ମୁମ୍ବାଇ : ବକ୍ସ ଅଫିସରେ ନୂଆ ରେକର୍ଡ ସ୍ଥାପନ କରିଥିବା ‘ହନୁମାନ ଅଂଶ’ ଏବେ ପୁଣି ଥରେ ଚର୍ଚ୍ଚାରେ । ମାତ୍ର ୨ କୋଟିର ବଜେଟରେ ତିଆରି ଏହି ଫିଲ୍ମର ବିଶ୍ୱବ୍ୟାପୀ କଲେକ୍ସନ୍ ଦେଖି ଲୋକେ ଅନେକ ଚର୍ଚ୍ଚା କରିଥିଲେ । ଦର୍ଶକମାନେ ଫିଲ୍ମ ମେକର୍ସଙ୍କୁ ବାବା ନୀମ୍ କରୋଲି ଜୀବନୀ ଉପରେ ଏତେ ସୁନ୍ଦର ଫିଲ୍ମଟି କରିଥିବାରୁ ଧନ୍ୟବାଦ ଓ ଅଭିନନ୍ଦନ ମଧ୍ୟ ଜଣାଇ ଉତ୍ସାହିତ କରିଥିଲେ । ବହୁତ ଦିନ ଧରି ହଲଗୁଡିକରେ ରାଜ କରିଥିଲା ଏହି ଚର୍ଚ୍ଚିତ ଫିଲ୍ମ । ହେଲେ ସେବେ ନିଜ ସଫଳତାକୁ ନେଇ ଫିଲ୍ମଟି ଯେତିକି ଚର୍ଚ୍ଚାରେ ଥିଲା ଏବେ ସେତିକି ବଦନାମ ମୁଣ୍ଡାଇଛି ଫିଲ୍ମ । ମାତ୍ର ୨ କୋଟିର ବଜେଟ୍ରେ ପ୍ରସ୍ତୁତ ଏହି ଫିଲ୍ମ ବିଶ୍ଵରେ ୪୫୨.୮୬ କୋଟି ବ୍ୟବସାୟ କରିପାରିବ ବୋଲି କେହି ବି ଆକଳନ କରିନଥିଲେ । କିନ୍ତୁ ବାବା ନୀମ୍ କରୋଲିଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲ ପାଇବା କାରଣରୁ ଫିଲ୍ମଟି ଚଳିତ ବର୍ଷର ସବୁଠୁ ହିଟ ଲିଷ୍ଟରେ ସାମିଲ ହୋଇପାରିଛି । ଏବେ କିନ୍ତୁ ଫିଲ୍ମ ଟିମ୍ ମଧ୍ୟରେ ବିରାଟ ଫାଟ ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଛି। ସୂଚନାନୁଯାୟୀ, ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀ ଓ ଅନ୍ୟ ନିର୍ମାତାଙ୍କ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ନୀମ୍ କରୋଲି ବାବାଙ୍କ ଉପରେ ନିର୍ମିତ ଏହି ଫିଲ୍ମର ବଡ଼ ସଫଳତା ପଛରେ ପବ୍ଲିସିଟି, ଅଧିକାର ଓ ଟିମର କାହାର କେତେ ଦବଦବା ରହିବ, ତାକୁ ନେଇ ଚାଲିଛି ଟଣାଓଟରା ।

ତେବେ ମାମଲା ଏତେ ବଢ଼ିଯାଇଛି ଯେ ସ୍ବମ୍ଭୁ ମିଡିଆ ନେଟ୍ୱର୍କ ତରଫରୁ ଆନୁଷ୍ଠାନିକ ବୟାନ ଜାରି କରି ଫିଲ୍ମର ଅଧିକାର ଓ ପ୍ରତିନିଧିତ୍ବକୁ ନେଇ ସ୍ଥିତି ସ୍ପଷ୍ଟ କରିବାକୁ ଚେଷ୍ଟା କରାଯାଇଛି। ନିକଟରେ ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀ ଏବଂ ପ୍ରଯୋଜିକା ନମ୍ରତା ଜି ସିଂହ ଏକ ସାର୍ବଜନୀନ ବୟାନ ସହ ନୋଟିସ୍ ଜାରି କରିଛନ୍ତି। ନୋଟିସ୍ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଫିଲ୍ମର ଷ୍ଟ୍ରିମିଂ, ମ୍ୟୁଜିକ୍, ଲାଇସେନ୍ସିଂ, ଥିଏଟର୍ ଆଦି ସବୁ ଚାରିଜଣ ପ୍ରଯୋଜକ ଯଥା ନମ୍ରତା ଜି ସିଂହ, ଡକ୍ଟର ବିଶାଲ ଚତୁର୍ବେଦୀ, ରାଗିନୀ ସୋନା ଏବଂ ଅନୁପ୍ରିୟା ନାଗରଙ୍କ ପାଖରେ ମିଳିତ ଭାବେ ରହିଛି। କୌଣସି ଜଣେ ବ୍ୟକ୍ତି ଏକାକୀ ଭାବେ ଫିଲ୍ମ ସମ୍ପର୍କିତ କୌଣସି ଚୁକ୍ତି କିମ୍ବା ନିଷ୍ପତ୍ତି ନେଇପାରିବେ ନାହିଁ। ନିଜକୁ ଫିଲ୍ମର ଏକ୍ଜିକ୍ୟୁଟିଭ ଡାଇରେକ୍ଟର୍ସ ଭାବେ ଘୋଷଣା କରିବା ସହ ଫିଲ୍ମ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନେବାର ଅଧିକାର କେବଳ ସେମାନଙ୍କ ପାଖରେ ରହିବ ବୋଲି ସ୍ପଷ୍ଟ କରିଛନ୍ତି। ଫିଲ୍ମର ଥିଏଟର, ଓଟିଟି, ଟିଭି, ମ୍ୟୁଜିକ୍ ଓ ଲାଇସେନିଂ ଭଳି ଅଧିକାର ଭାରତ ଓ ବିଦେଶରେ ପ୍ରଯୋଜକଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ପରିଚାଳିତ ହେବ । କୌଣସି ପକ୍ଷ ଏକୁଟିଆ ଫିଲ୍ମ ସହ ଜଡ଼ିତ ଅଧିକାର ଉପରେ ନିଷ୍ପତ୍ତି ନେବେ ନାହିଁ । ଫିଲ୍ମ ଟିମ୍ର ପ୍ରତ୍ୟେକ ସଦସ୍ୟଙ୍କୁ ଗଣମାଧ୍ୟମରେ ଫିଲ୍ମ ବିଷୟରେ କହିବା ପୂର୍ବରୁ ଯୋଗାଯୋଗ ଟିମ୍ ସହିତ ଆଲୋଚନା କରି ମଞ୍ଜୁରି ନେବା ଆବଶ୍ୟକ ବୋଲି କହିଛନ୍ତି ନିର୍ଦ୍ଦେଶକ ।

ଅନ୍ୟପଟେ ଫିଲ୍ମର ୨୧ ବର୍ଷୀୟା ସହ-ପ୍ରଯୋଜିକା ଅନୁପ୍ରିୟା ନାଗର ପୂର୍ବରୁ ଫିଲ୍ମ ପ୍ରମୋସନ ସମୟରେ ଖୁବ୍ ଚର୍ଚ୍ଚାରେ ଥିଲେ । ଫିଲ୍ମର ଆଉ ଦୁଇଟି ସିଜନ୍ ଆସିବାର ଯୋଜନା ଥିବା ମଧ୍ୟ ସେ କହିଥିଲେ। ଏବେ ଫିଲ୍ମ ଟିମ୍ ମଧ୍ୟରେ ମତଭେଦ ଯୋଗୁ ଏହି ଯୋଜନାକୁ ନେଇ ପ୍ରଶ୍ନ ଉଠିଛି। ଗତ ଅଗଷ୍ଟ ୭ରେ ମୁକ୍ତିଲାଭ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସ୍ରେ ବର୍ଷର ସବୁଠୁ ବଡ଼ ହିଟ୍ ଫିଲ୍ମ ହୋଇଥିବାବେଳେ ଏବେ ଏହା କାଠଗଡାରେ ଛିଡା ହୋଇଛି । ଫିଲ୍ମ ଟିମ୍ ମଧ୍ୟରେ ବିବାଦ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କେହି କେହି କହିଛନ୍ତି ଲୋଭରେ ଫିଲ୍ମର ସଫଳତାକୁ ନଷ୍ଟ ନ କରି ଏହାକୁ ଆପୋଷ ବୁଝାମଣାରେ ସମାଧାନ କରାଯାଉ । ତେବେ ଏହି ଫିଲ୍ମକୁ ନେଇ ଉପୁଜିଥିବା ବିବାଦ ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବା ବାକି ।