ଭୁବନେଶ୍ୱର: ଓଡ଼ିଶାରେ ବନ୍ଦ ହେବ ବେଆଇନ ବାଇକ୍ ଟ୍ୟାକ୍ସି ସେବା। ଘରୋଇ ବାଇକ୍ରେ ଯାତ୍ରୀ ପରିବହନ ଉପରେ ରୋକ୍ ଲଗାଇବାକୁ କଡ଼ା ପଦକ୍ଷେପ ନେଇଛି କ୍ରାଇମବ୍ରାଞ୍ଚ। ଏନେଇ ଅନଲାଇନ୍ ଟ୍ୟାକ୍ସି ସେବା ପ୍ରଦାନକାରୀ ସଂସ୍ଥା Uber ଓ Rapidoକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ୧୫ ଦିନ ମଧ୍ୟରେ ଓଡ଼ିଶାରେ ବାଇକ୍ ଟ୍ୟାକ୍ସି ବୁକିଂ ସୁବିଧା ବନ୍ଦ କରିବାକୁ ଚିଠି ଲେଖାଯାଇଛି।

ସୂଚନା ଅନୁଯାୟୀ, ଘରୋଇ ଦୁଇଚକିଆ ଯାନକୁ ବ୍ୟବସାୟିକ ଭାବେ ବ୍ୟବହାର କରି ଯାତ୍ରୀ ପରିବହନ କରାଯାଉଥିବା ଅଭିଯୋଗକୁ ଗୁରୁତ୍ୱର ସହ ନେଇଛି କ୍ରାଇମବ୍ରାଞ୍ଚ। ଏହାକୁ ରୋକିବା ପାଇଁ Uber ଓ Rapido ଭଳି ଆପ୍‌ଭିତ୍ତିକ ସଂସ୍ଥାଗୁଡ଼ିକୁ ନିଜ ପ୍ଲାଟଫର୍ମରୁ ବାଇକ୍ ଟ୍ୟାକ୍ସି ବୁକିଂ ବ୍ୟବସ୍ଥା ହଟାଇବାକୁ କୁହାଯାଇଛି।

ଏଥିସହ ଜିଓ-ଫେନ୍ସିଂ (Geo-fencing) ବ୍ୟବସ୍ଥା ଜରିଆରେ ଓଡ଼ିଶା ସୀମା ମଧ୍ୟରେ ବାଇକ୍ ଟ୍ୟାକ୍ସି ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ନିର୍ଦ୍ଧାରିତ ୧୫ ଦିନ ମଧ୍ୟରେ ଏହି ନିର୍ଦ୍ଦେଶ ପାଳନ ନକଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦିଆଯାଇଛି।

Also Read: ଓଡ଼ିଶାରେ ବଢ଼ିଲା ବସ୍ ଭଡ଼ା, ଯାତ୍ରୀଙ୍କ ପକେଟ୍‌କୁ ଲାଗିବ ଝଟ୍‌କା !

ତେବେ ଏହି କଟକଣା କେବଳ ବେଆଇନ ବାଇକ୍ ଟ୍ୟାକ୍ସି ସେବା ଉପରେ ଲାଗୁ ହେବ। Uber ଓ Rapidoର କ୍ୟାବ୍ ଏବଂ ଅଟୋ ବୁକିଂ ସେବା ପୂର୍ବଭଳି ଜାରି ରହିବ। ଅର୍ଥାତ୍ ଯାତ୍ରୀମାନେ ଆପ୍ ଜରିଆରେ କ୍ୟାବ୍ ଓ ଅଟୋ ବୁକ୍ କରିପାରିବେ। 

କ୍ରାଇମବ୍ରାଞ୍ଚର ଏହି ପଦକ୍ଷେପ ପରେ ଓଡ଼ିଶାରେ ଆପ୍ଭିତ୍ତିକ ବାଇକ୍ ଟ୍ୟାକ୍ସି ସେବା ଉପରେ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଏହାଦ୍ୱାରା ବାଇକ୍ ଟ୍ୟାକ୍ସି ଚାଳକ ଓ ଏହି ସେବା ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି।