ଭୁବନେଶ୍ୱର: ପ୍ରାଥମିକ ଚିକିତ୍ସା ଏବଂ ସଡକ ସୁରକ୍ଷାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ଶାଖା ଓ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ରାଜ୍ୟ ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଏକ ୩-ଦିନିଆ ସଚେତନତା କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ଉଦଘାଟିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ପ୍ରାଥମିକ ଚିକିତ୍ସା ଜ୍ଞାନକୁ ଜୀବନର ଏକ ଅତ୍ୟାବଶ୍ୟକ କୌଶଳ ଭାବେ ବର୍ଣ୍ଣନା କରି ଛାତ୍ରଛାତ୍ରୀମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଦାୟିତ୍ୱବାନ ନାଗରିକ ଭାବେ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏନଏସଏସ୍‌ର ଆଂଚଳିକ ନିର୍ଦ୍ଦେଶିକା ଶ୍ରୀମତୀ ସରିତା ପଟେଲ ଯୋଗ ଦେଇ ଏନଏସଏସ ସ୍ୱେଚ୍ଛାସେବୀ ମାନଙ୍କର ସମାଜସେବା ଓ ଦୁର୍ଘଟଣା ପରିଚାଳନାରେ ଭୂମିକା ବିଷୟରେ ଆଲୋକପାତ କରିଥିଲେ ଏବଂ ସମୟୋଚିତ ପ୍ରାଥମିକ ଚିକିତ୍ସା ପ୍ରଦାନ ଦ୍ୱାରା ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାର ହ୍ରାସ କରାଯାଇପାରିବ ବୋଲି କହିଥିଲେ ।

ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏହି ଅବସରରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ଓ ସଡକ ସୁରକ୍ଷା ସମ୍ବନ୍ଧୀୟ ପ୍ରଶାସନିକ ଓ ଚିକିତ୍ସା ଦୃଷ୍ଟିକୋଣକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ । ସୋଆ ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମଧ୍ୟ ଏହି ଅବସରରେ ଉପସ୍ଥିତ ରହି ଛାତ୍ରମାନଙ୍କ ସକ୍ରିୟ ଅଂଶଗ୍ରହଣ ସଂପର୍କରେ ନିଜ ମତାମତ ପ୍ରକାଶ କରିଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟର ଏନଏସଏସ୍ ଶାଖାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର କମଳ ଲୋଚନ ମହନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରାଥମିକ ଚିକିତ୍ସା ସଚେତନତାର ଆବଶ୍ୟକତାକୁ ଉଲ୍ଲେଖ କରି ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ସମାଜ ସେବାରେ ସକ୍ରିୟ ଭାଗ ନେବାକୁ ପ୍ରେରିତ କରିଥିଲେ । ସେ କହିଥିଲେ ଯେ ପ୍ରଶିକ୍ଷିତ ପ୍ରତ୍ୟେକ ବ୍ୟକ୍ତି ଜରୁରୀ ସମୟରେ ଜୀବନରକ୍ଷକ ଭୂମିକା ନିଭାଇ ପାରିବେ ।

ଉଦଘାଟନୀ ଅଧିବେଶନର ଶେଷରେ ସୋଆର ଏନଏସ୍ଏସ୍ ପ୍ରୋଗ୍ରାମ ଅଫିସର ଡକ୍ଟର ସତ୍ୟ ନାରାୟଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମ ପରେ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଚାରିଜଣ ଜାତୀୟ ସ୍ତରର ପ୍ରଶିକ୍ଷକ – ଡାକ୍ତର ଲୋକନାଥ ସାହୁ, ଶ୍ରୀ ଗଣେଶ ସ୍ୱାଇଁ, ଶ୍ରୀ ଗୁଲଶନ କୁମାର ଦାସ ଏବଂ ଶ୍ରୀ କୁବେର ଚନ୍ଦ୍ର ପାତ୍ର ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଏହି ଅଧିବେଶନ ଗୁଡ଼ିକରେ ସିପିଆର(କାର୍ଡିଓପଲ୍ମୋନାରୀ ରିସସିଟେସନ୍), ରକ୍ତସ୍ରାବ ଓ ଫ୍ରାକ୍ଚର ପରିଚାଳନା, ଦୁର୍ଘଟଣାଗ୍ରସ୍ତ ପୀଡ଼ିତଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ଓ ସଡକ ଦୁର୍ଘଟଣା ସମୟରେ ତୁରନ୍ତ ପଦକ୍ଷେପ ନେବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ୍, ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଚିକିତ୍ସା ବିଶେଷଜ୍ଞମାନେ ସାମିଲ ହୋଇଥିଲେ । ବର୍ତମାନ ସମୟରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣା ପରିପ୍ରେକ୍ଷୀରେ ଏହାର ପ୍ରାୟୋଗିକ ଗୁରୁତ୍ୱକୁ ସମସ୍ତେ ସ୍ୱୀକାର କରିଥିଲେ । କାର୍ଯ୍ୟକ୍ରମର ଶେଷରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ଓ ସଡକ ସୁରକ୍ଷା ବିଷୟରେ ସଚେତନତା ପ୍ରସାର କରିବାକୁ ଏବଂ ଜରୁରୀକାଳୀନ ସମୟରେ ସକ୍ରିୟ ସହଯୋଗ ପ୍ରଦାନ କରିବାକୁ ଆହ୍ୱାନ କରାଯାଇଥିଲା।