ମୋରଡ଼ା ୧୮।୧୨: ୪୦ ଫୁଟ ତଳକୁ ଖସିଲା ବୋଲେରୋ । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।  ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ପୋଲ ନିକଟରେ ଘଟିଛି ଦୁର୍ଘଟଣା ।

​​​​​​​

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ପୋଲରୁ ୪୦ ଫୁଟ ତଳକୁ ଖସିଲା ବୋଲେରୋ । ବିଳମ୍ବିତ ରାତିରେ ପଡ଼ୋଶୀ ପଶ୍ଚିମବଙ୍ଗର ଗୋପୀବଲ୍ଲବପୁରରୁ ୯ ଜଣ ଏକ ବୋଲେରୋରେ ଓଡ଼ିଶା ଝାଟିଅଡା ଗ୍ରାମରେ ଏକ ବାହାଘରରେ ଯୋଗ ଦେବାକୁ ଆସୁଥିଲେ । ସେହି ସମୟରେ ବୋଲେରୋଟି ନଳଗଜା ପୋଲରୁ ୪୦ ଫୁଟ ତଳକୁ ଖସି ପଡିଥିଲା । ତେବେ ସ୍ଥାନୀୟ ଲୋକମାନେ ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ରାସଗୋବିନ୍ଦପୁର ମେଡିକାଲକୁ ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଯାଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ସତ୍ୟବାନ ବାବୁଲି, ରସନ ଦାସ, କ୍ରିଷ୍ଣା ବାଗଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା ଜଣାପଡିଛି । ତେବେ ଡ୍ରାଇଭର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।