ଭୁବନେଶ୍ୱର: ବାତ୍ୟା ଓ ବନ୍ୟା ମୁକାବିଲାକୁ ନେଇ ବିରୋଧୀଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଗୃହରେ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନାରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ପାଇଁ ଉଦ୍ଦିଷ୍ଟ ଅର୍ଥ ବାତ୍ୟା କିମ୍ବା ବନ୍ୟା ଭଳି ପରିସ୍ଥିତି ଉପୁଜିଲେ ଖର୍ଚ୍ଚ ହୋଇଥାଏ । ଗତବର୍ଷ ସେଭଳି ବଡ଼ ବିପର୍ଯ୍ୟୟ ହୋଇନଥିବାରୁ ଅର୍ଥ ଖର୍ଚ୍ଚ ହୋଇନାହିଁ । ଏହାକୁ ନେଇ ପ୍ରଶ୍ନ ଉଠାଇବା ପୂର୍ବରୁ ବିରୋଧୀ ଅଧ୍ୟୟନ କରି ଆସିବା ଉଚିତ ବୋଲି କହିଛନ୍ତି ମନ୍ତ୍ରୀ । ଏପରି କି ତୁମ ବେଳେ ବିନା ବାତ୍ୟା ବନ୍ୟାରେ ଟଙ୍କା ଖର୍ଚ୍ଚ କରୁଥିଲ କି ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

ମନ୍ତ୍ରୀ କହିଛନ୍ତି, ବନ୍ୟା ସମୟରେ ସାରା ରାତି ପ୍ରଭାବିତ ଅଞ୍ଚଳର ବିଧାୟକମାନଙ୍କ ସହ ଯୋଗାଯୋଗ ଥିଲି । ବିଧାୟକ ବ୍ୟୋମକେଶ ରାୟଙ୍କୁ ମଧ୍ୟ ଫୋନ୍ କରି ସମସ୍ୟା ଥିଲେ ଜଣାଇବାକୁ କହିଥିଲେ । କିନ୍ତୁ ସେମାନେ କୌଣସି ସମସ୍ୟା ଜଣାଇଲେ ନାହିଁ । ମନ୍ତ୍ରୀ କହିଛନ୍ତି, ଏଲ୍‌ ନିନୋ ପ୍ରଭାବ ଯୋଗୁଁ ଅକ୍ଟୋବର ମାସରେ ବାତ୍ୟାର ସମ୍ଭାବନା ରହୁଥିବା ଏବଂ ଚଳିତ ବର୍ଷ ଓଡ଼ିଶାରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ ଅଧିକ ମୌସୁମୀ ବର୍ଷା ହୋଇଛି । ଅବପାତ ସମୟରେ କେତେ ପରିମାଣର ବର୍ଷା ହେବ, ତାହା ନିର୍ଦ୍ଦିଷ୍ଟ ଭାବେ ଆକଳନ କରିବା କଷ୍ଟକର । ଗଞ୍ଜାମ ଜିଲ୍ଲା ଏଭଳି ବର୍ଷା ପୂର୍ବରୁ ଦେଖିନଥିବା କହିବା ସହ ଏଭଳି ପରିସ୍ଥିତିରେ କେବଳ ସମାଲୋଚନା ନକରି ସହଯୋଗ କରିବାକୁ ବିରୋଧୀଙ୍କୁ ଆହ୍ୱାନ ଦେଇଛନ୍ତି ।

କାର୍ଯ୍ୟରେ ଅବହେଳା ପାଇଁ ୨୦ ଅଧିକାରୀଙ୍କ ବିରୋଧରେ ଆକ୍ସନ

ବାତ୍ୟା ଓ ବନ୍ୟା ସମୟରେ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ । ଏପର୍ଯ୍ୟନ୍ତ ୨୦ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ସେ ସୂଚନା ଦେଇଛନ୍ତି । ମୁଖ୍ୟଶାସନ ସଚିବ, ଏସଆରସିଙ୍କ ସମେତ ବହୁ ଅଧିକାରୀ ରାତିତମାମ କଣ୍ଟ୍ରୋଲ ରୁମରେ ରହି କାର୍ଯ୍ୟ କରିଥିବା କହିଛନ୍ତି । ଏପରିକି ଫୁଲବାଣୀ ଜିଲ୍ଲାପାଳଙ୍କ ଝିଅ ଜନ୍ମ ହେବା ସତ୍ତ୍ୱେ ସେ ନିଜ ଦାୟିତ୍ୱରେ ବ୍ୟସ୍ତ ରହି ତାଙ୍କ ପାଖକୁ ଯାଇପାରିନଥିବା ଉଦାହରଣ ଦେଇଛନ୍ତି ମନ୍ତ୍ରୀ । ସେହିପରି ଗଣମାଧ୍ୟମ ସାମ୍ନାରେ ସରକାର ସମୀକ୍ଷା କରୁଥିବା ନେଇ ବିରୋଧୀଙ୍କ ଅଭିଯୋଗର ମଧ୍ୟ ଜବାବ ରଖିଛନ୍ତି । ନିଜ ଚେହେରା ଗଣମାଧ୍ୟମରେ ଆସୁ ବୋଲି ସେ କେବେ ଚାହାନ୍ତି ନାହିଁ । ତଥ୍ୟ ପାଇଁ ଗଣମାଧ୍ୟମ ପ୍ରତିନିଧି ଆସିଲେ ସେମାନଙ୍କୁ ସୂଚନା ଦିଆଯାଏ ବୋଲି କହିଛନ୍ତି । ଏଥିସହ ସମାଲୋଚନାର ମଧ୍ୟ ଏକ ସୀମା ରହିବା ଆବଶ୍ୟକ ବୋଲି ମତ ରଖିଛନ୍ତି ।

ପୂର୍ବତନ ମୁଖ୍ୟଶାସନ ସଚିବଙ୍କ ନାଁ ନନେଇ ସମାଲୋଚନା

ଅନ୍ୟପଟେ ପୂର୍ବତନ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କ ନାଁ ନନେଇ ମନ୍ତ୍ରୀ ସିଧାସଳଖ ତାଙ୍କୁ ସମାଲୋଚନା କରିଛନ୍ତି  । ବନ୍ୟା ନିୟନ୍ତ୍ରଣରେ ସରକାର୍ ବିଫଳ ବିରୋଧୀ କହିଲେ ଲୋକେ ବିଶ୍ୱାସ କରିବେନି । ଏଥିପାଇଁ ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ କାମରେ ଲଗାଇଲେ । ଭିଡିଓ ବାର୍ତ୍ତା ଦେଲେ । ସତ୍ ସାହସ ଥିଲା ତ ସାମ୍ବାଦିକ ସମ୍ମିଳନୀ କରିଥାନ୍ତେ । ଦୁଇ ଚାରି ପ୍ରଶ୍ନ ଶୁଣି ଥାଆନ୍ତେ । ଯଦି ଏତେ ଅଭିଜ୍ଞତା ଥିଲା ସେତେବେଳେ କେହି ଜଣେ ଅଫିସର ଯେଉଁମାନେ ଆପଣଙ୍କ ଜୁନିୟର ଥିଲେ ସେମାନଙ୍କୁ କହିଥାନ୍ତେ କିପରି କାର୍ଯ୍ୟ ହୁଏ । ସମାଲୋଚନା କରିବାକୁ ଆଗକୁ ଆସିଲେ । 

ରିଲିଫ୍ ବଣ୍ଟନରେ ପାତରଅନ୍ତର ହୋଇନି

ଶେଷରେ ରିଲିଫ୍ ବଣ୍ଟନକୁ ନେଇ ସ୍ପଷ୍ଟୀକରଣ ଦେଇ ମନ୍ତ୍ରୀ କହିଛନ୍ତି, ସରକାର କେବେ ମଧ୍ୟ ଲୋକଙ୍କୁ ରିଲିଫ୍ ଦେବାରେ ପାତରଅନ୍ତର କରିନାହାନ୍ତି । ସମସ୍ତ ପ୍ରଭାବିତଙ୍କ ପାଖରେ ରିଲିଫ୍ ପହଞ୍ଚାଯାଇଛି ଏବଂ ଆଗୁଆ ଅର୍ଥ ମଧ୍ୟ ପ୍ରଦାନ କରାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ସମସ୍ତଙ୍କୁ କ୍ଷତିପୂରଣ ମିଳିଯିବ ବୋଲି ଗୃହକୁ ଆଶ୍ୱାସନା ଦେଇଛନ୍ତି । ବାତ୍ୟା ଆସିବ, ଯିବ; ହେଲେ ତାହାର ଛାପ ରହିଯିବ । ତଥାପି ସମସ୍ତଙ୍କୁ ସାଙ୍ଗରେ ନେଇ ନିଷ୍ଠାର ସହ କାମ କରିବୁ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।