ପୁଣେ: ସଫଳତାର ସ୍ୱପ୍ନ ନେଇ ସବୁବେଳେ ଝାଳ ବୁହାଉଥିଲେ। ଦିନରାତି ପରିଶ୍ରମ କରି ଟିମରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଚୟନ ତାଲିକାରେ ନାଁ ନଥିବା ଦେଖି ଶେଷରେ ନିରାଶା ହୋଇ ଉଠାଇନେଲେ ଚରମ ନିଷ୍ପତ୍ତି । ବିଫଳତା ତାଙ୍କ ପାଇଁ ଏତେ ବଡ଼ ହୋଇଗଲା ଯେ, ମାତ୍ର ୧୭ ବର୍ଷ ବୟସରେ ଜୀବନ ହାରିଦେଲେ ଜଣେ ଯୁବ ମହିଳା କ୍ରିକେଟର। ତାଙ୍କ ନିକଟରୁ ମିଳିଥିବା ସୁଇସାଇଡ୍ ନୋଟରେ ଲେଖା ଥିଲା "ମୋର ଚୟନ ହୋଇନି। ସେହି କାରଣରୁ ମୁଁ ଏହି ପଦକ୍ଷେପ ନେଉଛି।" ଟିମରେ ସୁଯୋଗ ନମିଳିବାରୁ ଜୀବନ ହାରିଦେଲେ ଜଣେ ୧୭ ବର୍ଷୀୟା ମହିଳା କ୍ରିକେଟର । ଏହି ଘଟଣା କ୍ରୀଡ଼ା ଜଗତ ସହ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ସେ ଟିମରେ ଚୟନ ହେବା ନେଇ ପ୍ରସ୍ତୁତ ହେଉଥିଲେ କିନ୍ତୁ ଟିମରେ ସୁଯୋଗ ନମିଳିବାରୁ ସେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ପରେ ପରିବାର ସଦସ୍ୟମାନେ ଗଭୀର ଶୋକରେ ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ , ନାଗପୁରର ଅକୋଲାର ବାସିନ୍ଦା ଅଦିତି ଗତ ଦୁଇ ବର୍ଷ ଧରି ସୁରଭେ କ୍ରିକେଟ୍ ଏକାଡେମୀରେ କଠିନ ପରିଶ୍ରମ କରି ଅଭ୍ୟାସ କରୁଥିଲେ। ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଟିମ୍ରେ ସ୍ଥାନ ପାଇବା ତାଙ୍କର ବଡ଼ ସ୍ୱପ୍ନ ଥିଲା। ତାଙ୍କ ଭାଇ ମଧ୍ୟ ଜଣେ କ୍ରିକେଟର ବୋଲି ଜଣାପଡ଼ିଛି। କିନ୍ତୁ ଏତେ ଦିନର ପରିଶ୍ରମ ପରେ ବି ଟିମରେ ସ୍ଥାନ ନମିଳିବାରୁ ଯୁବ ମହିଳା କ୍ରିକେଟର ଅଦିତି ମୋରେଶ୍ୱର ଚୌକାଣ୍ଡେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ । ସେ ଫାଶୀ ଲଗାଇ ଜୀବନ ହାରିଥିବା ପୋଲିସ୍ର ପ୍ରାରମ୍ଭିକ ତଦନ୍ତରୁ ସୂଚନା ମିଳିଛି।ଦଳରେ ତାଙ୍କ ନାମ ନଥିବାରୁ ସେ ଭାଙ୍ଗିପଡ଼ିଥିବା ଜଣାପଡ଼ିଛି। ଘଟଣାର ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୁଇସାଇଡ୍ ନୋଟ୍କୁ ଜବତ କରାଯାଇଥିବାବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି। ପୋଲିସ୍ ପରିବାର ସଦସ୍ୟ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ମଧ୍ୟ ରେକର୍ଡ କରୁଛି। ତେବେ ପୋଲିସର ତଦନ୍ତ ସରିବା ପରେ ସମ୍ପୂର୍ଣ୍ଣ ସତ୍ୟ କ'ଣ ରହିଛି ତାହା ସାମ୍ନାକୁ ଆସିବ । ଏହି ଘଟଣା ପୁଣିଥରେ ମୈଦାନରେ ଯୁବ ଖେଳାଳିଙ୍କ ଉପରେ ବଢ଼ୁଥିବା ମାନସିକ ଚାପକୁ ସାମ୍ନାକୁ ଆଣିଛି।