ମୁମ୍ବାଇ: ଏ ଜନ୍ମରେ ସ୍ୱପ୍ନ ପୂରା ହେଇପାରିଲା ନାହିଁ। ହେଲେ ବାପା… ମୁଁ ପ୍ରମିଜ୍ କରୁଛି, ଆରଜନ୍ମରେ ନିଶ୍ଚୟ ଡାକ୍ତର ହେବି। ତୁମେ ନିଜର ଯତ୍ନ ନେବ, ଖୁସିରେ ରହିବ। ମୁଁ ଆସୁଛି…. ବାପାମାଙ୍କ ପାଇଁ ଏଭଳି ଚିଠି ଖଣ୍ଡେ ଛାଡ଼ି ଆତ୍ମହତ୍ୟା କରିଛି ୧୯ ବର୍ଷର ଯବାନ ପୁଅ। ଏଭଳି ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାରେ।

ଡାକ୍ତର ହେବାର ସ୍ୱପ୍ନ ନେଇ ନୀଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଜଣେ ୧୯ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପାଠପଢ଼ା ଓ ଭବିଷ୍ୟତକୁ ନେଇ ଅତ୍ୟଧିକ ଚାପ ଏହି ଘଟଣା ପଛରେ ଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ତେବେ ମାମଲାର ତଦନ୍ତ ଜାରି ରହିଛି।

ମୃତ ଛାତ୍ର ହେଉଛନ୍ତି ସୁରଜ ସୁଭାଷ ସିନ୍ଦେ। ସେ ମହାରାଷ୍ଟ୍ରର ବୈଜାପୁର ତାଲୁକା ଅନ୍ତର୍ଗତ ଖଣ୍ଡାଲାରେ ନିଜ ଘରେ ରହି ନୀଟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ପ୍ରତିଦିନ ଭଳି ଘରର ଉପର ମହଲାର ଏକ କୋଠରୀରେ ସେ ପାଠ ପଢ଼ୁଥିଲେ। କିନ୍ତୁ ଯେଉଁ ସ୍ୱପ୍ନ ପାଇଁ ସୁରଜ ଦିନରାତି ପରିଶ୍ରମ କରୁଥିଲେ, ଏ ଜନ୍ମରେ ସେ ସ୍ୱପ୍ନନ ତାଙ୍କର ପୂରା ହୋଇପାରିଲା ନାହିଁ। ପରୀକ୍ଷାରେ ଟପ ପ୍ରତିଦ୍ୱନ୍ଦ୍ୱିତା, ବାପାଙ୍କ ଆଶା ପୂରା କରିବାର ଚାପ ଓ ପରୀକ୍ଷାରେ ଦୁର୍ନୀତି ଏସବୁ ଚାପରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି।

ଚିଠିରେ ସେ ଲିଖିଛନ୍ତି “ ସରି ମମ୍ ଆଉ ଡାଡ୍, ତୁମ ପାଇଁ ମୁଁ ଆରଜନ୍ମରେ ନିଶ୍ଚୟ ଗୋଟେ ଡାକ୍ତର ହେବି। ପ୍ଲିଜ ତୁମର ଯତ୍ନ ନେବ। ଖୁସୀରେ ରୁହ।” ପୁଅକୁ ଡାକ୍ତର କରାଇବାକୁ ସ୍ୱପ୍ନ ଦେଖୁଥିବା ବାପାମା ଘଟଣା ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି।

Also Read- ହୋମୱାର୍କ କରିନଥିବାରୁ ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ: ଅଚେତ ହୋଇ କୋଳରେ ଟଳିପଡ଼ିଲେ ୬ ବର୍ଷୀୟ ଏଲ୍କେଜି ଛାତ୍ର

ଦେଶର ସବୁଠାରୁ କଠିନ ପ୍ରବେଶିକା ପରୀକ୍ଷା ମଧ୍ୟରୁ ନୀୟ ଅନ୍ୟତମ। ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଡାକ୍ତର ହେବାର ସ୍ୱପ୍ନ ନେଇ ଏହି ପରୀକ୍ଷା ଦିଅନ୍ତି। ଏହି କଠିନ ପ୍ରତିଯୋଗିତା ମଧ୍ୟରେ ପାଠପଢ଼ା, ଫଳାଫଳ ଓ ଭବିଷ୍ୟତକୁ ନେଇ ଅନେକ ଛାତ୍ରଛାତ୍ରୀ ମାନସିକ ଚାପର ସମ୍ମୁଖୀନ ହୁଅନ୍ତି।

ସୁରଜଙ୍କ ମୃତ୍ୟୁ ଦେଶର ଶିକ୍ଷା ବ୍ୟବସ୍ଥା ଓ ମାନବୀୟ ଆଚରଣ ଓ ଅଭିଭାବକପଣିଆକୁନେଇ ପୁଣିଥରେ ପ୍ରଶ୍ନ ଛିଡ଼ା କରିଛି। ପିଲାମାନଙ୍କ ସଫଳତାଠାରୁ ସେମାନଙ୍କ ଜୀବନ ଓ ମାନସିକ ଶାନ୍ତି କ’ଣ ଅଧିକ ମୂଲ୍ୟବାନ ନୁହେଁ? ସଫଳତାର ଦୌଡ଼ରେ ଛାତ୍ରଛାତ୍ରୀଙ୍କ ମାନସିକ ଚାପ ଓ ଭାବନାତ୍ମକ ସ୍ଥିତିକୁ ଆମେ କେତେ ଗୁରୁତ୍ୱ ଦେଉଛୁ ତାହା ଚିନ୍ତା କରିବାର ବିଷୟ ନିଶ୍ଚିତ।

ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରହିଛି। ମୃତ୍ୟୁର ପ୍ରକୃତ କାରଣ ଏବଂ ଏହା ପଛରେ ଥିବା ପରିସ୍ଥିତି ସମ୍ପର୍କରେ ତଦନ୍ତ ପରେ ଅଧିକ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।