ବିଶାଖାପାଟନମ: ଏଲ୍‌କେଜିରେ ପଢୁଥିବା ୬ ବର୍ଷୀୟ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ହୋମୱାର୍କ କରିନଥିବାରୁ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ମାଡ଼ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଛାତ୍ର ହେଲାେ ପ୍ରଣୟ ତେଜା। ଘଟଣାଟି ବିଶାଖାପାଟନମର ଲିଟିଲ ଗାର୍ଡେନ ନାମକ ଏକ ଘରୋଇ ସ୍କୁଲରେ ଘଟିଥିବା ବେଳେ ଛାତ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇ ନାହିଁ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ହୋମୱାର୍କ କରିନଥିବାରୁ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ଗାଳି ଦେଇଥିଲେ। ଏଥିରେ ଭୟଭୀତ ହୋଇ ଛାତ୍ର ଜଣକ କାନ୍ଦିବା ସହ ଜୋରରେ କାଶିଥିଲେ। ପରେ ସେ ସ୍କୁଲ ଭିତରେ ହଠାତ୍ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ କିଙ୍ଗ ଜର୍ଜ ହସ୍ପିଟାଲ (KGH) ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାର CCTV ଫୁଟେଜ୍ ଏବେ ପୋଲିସ ହାତରେ ଲାଗିଛି। ଫୁଟେଜ୍‌ରେ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ଗାଳି ଦେଉଥିବା ଦେଖାଯାଉଛି। ଏହାପରେ ଛାତ୍ର ଜଣକ କାନ୍ଦିବା ସହ ହାତ ହଲାଇ ଶିକ୍ଷୟିତ୍ରୀଙ୍କୁ କିଛି କହିବାକୁ ଚେଷ୍ଟା କରୁଥିବା ଭଳି ଦେଖାଯାଉଛି। ପରେ ଶିକ୍ଷୟିତ୍ରୀ ଛାତ୍ରଙ୍କ ସାର୍ଟ ଓ ପ୍ୟାଣ୍ଟ ଠିକ୍ କରିବା ପରେ ତାଙ୍କୁ ଚାପୁଡ଼ା ମାରୁଥିବା ଦୃଶ୍ୟ ମଧ୍ୟ ରହିଛି।

Also Read-କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ଦୁଇଟି ବଡ଼ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ବିଜୟ 

ଏହାର କିଛି ସେକେଣ୍ଡ ପରେ ଛାତ୍ର ଜଣକ ଶିକ୍ଷୟିତ୍ରୀଙ୍କ କୋଳରେ ଅଚେତ ହୋଇ ପଡ଼ିଯାଉଛନ୍ତି। ଶିକ୍ଷୟିତ୍ରୀ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ୬ ବର୍ଷର ଛାତ୍ର କୌଣସି ପ୍ରତିକ୍ରିୟା ଦେଉ ନଥିବା ଦେଖାଯାଉଛି। ପୋଲିସ ଏହି ସିସିଟିଭି ଫୁଟେଜକୁ ତଦନ୍ତର ଏକ ପ୍ରମୁଖ ପ୍ରମାଣ ଭାବେ ଯାଞ୍ଚ କରୁଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଛାତ୍ରଙ୍କୁ ହସ୍ପିଟାଲ ନିଆଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଘଟଣାରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଏବଂ ସ୍କୁଲ ପରିଚାଳନା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଦାବି କରିଛନ୍ତି।

ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍କୁଲରେ ଉପସ୍ଥିତ ଥିବା ଲୋକଙ୍କୁ ପଚରାଉଚରା କରାଯାଉଛି। ସିସିଟିଭି ଫୁଟେଜ୍ ସହ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରି ଛାତ୍ରଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ ଏବଂ ଶିକ୍ଷୟିତ୍ରୀଙ୍କ ମାଡ଼ର ଏଥିରେ କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ଜାଣିବାକୁ ପୋଲିସ ଉଦ୍ୟମ କରୁଛି।