ଭୁବନେଶ୍ୱର: ଜୁଲାଇ ୨୦୨୬ ତ୍ରୈମାସିକ ଶେଷ ପର୍ଯ୍ୟନ୍ତ କାର୍ଯ୍ୟଦକ୍ଷତାର ସମୀକ୍ଷା ପାଇଁ ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ୍ କମିଟି(SLBC)ର ୧୮୪ତମ ବୈଠକ ୫ ସେପ୍ଟେମ୍ବର ୨୦୨୬ ତାରିଖରେ ଭୁବନେଶ୍ୱରସ୍ଥିତ ହୋଟେଲ ତାଜ୍ ବିବାନ୍ତାରେ ଉନ୍ନୟନ କମିଶନର୍ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଉନ୍ନୟନ କମିଶନର୍ ଶ୍ରୀ ଦେଓରଞ୍ଜନ କୁମାର ସିଂ ଅଧ୍ୟକ୍ଷତା କରି ସମସ୍ତ କ୍ଷେତ୍ରରେ ସନ୍ତୁଳିତ ଓ ସମାବେଶୀ ଅଭିବୃଦ୍ଧି ସହ ବିକଶିତ ଓଡ଼ିଶା ୨୦୨୩୬ ଏବଂ ବିକଶିତ ଭାରତ ୨୦୪୭ର ଭିଜନ୍ ସଫଳ କରିବା ଦିଗରେ ସମସ୍ତ ବ୍ୟାଙ୍କ୍ ରାଜ୍ୟସରକାରଙ୍କ ସହ ସହଯୋଗ ପୂର୍ବକ କାର୍ଯ୍ୟ କରିବାକୁ ଆହ୍ଵାନ ଜଣାଇଥିଲେ l ଏହି ପରିପ୍ରେକ୍ଷୀରେ ସେ ସମସ୍ତ ବ୍ୟାଙ୍କ୍ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରି ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ନିମନ୍ତେ ସମ୍ମିଳିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l

ଉନ୍ନୟନ କମିଶନର ଶ୍ରୀ ସିଂ କହିଥିଲେ ଯେ, ଲୌହଇସ୍ପାତ, କ୍ରୋମାଇଟ୍ ପରି ଖଣିଜ ସମ୍ପଦ ଆମ ରାଜ୍ୟର ପ୍ରମୁଖ ଉତ୍ପାଦ ଭାବେ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରୁଛି l ସେହିପରି ପ୍ରାୟ ୫୭୫ କି.ମିର ବିସ୍ତୃତ ଉପକୂଳ ଉଭୟ ପର୍ଯ୍ୟଟନ ଏବଂ ବନ୍ଦର ମାଧ୍ୟମରେ ଶିଳ୍ପର ବିକାଶ ନିମନ୍ତେ ଆମକୁ ପ୍ରଚୁର ସୁଯୋଗ ପ୍ରଦାନ କରିଛି l ଆମ ରାଜ୍ୟର ଯୁବପିଢ଼ିର ଦକ୍ଷତା ବିକାଶ ମାଧ୍ୟମରେ ଆଗାମୀ ଦିନରେ ପ୍ରମୁଖ ମାନବସମ୍ବଳ ଭାବେ ବିଭିନ୍ନ କ୍ଷେତ୍ରରେ ଉପଯୋଗ କରିବା ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି l ବର୍ତ୍ତମାନ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଷ୍ଠାନ ଓଡ଼ିଶାରେ ପୁଞ୍ଜିନିବେଶ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି l ଏ ସମସ୍ତ ଅନୁକୂଳ ପରିବେଶର ଯଥାର୍ଥ ବିନିଯୋଗ ଦ୍ଵାରା ଆମର ଆବଶ୍ୟକ ଆର୍ଥିକ ଅଭିବୃଦ୍ଧି ହାସଲ କରିବା ନିମନ୍ତେ ଆମ ପାଖେ ଭରପୁର ସୁଯୋଗ ରହିଛି l ଆଗାମୀ ଦିନରେ ପୂର୍ବ ଭାରତର ଅର୍ଥନୀତିର ନେତୃତ୍ୱ ନେବା ନିମନ୍ତେ ଆମ ରାଜ୍ୟ ଓଡ଼ିଶା ଏବେ ପ୍ରସ୍ତୁତ ହେଉଛି l

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(PMSBY), ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(PMJDY), ଅଟଳ ପେନସନ୍ ଯୋଜନା(APY), ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(PMFBY), ପିଏମ୍ ସୂର୍ଯ୍ୟ ଘର - ମାଗଣା ବିଜୁଳି ଯୋଜନା, ପିଏମ୍ ଏମ୍ପ୍ଲୟମେଣ୍ଟ ଜେନେରେସନ୍ ପ୍ରୋଗ୍ରାମ୍ (PMEGP), PMFME, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ଆଦି ବିବିଧ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା l

ମହିଳା ଉଦ୍ୟୋଗୀମାନଙ୍କୁ ଅଧିକ ଋଣ ସହାୟତା ପ୍ରଦାନ କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଠାରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (SME) ଦିଗକୁ ସେମାନଙ୍କର ଅଗ୍ରଗତିକୁ ପ୍ରୋତ୍ସାହନ ଦିଆଯିବା ନିମନ୍ତେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା l ମହିଳା ସଶକ୍ତିକରଣ ସମ୍ପ୍ରତି ଜାତୀୟସ୍ତରରେ ଓଡ଼ିଶାର ପରିଚୟ ପାଲଟିଥିବା ବେଳେ ଲକ୍ଷପତି ଦିଦିଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆମ ଆର୍ଥିକ ବ୍ୟବସ୍ଥାର ବଡ଼ ଉପଲବ୍ଧି ବୋଲି ବୈଠକରେ ମତପ୍ରକାଶ ପାଇଥିଲା l

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର କେନ୍ଦ୍ର ତଥା ରାଜ୍ୟସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକର ରୂପାୟନ ନିମନ୍ତେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ l କୃଷି ଓ ଆନୁସଙ୍ଗିକ କ୍ଷେତ୍ର, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ରକୁ ପ୍ରାଥମିକତା ଦେଇ ଆର୍ଥିକ ବର୍ଷ ୨୦୨୬-୨୭ ନିମନ୍ତେ ଧାର୍ଯ୍ୟ ବାର୍ଷିକ ଋଣ ଯୋଜନା (Annual Credit Plan) ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା l

ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ରାଜ୍ୟର କ୍ରେଡିଟ୍ - ଡିପୋଜିଟ୍ ଅନୁପାତ (CD Ratio)କୁ ଜାତୀୟ ହାର ସହ ସମକକ୍ଷ କରିବା ପାଇଁ ଏଥିରେ ଉନ୍ନତି ଆଣିବାର ଆବଶ୍ୟକତା ଉଲ୍ଲେଖ କରିବା ସହ ରାଜ୍ୟରେ ଅଟଳ ପେନସନ୍ ଯୋଜନାର ସଫଳ ରୂପାୟନକୁ ପ୍ରଶଂସା କରିଥିଲେ l

ସମସ୍ତ ବ୍ୟାଙ୍କକୁ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ନେଟୱାର୍କ ସମ୍ପ୍ରସାରଣ ସହ ବ୍ୟାଙ୍କିଙ୍ଗ ସେବାର ସୁବିଧା ବୃଦ୍ଧି ପାଇଁ ସମନ୍ଵିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା l ଏଥିସହ DEAF (Depositor Education and Awareness Fund) ଖାତାରେ ଜମା ରହିଥିବା ଅର୍ଥରାଶି ସମ୍ପୃକ୍ତ ବ୍ୟକ୍ତି ଓ ସରକାରୀ କାର୍ଯ୍ୟାଳୟକୁ ଫେରସ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା।

ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର, ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ, କୃଷି ଓ କୃଷକ ସଶକ୍ତିକରଣ, ମହିଳା ଓ ଶିଶୁ ବିକାଶ, MSME ଏବଂ ମିଶନ ଶକ୍ତି ବିଭାଗର ସଚିବବୃନ୍ଦ, ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀବୃନ୍ଦ, ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, SLBCର ଆବାହକ, NABARDର CGM ଏବଂ ବିଭିନ୍ନ ବ୍ୟାଙ୍କର ରାଜ୍ୟସ୍ତରୀୟ ନିୟନ୍ତ୍ରଣ ଅଧିକାରୀମାନେ ଉପସ୍ଥିତ ଥିଲେ।