ରାଞ୍ଚି: ସିବିଏସଇର ଅନ୍-ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥାରେ ଅନିୟମିତତା ନେଇ ପ୍ରଶ୍ନ ଉଠାଇ ଚର୍ଚ୍ଚାରେ ଥିବା ଟେକ୍‌ ବୟ ସାର୍ଥକ ସିଦ୍ଧାନ୍ତ ଟେକ୍ନୋଲୋଜୀ କ୍ଷେତ୍ରରେ ପୁଣି ଏକ କାରନାମା କରି ଦେଖାଇଛନ୍ତି। ସରକାରୀ ତଥ୍ୟକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ସେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଅବିଶ୍ୱାସନୀୟ ମନେ ହେଉଛି।

ଉତ୍ତର ପ୍ରଦେଶର ନିର୍ବାଚନ ତାଲିକା ସମ୍ବନ୍ଧୀୟ ଲକ୍ଷ ଲକ୍ଷ ସ୍କାନ୍ କରାଯାଇଥିବା ପିଡିଏଫ୍‌ ଫାଇଲଗୁଡ଼ିକୁ ଏକ ସୁବ୍ୟବସ୍ଥିତ ଏବଂ ସହଜରେ ଖୋଜି ପାଇବା ଭଳି ତଥ୍ୟ ବା ସର୍ଚ୍ଚେବଲ ଡାଟାରେ ପରିଣତ କରିଛନ୍ତି। ଏହାଫଳରେ ସାଧାରଣ ଲୋକ, ସାମ୍ବାଦିକ ଓ ଗବେଷକମାନେ ଭୋଟର ତାଲିକାର ତଥ୍ୟକୁ ସହଜରେ ଖୋଜିବା ଓ ବିଶ୍ଳେଷଣ କରିପାରିବେ।

ସାର୍ଥକ ଏବଂ ତାଙ୍କ ଟିମ ଉତ୍ତର ପ୍ରଦେଶର ସମସ୍ତ ୪୦୩ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାୟ ୬.୮ ଲକ୍ଷ ପିଡିଏଫ୍‌ ଫାଇଲ୍‌କୁ ପ୍ରୋସେସ୍ କରିଥିଲେ। ଯେଉଁଥିରେ ୫୪.୮ କୋଟି ଭୋଟର ରେକର୍ଡ ଧାଡ଼ିରେ ରହିଥିଲା। ୨୪ ନଭେମ୍ବର ୨୦୨୬ରେ ଘୋଷିତ ଏହି ପ୍ରକଳ୍ପରେ ସାର୍ଥକ ଓ ତାଙ୍କ ଟିମ୍ ଏହିସବୁ ଭୋଟର ରେକର୍ଡକୁ ଡିଜିଟାଇଜ୍ କରିଛନ୍ତି।

ଏହି କାମ ପାଇଁ ଟିମ୍ ଅପ୍ଟିକାଲ କ୍ୟାରେକ୍ଟର ରେକଗ୍ନିସନ୍ (OCR) ଟେକ୍ନୋଲୋଜିର ସହାୟତା ନେଇଥିଲା। ଏହି ଟେକ୍ନୋଲୋଜୀ ସ୍କାନ୍ ହୋଇଥିବା ଡକ୍ୟୁମେଣ୍ଟରୁ ଲେଖା ଚିହ୍ନଟ କରି ଡିଜିଟାଲ ତଥ୍ୟରେ ପରିଣତ କରିଥିଲା। ୨୦୨୪ ଲୋକସଭା ନିର୍ବାଚନର ଭୋଟର ତାଲିକା ସହ ଏସଆଇରର ଡ୍ରାଫ୍ଟ ଓ ଚୂଡ଼ାନ୍ତ ତାଲିକା ଏବଂ ୨୦୨୭ର ଡ୍ରାଫ୍ଟ ତାଲିକାକୁ ଏହି ପ୍ରୋଜେକ୍ଟର ସାମିଲ କରାଯାଇଥିଲା।

Also Read- ଜର୍ମାନୀରେ ଫସିଥିବା ଭାରତୀୟ ଛାତ୍ରୀଙ୍କୁ ମନ୍ତ୍ରୀଙ୍କ ସହାୟତା, ପଠାଇଲେ ୬ ଲକ୍ଷ ଟଙ୍କା! ପୂର୍ବରୁ ଦେଇଥିଲେ ୧୦ ଲକ୍ଷ

ଉଲ୍ଲେଖଯୋଗ୍ୟ, ଏହି ଡାଟାବେସ୍ ନିର୍ବାଚନ କମିଶନଙ୍କ ଅଧିକୃତ ତଥ୍ୟ ନୁହେଁ। ମୂଳ ଭୋଟର ତାଲିକା ହିଁ ପ୍ରାମାଣିକ ରେକର୍ଡ। ଗୋପନୀୟତା ରକ୍ଷା ପାଇଁ ଡାଉନଲୋଡ୍ ଡାଟାରେ ନାମ, EPIC ନମ୍ବର ଓ ଅନ୍ୟ ସମ୍ବେଦନଶୀଳ ତଥ୍ୟକୁ ହ୍ୟାଶ୍ ଟୋକନ୍‌ରେ ବଦଳାଯାଇଛି।

ଏହା ପୂର୍ବରୁ ସାର୍ଥକ CBSEର ଅନ୍-ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥାରେ ଅନିୟମିତତା ନେଇ ପ୍ରଶ୍ନ ଉଠାଇଥିଲେ। ଜୁନ୍ ୨୦୨୬ରେ ସେ ସଂସଦୀୟ ଶିକ୍ଷା ସମ୍ପର୍କିତ କମିଟି ନିକଟରେ ଏହା ଉପରେ ୭ ପୃଷ୍ଠାର ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟ ପାଇଁ ସିଦ୍ଧାନ୍ତଙ୍କ ନାଁ TIME100 Next India 2026ରେ ସ୍ଥାନ ପାଇଥିଲା।

ମାତ୍ର ୧୮ ବର୍ଷରେ ସରକାରୀ ତଥ୍ୟକୁ ଲୋକଙ୍କ ପାଇଁ ଅଧିକ ସୁଲଭ କରିବାର ତାଙ୍କର ଏହି ପ୍ରୟାସ ଯୁବପିଢ଼ିଙ୍କ ନୂଆ ଚିନ୍ତାଧାରା ଓ ଟେକ୍ନୋଲୋଜିଗତ ଦକ୍ଷତାର ଏକ ଉଦାହରଣ ପାଲଟିଛି।