US troops withdraw from Europe: ଇରାନ ଯୁଦ୍ଧରେ ନାଟୋ ସହଯୋଗୀମାନଙ୍କ ଠାରୁ ସହାଯ୍ୟ ନ ମିଳିବା ଏବଂ ଗ୍ରୀନଲ୍ୟାଣ୍ଡ ଦଖଲ କରିବା ନିଶାରେ ଟ୍ରମ୍ପ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ୟୁରୋପରୁ କିଛି ଆମେରକୀୟ ସୈନ୍ୟ ହଟାଇ ପାରନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସର ଜଣେ ବରିଷ୍ଠ ଅଧିକାରୀ ରୟଟର୍ସକୁ ସୂଚନା ଦେଇଛନ୍ତି।

ଅଧିକାରୀ ଜଣଙ୍କ କହିଛନ୍ତି “ ହରମୁଜ ଜଳପଥକୁ ସୁରକ୍ଷିତ କରିବାରେ ନାଟୋ ସହଯୋଗୀମାନଙ୍କର ସାହାଯ୍ୟ ନ କରିବା, ଏବଂ ଗ୍ରୀନଲାଣ୍ଡ ଦଖଲ ଅଭିଯାନ ଆଗକୁ ଯାଇପାରୁ ନଥିବାରୁ ଟ୍ରମ୍ପ କ୍ରୋଧିତ ଅଛନ୍ତି।” ଏଥିପାଇଁ ସେ ୟୁରୋପରୁ ସୈନ୍ୟ ପ୍ରତ୍ୟାହାର ନେଇ ପରାମର୍ଶଦାତା ସହ ଆଲୋଚନା କରିଛନ୍ତି ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

ତେବେ ଏପର୍ଯ୍ୟନ୍ତ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ୟୁରୋପରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ହ୍ୱାଇଟ୍ ହାଉସ୍ ପକ୍ଷରୁ ପେଣ୍ଟାଗନକୁ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇ ନାହିଁ। ତଥାପି, ଏନେଇ ଆମେରିକା ସରକାର ମଧ୍ୟରେ ଆଲୋଚନା ହେଉଥିବାରୁ ଏଥିରେ ୟୁରୋପ ସହ ସମ୍ପର୍କ ଯେ ତିକ୍ତ ହୋଇଛି ତାହା ସ୍ପଷ୍ଟ ହୋଇଛି।

ଇରାନ ଯୁଦ୍ଧ ପରେ ନାଟୋ ସହ ଆମେରିକାର ସମ୍ପର୍କ ଖରାପ ହୋଇଥିବାରୁ ଏଥିରେ ସୁଧାରଣ ଆଣିବାକୁ ଚଳିତ ସପ୍ତାହରେ ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ହ୍ୱାଇଟ୍ ହାଉସ୍ ଗସ୍ତ କରିଥିଲେ। ଏହି ବୈଠକରେ ସମ୍ପର୍କ ସୁଧାର କରିବା ଦିଗରେ ସେଭଳି କିଛି ବଡ଼ ଆଲୋଚନା ହୋଇପାରି ନଥିଲା।

୧୯୪୯ ମସିହାରେ ମେଣ୍ଟ ପ୍ରତିଷ୍ଠା ହେବା ପରଠାରୁ ଏପର୍ଯ୍ୟନ୍ତ, ଆମେରିକା ଓ ନାଟୋ ସମ୍ପର୍କ ସବୁଠାରୁ ଅଧିକ ଖରାପ ହୋଇଯାଛି ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଆମେରିକା ୟୁରୋପର କିଛି ଦେଶକୁ ସୁରକ୍ଷା ଦେବାକୁ ସମଗ୍ର ୟୁରୋପରେ ବର୍ତ୍ତମାନ ୮୦,୦୦୦ ରୁ ଅଧିକ ସୈନିକ ମୁତୟନ କରିଛି। ସେଥିମଧ୍ୟରୁ ଜର୍ମାନୀ ସର୍ବାଧିକ ୩୦,୦୦୦ ରୁ ଅଧିକ ସୈନିକଙ୍କ ମୁତୟନ ହୋଇଥିବା ବେଳେ ଇଟାଲୀ, ୟୁକେ ଏବଂ ସ୍ପେନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୈନ୍ୟ ମୁତୟନ ହୋଇଛି।