ଲାହୋର,୧୭/୦୮:ପାକିସ୍ତାନରେ ଗିରଫ ହେଲେ ୨୫୮ ବିଦେଶୀ ନାଗରିକ । ଚୀନ୍ ନାଗରିକ ବି ସାମିଲ । ଏକ ବଡ ଧରଣର ଠକେଇରେ ସମସ୍ତଙ୍କୁ ଗିରଫ କରାଯାଇଛି । ପାକିସ୍ତାନର ଏଫଆଇଏ ଆଣ୍ଟି ହ୍ୟୁମାନ୍ ଟ୍ରାଫିକିଂ ସର୍କଲ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଚାଇନା, ଭିଏତନାମ, ଇଣ୍ଡୋନେସିଆର ନାଗରିକ ରହିଛନ୍ତି । ସେମାନଙ୍କୁ ଗୁଲବର୍ଗ ଗ୍ରୀନରେ ଥିବା ସ୍ପାର୍କୋ ପ୍ଲାଜାରୁ ଗିରଫ କରାଯାଇଛି । ସମସ୍ତେ ଏକ ବେଆଇନ କଲ୍ ସେଣ୍ଟର ଚଲାଇଥିଲେ । ଏମାନେ ସମସ୍ତେ ନିଜକୁ କିଛି ଆପ୍ ମାଧ୍ୟମରେ ମହିଳା ବୋଲି କହି ପାକିସ୍ତାନୀ ନାଗରିକଙ୍କ ସହ କଥା ହେଉଥିଲେ । ସେମାନଙ୍କୁ ଫସାଇବାକୁ ଚେଷ୍ଟା କରୁଥିଲେ ।

ପାକିସ୍ତାନୀ ଅଧିକାରୀ ଉସମାନ ଅନଓ୍ୱାର କହିଛନ୍ତି ଯେ, ଠକମାନେ ପ୍ରଥମେ ପାକ୍ ନାଗରିକଙ୍କ ସହ ଫୋନରେ କଥା ହେଉଥିଲେ । ଏହାପରେ ସେମାନଙ୍କ ବିଶ୍ୱାସ ଜିତି ଫେକ୍ ବ୍ୟବସାୟ ଏବଂ ନିବେଶ ବାହାନାରେ ଲୁଟୁଥିଲେ । ଏହାସହ ନିବେଶ କଲେ ଟଙ୍କା ଦୁଇଗୁଣ ହେବ ବୋଲି ମଧ୍ୟ କହୁଥିଲେ । ଥରେ କୌଣସି ବ୍ୟକ୍ତି ଠକଙ୍କ କଥାରେ ପଡି ନିବେଶ କଲେ ତା ପରଠୁ ମୋବାଇଲ ଅଫ୍ ରହୁଥିଲା । ଠକମାନେ ସମ୍ପୂର୍ଣ୍ଣ ଭାବେ ଉଭାନ ହୋଇଯାଉଥିଲେ । ଏହି ରାକେଟ୍ ଦୀର୍ଘ ଦିନ ହେବ ଚାଲିଥିଲା ।

ଗିରଫ ହୋଇଥିବା ୨୫୮ ଜଣଙ୍କ ମଧ୍ୟରୁ ୧୮୪ ଜଣ ଭିଏତନାମରୁ ରହିଥିବା ବେଳେ ୪୧ ଜଣ ଚାଇନା, ୩୨ ଜଣ ଇଣ୍ଡୋନେସିଆର ନାଗରିକ ରହିଛନ୍ତି । ଏହାସହ ମାଲେସିୟାର ମଧ୍ୟ ଜଣଙ୍କୁ ପାକିସ୍ତାନ ସରକାର ଗିରଫ କରିଛନ୍ତି । ସେମାନଙ୍କ ବିରୋଧରେ ଅଗଷ୍ଟ ୧୧ ତାରିଖରେ ଏଫଆଇଆର ରୁଜୁ ହୋଇଥିଲା । ଫରେନର୍ସ ଆକ୍ଟ୍ ୧୯୪୬ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Also Read :- ବନ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ, ବୋଟ୍‌ରେ ବିଭିନ୍ନ ଅଞ୍ଚଳ ବୁଲି ବନ୍ୟା ବିପନ୍ନଙ୍କ କଥା ବୁଝିଲେ CM

ଅନ୍ୟ କିଛି ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଠକମାନେ ଏକ ବଡ କଲ୍ ସେଣ୍ଟର ପ୍ରତିଷ୍ଠା କରିଥିଲେ । ଏଠାରୁ ହିଁ ସବୁ କିଛି ଅପରେଟ୍ ହେଉଥିଲା । ସମସ୍ତଙ୍କୁ ଗିରଫ କରାଯିବା ପରେ ଏକ ବଡ ଧରଣର ରାକେଟର ପର୍ଦ୍ଦାଫାସ ହୋଇଛି ।