ନୂଆଦିଲ୍ଲୀ ୧୦।୦୪ : ୪୦ ଦିନର ଯୁଦ୍ଧ ପରେ ଆମେରିକା-ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ହୋଇଛି । ଏହାକୁ ନେଇ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶନିବାର ପ୍ରଥମ ବୈଠକ ବସିବାକୁ ଯାଉଛି । ଏଥିରେ ଇରାନ ପକ୍ଷରୁ ବାଚସ୍ପତି ମହମ୍ମଦ ବାଘେର ଗାଲିବଫ ଏବଂ ଆମେରିକା ତରଫରୁ ଉପରାଷ୍ଟ୍ରପତି ଜେ ଡି ଭାନ୍ସ ପ୍ରତିନିଧିତ୍ୱ କରିବେ । ବୈଠକରେ ଯୁଦ୍ଧବିରତିକୁ ନେଇ ଠୋସ ଯୋଜନା ବନାଇବା ଏବଂ ସବୁ ବିବାଦର ଅନ୍ତ ଘଟାଇବା ସଂକ୍ରାନ୍ତରେ ବ୍ୟାପକ ଆଲୋଚନା ହେବ । ଏହି ଐତିହାସିକ ବୈଠକ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ତେଣୁ ପାକିସ୍ତାନ ତରଫରୁ ଏହି ବୈଠକ ନିମନ୍ତେ ବ୍ୟାପକ ପ୍ରସ୍ତୁତି ହୋଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅନେକ ସଡ଼କ ବନ୍ଦ କରାଯାଇ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯାଇଛି । 

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଅସିମ ମୁନିରଙ୍କ ଅପିଲ୍ ପରେ ଆମେରିକା ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ। ତେଣୁ ବର୍ତ୍ତମାନ ପାକିସ୍ତାନର ଭୂମିକା ବଢ଼ିଯାଇଛି । ସୁରକ୍ଷା ବ୍ୟବସ୍ଥା ପରଖିବା ପାଇଁ ଆମେରିକାରୁ ୩୦ ସଦସ୍ୟ ବିଶିଷ୍ଟ ଏକ ଟିମ୍ ଇସଲାମାବାଦରେ ପହଞ୍ଚିଛି । ଏହି ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ଯାଞ୍ଚ କରିଛି । ପ୍ରସ୍ତୁତି ନେଇ ବିଭିନ୍ନ ଅଧିକାରୀଙ୍କ ସହ ସେମାନଙ୍କର ପ୍ରତ୍ୟକ୍ଷ ଆଲୋଚନା ବି ହୋଇଛି । ପାକିସ୍ତାନର ଗୃହ ମନ୍ତ୍ରୀ ମୋହସିନ ନକଭି ଆମେରିକୀୟ ଟିମରେ ନେତୃତ୍ୱ ନେଉଥିବା ନ୍ୟାଟଲୀ ବେକରଙ୍କ ସହ ସିଧାସଳଖ କଥା ହୋଇଛନ୍ତି । ସମସ୍ତ ବିଦେଶୀ ଅତିଥିଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଥିବା ନକଭି କହିଛନ୍ତି ।

ସୂତ୍ର ମୁତାବକ, ରେଡ୍ ଜୋନ୍ ଭିତରେ ଥିବା ଏକ ହୋଟେଲକୁ ବିଦେଶୀ ପ୍ରତିନିଧିଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି । ସରକାରଙ୍କ ନିର୍ଦ୍ଦେଶକ୍ରମେ ତାହାକୁ ଖାଲି କରାଯାଇଛି । ହୋଟେଲ ପରିସର ଏବଂ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ବିଦେଶୀ ପ୍ରତିନିଧି ପହଞ୍ଚିବା ପରେ ରେଡ୍ ଜୋନ୍‌କୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରି ଦିଆଯିବ । ରାଜଧାନୀକୁ ଯୋଡ଼ୁଥିବା କିଛି ରାସ୍ତା ବି ବନ୍ଦ ରହିବ । ପ୍ରତିନିଧିଙ୍କ ରହଣି ଏବଂ ବୈଠକ ବେଳେ ସେମାନଙ୍କୁ ‘ବ୍ଲୁ ବୁକ୍’ ଅନୁସାରେ ଭିଭିଆଇପି ପ୍ରୋଟୋକଲ୍ ଦିଆଯିବ । ଇସଲାମାବାଦର ରେଡ୍ ଜୋନରେ ଅନେକ ଗୁରୁତ୍ୱପୂର୍ଣ୍ଣ କୋଠା, ହୋଟେଲ, ବିଦେଶୀ ଦୂତାବାସ ଏବଂ ପ୍ରମୁଖ ନେତାଙ୍କ ସରକାରୀ ବାସଭବନ ରହିଛି । ସମସ୍ତ ଉଦ୍ଧାରକାରୀ ବିଭାଗ ଏବଂ ହସ୍ପିଟାଲକୁ ହାଇ ଆଲର୍ଟରେ ରଖାଯାଇଛି । ଏହାଛଡ଼ା ସମସ୍ତ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି ଏବଂ ସୁରକ୍ଷା ବଳ ସକ୍ରିୟ ଭାବେ ମୁତୟନ ହୋଇଛନ୍ତି।

Also Read-US troops withdraw from Europe: ନାଟୋ ଉପରେ ରାଗି, ୟୁରୋପରୁ ସୈନ୍ୟ ପ୍ରତ୍ୟାହାର କରିବେ ଟ୍ରମ୍ପ! ମନରେ ଗ୍ରୀନଲାଣ୍ଡ ଲୋଭ