ଭୁବନେଶ୍ବର ୨୪।୮: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୨୦ତମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ୧୦ ଜଣ ମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଆଜି ୬ ଶହରୁ ଅଧିକ ଅଭିଯୋଗ ଆସିଛି । ସମସ୍ତଙ୍କ ସହ ଆଲୋଚନା କରି ଏହାର ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି । ୧୬ ଜଣକୁ ଭିନ୍ନକ୍ଷମ ଓ ଜଟିଳ ରୋଗରେ ପୀଡିତ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ସିଙ୍ଗିଲ ଓ୍ଵିନଡୋ ସିଷ୍ଟମ ମାଧ୍ୟମରେ ୧୪ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ରାଶି ଦିଆଯାଇଛି । ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲା ସ୍ତରରେ ଆସିଥିବା ଅଭିଯୋଗ ଗୁଡିକରୁ ୮୭ ପ୍ରତିଶତ ସମାଧାନ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ସମସ୍ୟାକୁ ସହୃଦୟତାର ସହ ଶୁଣି ତା’ର ସମାଧାନ କରିବାକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଯେଉଁଠି ଲୋକଙ୍କ ସମସ୍ୟା ଅଛି, ଆମ ସରକାର ସେଠାରେ ନିଶ୍ଚୟ ପହଞ୍ଚିଥାନ୍ତି। ବନ୍ୟା, ବାତ୍ୟା, ମରୁଡି ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସବୁବେଳେ ଲୋକଙ୍କ ପାଖରେ ଆମେ ପହଞ୍ଚୁଛୁ ଓ ସେମାନଙ୍କୁ ସହାୟତା ପ୍ରଦାନ କରୁଛୁ। ୨୦୨୪ ମସିହାର ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ରୂପେ ଘୋଷଣା କରି ଆମେ ସହାୟତା ପ୍ରଦାନ କରିଥିଲୁ। ଚଳିତ ବନ୍ୟା ପାଇଁ ମଧ୍ୟ ସହାୟତା ପ୍ୟାକେଜ ପ୍ରଦାନ କରିଛୁ। ଆମ ସରକାର ଲୋକଙ୍କ ସୁଖ ଦୁଃଖରେ ଅଛି ଓ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପୂର୍ବରୁ ରାଜ୍ୟସ୍ତରରେ ଅନୁଷ୍ଠିତ ୧୯ଟି ପାଳିରେ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ୧୫,୩୨୭ ଅଭିଯୋଗ ମଧ୍ୟରୁ ୧୪,୫୧୯ ଅର୍ଥାତ ୯୫ ପ୍ରତିଶତ ଅଭିଯୋଗର ସଫଳ ସମାଧାନ କରାଯାଇସାରିଛି । ଏଥି ସହିତ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ୍.ପି ମାନେ ନିୟମିତ ଭାବେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଥିବା ବେଳେ ତହସିଲ ଓ ବ୍ଲକ ସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣି ନିୟମିତ ରୂପେ ଚାଲିଛି। ଜିଲ୍ଲାସ୍ତରରେ ଜୁଲାଇ ମାସ ଶେଷ ସୁଦ୍ଧା ୨,୬୯,୩୯୪ ଅଭିଯୋଗ ଶୁଣାଣି ହୋଇ ୮୭ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି। ଜିଲ୍ଲାସ୍ତରରେ ଅନେକ ସମସ୍ୟାର ସମାଧାନ ହୋଇଯାଉଥିବାରୁ ଲୋକଙ୍କୁ ଆଉ ଅଯଥା ହଇରାଣ ହେବାକୁ ପଡୁନାହିଁ। ପ୍ରଶାସନିକ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ଫଳରେ ସରକାରଙ୍କ ଉପରେ ସାଧାରଣ ଲୋକଙ୍କ ଭରସା ଓ ଆସ୍ଥା ବହୁଗୁଣିତ ହୋଇଛି।

ବିଭିନ୍ନ ଦୁରାରୋଗ୍ୟ ରୋଗରେ ପୀଡ଼ିତ ୧୬ ଜଣଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ୧୪.୫୦ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି। ଆଜି ଉଭୟ ଅନ୍ଲାଇନ ଓ ଅଫ୍ଲାଇନ ଜରିଆରେ ୬୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜଙ୍ଗଲ, ପରିବେଶ ଓ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ ।