ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଇରାନ ଉପରେ ଆକ୍ରମଣକୁ ସଫଳ ଓ ଆଶା ଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବୋଲି ଦର୍ଶାଇଛନ୍ତି। ଇସ୍ରାଏଲ ସହିତ କରିଥିବା ମିଳିତ ସାମରିକ ଅପରେସନରେ ୪୮ ଜଣ ଇରାନୀ ନେତା ନିହତ ହୋଇଛନ୍ତି ବୋଲି ଟ୍ରମ୍ପ ଦାବି କରିଛନ୍ତି। ସେ କହିଛନ୍ତି “ଆମେ ଯେଉଁ ସଫଳତା ପାଇଛୁ ତାହା କେହି ବିଶ୍ୱାସ କରିପାରିବେ ନାହିଁ। ଗୋଟିଏ ଥରରେ ୪୮ ଜଣ ନେତାଙ୍କ ମୃତ୍ୟୁ ହେଲା। ଏହା ଦ୍ରୁତ ଗତିରେ ଆଗକୁ ବଢ଼ୁଛି।” ଆମେରିକା ଗଣମାଧ୍ୟମ ସହିତ ଏକ ପୃଥକ ଆଲୋଚନାରେ, ଟ୍ରମ୍ପ କହିଛନ୍ତି ଯେ ଇରାନରେ ଆମେରିକାର ସାମରିକ ଆକ୍ରମଣ "ନିର୍ଦ୍ଧାରିତ ସମୟ ପୂର୍ବରୁ" ଏବଂ "ବହୁତ ଭଲ ଭାବରେ ଆଗକୁ ବଢୁଛି"।

ଗୋଟିଏ ପଟେ ଇରାନ ଆହୁରି ଆକ୍ରମଣ ତୀବ୍ର କରିବା ବୋଲି କହୁଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ କିନ୍ତୁ ଇଣ୍ଟରଭ୍ୟୁରେ ଅଲଗା ଦାବି କରିଛନ୍ତି। ଇରାନର ନୂଆ ନେତୃତ୍ୱ ୱାଶିଂଟନ ସହିତ ଆଲୋଚନା କରିବାକୁ ରାଜି ହୋଇଛନ୍ତି ବୋଲି ଟ୍ରମ୍ପ ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି "ନୂଆ ଇରାନୀ ନେତାମାନେ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି ଏବଂ ମୁଁ କଥାବାର୍ତ୍ତା କରିବାକୁ ରାଜି ହୋଇଛି।" ଟ୍ରମ୍ପ ଇଣ୍ଟରଭ୍ୟୁରେ ଏଭଳି କହିଥିବା ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଦି ଆଟଲାଣ୍ଟିକରେ ରିପୋର୍ଟ କରିଛି।

ପଢ଼ନ୍ତୁ- ଇସ୍ରାଏଲ ଏୟାରଷ୍ଟ୍ରାଇକରେ ଇରାନର ପୂର୍ବତନ ରାଷ୍ଟ୍ରପତି ଅହମଦିନେଜାଦ ନିହତ, ପୂର୍ବରୁ ପ୍ରାଣହରାଇଥିଲେ ଖାମେନେଈ

ଇରାନର ଶେଷ ଶାହଙ୍କ ନିର୍ବାସିତ ପୁଅ ରେଜା ପହଲାଭି ଏପଟେ ଇରାନ କ୍ଷମତା ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି। ଫକ୍ସ ନ୍ୟୁଜ୍କୁ ସାକ୍ଷାତ୍କାର ଦେଇ ସେ କହିଛନ୍ତି ଯେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ହତ୍ୟା ପରେ ସେ ଏକ ନୂଆ ସରକାରକୁ ପରିବର୍ତ୍ତନ କରିବା ପ୍ରୟାସର ନେତୃତ୍ୱ ନେଉଛନ୍ତି।

ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ, ସେ କହିଛନ୍ତି ଯେ କ୍ଷମତା ପରିବର୍ତ୍ତନ ଯୋଜନା ପ୍ରସ୍ତୁତ ହୋଇ ସାରିଛି। ତାଙ୍କୁ ଲକ୍ଷ ଲକ୍ଷ ଇରାନୀ ଲୋକଙ୍କ ସମର୍ଥନ ମିଳିଛି ଏବଂ ସେନାର କିଛି ଅଂଶ ଆନ୍ଦୋଳନର ସମର୍ଥନ କରିବେ ବୋଲି ସେ ଆଶା କରୁଛନ୍ତି। ଇରାନକୁ ଇସ୍ଲାମିକ ଷ୍ଟେଟ୍ରୁ ଗଣତାନ୍ତ୍ରୀକ ଦେଶ ଆଡ଼କୁ ନେବା ଦିଗରେ ଉଧ୍ୟମ ଜାରି ରହିଛି। ଏଥିରେ ଇରାନମାନେ ସେମାନଙ୍କର ଭବିଷ୍ୟତ ବ୍ୟବସ୍ଥା ନେଇ ବାଛି ପାରିବେ। କିଛି ବର୍ଷ ପର୍ଯ୍ୟନ୍ତ ପରିବର୍ତ୍ତନ ସମୟ ରହିବ। ଯେଉଁଥିରେ ପ୍ରଥମ ୧୦୦ ଦିନ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ପେହଲବି କହିଛନ୍ତି।