳେ ଧୋନିଙ୍କୁ ଆଇପିଏଲ୍ ୨୦୨୭ରେ ଖେଳିବା ନେଇ ପ୍ରଶ୍ନ କରିଥିଲେ, ସେତେବେଳେ ‘ମାହି’ କହିଥିଲେ ଯେ ତାଙ୍କ ଶରୀର ଏବେ ଆଉ ପୂର୍ବ ଭଳି ସାଥ୍ ଦେଉନାହିଁ ଏବଂ ସେ ଦୁର୍ବଳ ଅନୁଭବ କରୁଛନ୍ତି। ତେଣୁ ଏହି ସିଜିନ୍ ଧୋନିଙ୍କ ଶେଷ ସିଜିନ୍ ହୋଇପାରେ।

Also Read: IPL: ୧୯ ସିଜନରେ ସବୁଠୁ ଅଧିକ ଆୟ କରିଥିବା ଖେଳାଳି କିଏ ? ଜାଣନ୍ତୁ କେଉଁ ଦଳ ସବୁଠୁ ଦାମୀ

୨. ଆଜିଙ୍କ୍ୟ ରାହାଣେ

ଆଇପିଏଲ୍ ୨୦୨୬ର ମେଗା ନିଲାମରେ ପ୍ରଥମ ରାଉଣ୍ଡରେ ରାହାଣେଙ୍କୁ କେହି କିଣିବାକୁ ଆଗ୍ରହ ଦେଖାଇ ନଥିଲେ। ଶେଷରେ କୋଲକାତା ନାଇଟ୍ ରାଇଡର୍ସ (KKR) ତାଙ୍କୁ ଦଳରେ ସାମିଲ କରି ଅଧିନାୟକ ଦାୟିତ୍ଵ ଦେଇଥିଲା। କିନ୍ତୁ ରାହାଣେଙ୍କ ନେତୃତ୍ଵରେ କେକେଆର୍ ୨୦୨୫ ଓ ୨୦୨୬ରେ ଆଶାନୁରୂପ ପ୍ରଦର୍ଶନ କରିପାରିନାହିଁ। ଯଦିଓ ଦଳ ପ୍ଲେ-ଅଫ୍ ଦୌଡ଼ରେ ଅଛି, କିନ୍ତୁ ଏଥିପାଇଁ ଅନ୍ୟ ଦଳର ସମୀକରଣ ଉପରେ ନିର୍ଭର କରିବାକୁ ପଡ଼ୁଛି। ଜଣେ ଅଧିନାୟକ ଭାବେ ରାହାଣେ ମ୍ୟାନେଜମେଣ୍ଟର ଭରସା ଜିତିବାରେ ବିଫଳ ହୋଇଥିବାରୁ ସେ ବିଦାୟ ନେଇପାରନ୍ତି।

୩. ସୁନୀଲ ନାରିନ୍

ଚଳିତ ସିଜିନ୍ ଆରମ୍ଭରୁ ହିଁ ଆନ୍ଦ୍ରେ ରସେଲ୍ ଆଇପିଏଲ୍ରୁ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏବେ ତାଙ୍କ ଦେଶର ତଥା କେକେଆର୍ର ଅନ୍ୟତମ ମହାନ ସ୍ପିନର ୩୭ ବର୍ଷୀୟ ସୁନୀଲ ନାରିନ୍ ମଧ୍ୟ ଏହି ମାର୍ଗରେ ଯାଇପାରନ୍ତି। ନାରିନ୍ ଚଳିତ ସିଜିନ୍ରେ ନିଜର ୨୦୦ ଆଇପିଏଲ୍ ୱିକେଟ୍ ପୂରଣ କରିଛନ୍ତି। ଏଭଳି ଏକ ଚମତ୍କାର ସଫଳତା ସହ ସେ କ୍ରିକେଟ୍ କ୍ୟାରିୟରକୁ ସମ୍ମାନର ସହ ଅଲବିଦା କହିବାକୁ ନିଷ୍ପତ୍ତି ନେଇପାରନ୍ତି।

Also Read: ମହମ୍ମଦ ଶାମିଙ୍କୁ ମୁକ୍ତ କଲେ କୋର୍ଟ, ଅଲଗା ରହୁଥିବା ପତ୍ନୀ ଲଗାଇଥିଲେ ସଙ୍ଗୀନ ଅଭିଯୋଗ

୪. ଇଶାନ୍ତ ଶର୍ମା

ଅଭିଜ୍ଞ ଭାରତୀୟ ଦ୍ରୁତ ଇଶାନ୍ତ ଶର୍ମାଙ୍କୁ ଆଇପିଏଲ୍ ୨୦୨୬ରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଗୋଟିଏ ହେଲେ ମଧ୍ୟ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି, ୨୦୨୦ ପରଠାରୁ ସେ ଆଇପିଏଲ୍ରେ ମାତ୍ର ୨୮ଟି ମ୍ୟାଚ୍ ଖେଳିଛନ୍ତି। କ୍ରମାଗତ ଭାବେ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳୁ ନଥିବାରୁ ଅତିଷ୍ଠ ହୋଇ ଇଶାନ୍ତ ନିଜ ଆଇପିଏଲ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପକାଇବା ସମ୍ଭାବନା ଅଧିକ।

୫. ଲିଆମ୍ ଲିଭିଙ୍ଗଷ୍ଟୋନ୍

ଇଂଲଣ୍ଡର ଏହି ବିସ୍ଫୋରକ ଅଲରାଉଣ୍ଡରଙ୍କ ପାଇଁ ବିଗତ ୩ଟି ଆଇପିଏଲ୍ ସିଜିନ୍ ଅତ୍ୟନ୍ତ ନିରାଶାଜନକ ରହିଛି। ଗତ ୧୯ଟି ମ୍ୟାଚ୍ରେ ସେ ମାତ୍ର ୨୩୮ ରନ୍ କରିଛନ୍ତି ଏବଂ ବୋଲିଂରେ କେବଳ ୫ଟି ୱିକେଟ୍ ନେଇଛନ୍ତି। ଚଳିତ ସିଜିନ୍ ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୧୩ କୋଟି ଟଙ୍କାର ମୋଟା ଅଙ୍କରେ କିଣିଥିଲା, କିନ୍ତୁ ସେ ମାତ୍ର ୨ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଛନ୍ତି। ଯଦି ଆଗାମୀ ସିଜିନ୍ ପାଇଁ ହାଇଦ୍ରାବାଦ ତାଙ୍କୁ ରିଲିଜ୍ କରିଦିଏ, ତେବେ ପଞ୍ଜାବ କିଙ୍ଗସରୁ ରିଲିଜ୍ ହେବା ପରେ ଗ୍ଲେନ୍ ମ୍ୟାକ୍ସୱେଲ୍ ଯେଭଳି ସନ୍ନ୍ୟାସ ନେଇଥିଲେ, ଲିଭିଙ୍ଗଷ୍ଟୋନ୍ ମଧ୍ୟ ସେହିଭଳି ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିପାରନ୍ତି।