କାନପୁର, ୨୪।୧୧ : ସ୍କୁଲ ବସକୁ ଧକ୍କା ଦେଲା ଟ୍ରକ୍ । ଜୀବନ ହାରିଲେ ୪ ଛାତ୍ର । ଏହାସହ ୩୨ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର କନୌଜରେ । ଏଠାରେ ଏକ ଟ୍ରକ୍ ଏବଂ ସ୍କୁଲ ବସ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି ।

ରିପୋର୍ଟ ଅନୁସାରେ, ମଙ୍ଗଳବାର କନୌଜର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ଓ୍ୱେରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ଠିଆ ହୋଇଥିବା ଏକ ସ୍କୁଲ ବସକୁ ଦ୍ରୁତ ଗତିରେ ଆସି ଏକ ଟ୍ରକ୍ ଧକ୍କା ଦେଇଥିଲା । ସକାଳ ୬ଟାରେ ଏହି ଘଟଣା ଘଟିଥିବା କୁହାଯାଉଛି ।

କୁହାଯାଉଛି ଯେ, ସ୍କୁଲ ବସଟି ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟର ଥିଲା । ଏହା ଏକ୍ସପ୍ରେସ୍ ଓ୍ୱେ କଡରେ ଠିଆ ହୋଇଥିଲା । ବସରେ ଛାତ୍ରଛାତ୍ରୀମାନେ ବସିଥିଲେ । ଏହି ସମୟରେ ଟ୍ରକଟି ଜୋରଦାର ଧକ୍କା ଦେଇଥିଲା । ବସରେ ଥିବା ୫୦ ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ମଚାରୀଙ୍କ ମଧ୍ୟରୁ ୩୨ ଜଣ ଆହତ ହୋଇଛନ୍ତି । ଏହାସହ ୪ ଜଣ ଛାତ୍ର ପ୍ରାଣ ହରାଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Also Read :- NHରେ ଟ୍ରକକୁ ପିଟିଲା ସ୍କର୍ପିଓ : ୫ ମୃତ, ୪ ଗୁରୁତର

ଖବର ପାଇବା ପରେ ତୁରନ୍ତ ପୋଲିସ ଏବଂ ଉତ୍ତରପ୍ରଦେଶ ଏକ୍ସପ୍ରେସ ଓ୍ୱେ ଡେଭେଲପମଣ୍ଟ୍ ଅଥୋରିଟିର କର୍ମଚାରୀ ଘଟଣାସ୍ଥଳରେ ପହଁଚିଥିଲେ । ଏହାପରେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ବୟସ ୧୪ରୁ ୧୭ ବର୍ଷ ମଧ୍ୟରେ ହେବ ବୋଲି ଜଣା ପଡିଛି ।

ଅନ୍ୟ ଦିଗରେ ବିଦ୍ୟାଳୟର ମ୍ୟାନେଜର ଏବଂ ଜଣେ ଛାତ୍ରଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି । ଉଭୟଙ୍କୁ କାନପୁର ପଠାଯାଇଛି । ଅନ୍ୟମାନେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସତ ହେଉଥିବା ଜିଲ୍ଲାପାଳ ଆଶୁତୋଷ ମୋହନ ଅଗ୍ନିହୋତ୍ରୀ ସୂଚନା ଦେଇଛନ୍ତି ।