ନୂଆଦିଲ୍ଲୀ ୦୭।୧୦; ଉତ୍ତର ପ୍ରଦେଶର ବୃନ୍ଦାବନରୁ ଆସିଛି ଅତ୍ୟନ୍ତ ହୃଦୟବିଦାରକ ଘଟଣା । ଚେତନ ବିହାର ସ୍ଥିତ 'ପାଣିନିମ୍ ସଂସ୍କୃତ ଗୁରୁକୁଳ'ରେ ଏକ ଅଣ୍ଡରଗ୍ରାଉଣ୍ଡ ପାଣି ଟାଙ୍କି ସଫା କରିବା ସମୟରେ ବିଷାକ୍ତ ଗ୍ୟାସ୍ କାରଣରୁ ଚାରିଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଗୁରୁକୁଳ ପରିସରରେ ପାଣି ସଂରକ୍ଷଣ ପାଇଁ ପ୍ରାୟ ୧୨ ଫୁଟ ଗଭୀର ଏକ ଭୂତଳ ଟାଙ୍କି ରହିଥିଲା। ଯାହା ଦୀର୍ଘ ଦିନ ହେବ ସଫା କରାଯାଇ ନଥିଲା। ମଙ୍ଗଳବାର ସନ୍ଧ୍ୟାରେ ଟାଙ୍କିରୁ ଦୁର୍ଗନ୍ଧ ବାହାରୁଥିବାରୁ ଗୁରୁକୁଳ ପ୍ରଶାସକ କିଛି ଛାତ୍ରଙ୍କୁ ଏହାକୁ ସଫା କରିବାକୁ କହିଥିଲେ।

ପ୍ରଥମେ ବାଲ୍ଟି ସାହାଯ୍ୟରେ କିଛି ପାଣି ବାହାର କରାଯାଇଥିଲା। ଏହାପରେ ଜଣେ ଛାତ୍ର ଟାଙ୍କି ଭିତରକୁ ଓହ୍ଲାଇଥିଲେ, କିନ୍ତୁ ଭିତରେ ଜମି ରହିଥିବା ବିଷାକ୍ତ ଗ୍ୟାସ୍ ଯୋଗୁଁ ସେ ସଙ୍ଗେ ସଙ୍ଗେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଗୋଟିଏ ପରେ ଗୋଟିଏ ଅନ୍ୟ ଛାତ୍ରମାନେ ଭିତରକୁ ଯାଇଥିଲେ ଏବଂ ଦୁର୍ଭାଗ୍ୟବଶତଃ ସେମାନେ ମଧ୍ୟ ସେହିପରି ଅଚେତ ହୋଇପଡ଼ିଥିଲେ। ସୂଚନାଯୋଗ୍ୟ ଯେ, ଏହି ଗୁରୁକୁଳରେ ବିଭିନ୍ନ ରାଜ୍ୟର ପ୍ରାୟ ୧୨୦ ଜଣ ଛାତ୍ର ରହି ସଂସ୍କୃତ ଭାଷା ଏବଂ ବୈଦିକ ରୀତିନୀତି ଅଧ୍ୟୟନ କରୁଥିଲେ।

ପଡ଼ୋଶୀମାନେ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଅଚେତ ଛାତ୍ରମାନଙ୍କୁ ଟାଙ୍କିରୁ ବାହାର କରି ଡାକ୍ତରଖାନାକୁ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଘଟଣା ଖବର ପାଇବା ମାତ୍ରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ବରିଷ୍ଠ ପୋଲିସ୍ ଅଧୀକ୍ଷକ ସମେତ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏତେ ବଡ଼ ବିପଦପୂର୍ଣ୍ଣ କାର୍ଯ୍ୟରେ ଛାତ୍ରମାନଙ୍କୁ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ଓହ୍ଲାଇବା ନେଇ ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଗୁରୁତର ତଦନ୍ତ ଆରମ୍ଭ ହୋଇଛି।