ରୁଦ୍ରପୁର: ଫଟୋ ଦେଖିଲେ ଲାଗୁଛି ଯେ ବସ୍ ଷ୍ଟାଣ୍ଡରେ ଯାତ୍ରୀମାନେ ବସ୍‌କୁ ଅପେକ୍ଷା କରି ଛିଡ଼ା ହୋଇଛନ୍ତି। ନହେଲେ ଟ୍ରେନ୍‌ ସହ ବୋଧେ ଧକ୍କା ହୋଇଛି ? କିନ୍ତୁ ଘଟଣାଟି ତା’ଠାରୁ ଆହୁରି ଆଶ୍ଚର୍ଯ୍ୟଜନକ। ଏହି ଭିଡ଼ ଏକ ବସ୍‌ରୁ ଓହ୍ଲାଇଥିବା ଯାତ୍ରୀଙ୍କର। ଆଉ ଟ୍ରେନ୍‌ ବଗି ଭଳି ଦେଖାଯାଉଥିବା ଏହି ବସ୍‌ଟି ମାତ୍ର ୩୦ ସିଟରର ଏକ ଘରୋଇ ବସ୍। ହେଲେ ସେଥିରେ ଯାତ୍ରା କରୁଥିଲେ ୧୬୮ ଜଣ ! ଚମକି ଗଲେ ନା ? ଆଗକୁ ପଢ଼ନ୍ତୁ ଆହୁରି ଆଶ୍ଚର୍ଯ୍ୟ ହେବେ।

ଉତ୍ତରାଖଣ୍ଡର ରୁଦ୍ରପୁର ଅଞ୍ଚଳରେ ପରିବହନ ବିଭାଗର ଚଢ଼ଉ ସମୟରେ ଏଭଳି ଚମକାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଲଖୀମପୁର ଖେରୀରୁ ପଞ୍ଜାବର ବିଭିନ୍ନ ସହରକୁ ଯାଉଥିବା ଏହି ବସ୍‌ରେ ଅନୁମତି ପ୍ରାପ୍ତ କ୍ଷମତାଠାରୁ ବହୁଗୁଣ ଅଧିକ ଯାତ୍ରୀ ଥିଲେ। ବସ୍‌ରେ ୧୩୮ ଜଣ ବୟସ୍କ ଓ ୩୦ ଜଣ ଶିଶୁ ଥିବା ଜଣାପଡ଼ିଛି।

୩୦ ସିଟ୍‌ରେ ୧୬୮ ଯାତ୍ରୀ

ସୂଚନା ଅନୁସାରେ, ବସ୍‌ରେ ୩୦ଟି ସ୍ଲିପର୍ ଓ ଗୋଟିଏ ସିଟ୍ ସମେତ ସୀମିତ ଯାତ୍ରୀ ପରିବହନର ଅନୁମତି ରହିଥିଲା। କିନ୍ତୁ ବସ୍‌ଟିରେ ମୋଟ ୧୬୮ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଏତେ ସଂଖ୍ୟକ ଯାତ୍ରୀଙ୍କୁ ଗଣିବା ଏବଂ ବସରୁ ବାହାର କରିବାରେ ପରିବହନ ବିଭାଗର ଟିମ୍‌କୁ ପ୍ରାୟ ୪ ଘଣ୍ଟା ସମୟ ଲାଗି ଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି, ଲଖୀମପୁର ଖେରୀରୁ ପ୍ରାୟ ୨୦୮ କିଲୋମିଟର ଯାତ୍ରା କରି ରୁଦ୍ରପୁରରେ ପହଞ୍ଚିବା ପର୍ଯ୍ୟନ୍ତ ବସ୍‌ଟି କୌଣସି ସ୍ଥାନରେ ଯାଞ୍ଚର ସମ୍ମୁଖୀନ ହୋଇନଥିବା ଜଣାପଡ଼ିଛି।

ରାତି ୧ଟାରେ ଧରାପଡ଼ିଲା ବସ୍

ପରିବହନ କର ଅଧିକାରୀ ଜିତେନ୍ଦ୍ର ସିଙ୍ଗୱାନଙ୍କ ନେତୃତ୍ୱରେ ଏକ ଚେକିଂ ଟିମ୍ ରାତି ପ୍ରାୟ ଗୋଟାଏ ସମୟରେ ଲାଲପୁର ଅଞ୍ଚଳରେ ବସ୍‌ଟିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବସ୍‌ ଓଭରଲୋଡ୍, ବିନା ପରମିଟ୍ ଓ ବିନା ଟ୍ୟାକ୍ସରେ ଚାଲୁଥିବା ଜଣାପଡ଼ିଥିଲା। ଏହାପରେ ପରିବହନ ବିଭାଗ ଓଭରଲୋଡିଂ, ବିନା ପରମିଟ୍, ବିନା ଟ୍ୟାକ୍ସ ସମେତ ଅନ୍ୟାନ୍ୟ ଅଭିଯୋଗରେ ବସର ଚାଲାଣ କରିବା ସହ ଏହାକୁ ରୁଦ୍ରପୁର ରୋଡୱେଜ୍ ଷ୍ଟେସନରେ ସିଜ୍ କରିଛି।

ଟଙ୍କା ଦେଇଥିଲେ, ଆଗକୁ ଯିବେ କେମିତି?

ବସ୍ ସିଜ୍ ହେବା ପରେ ଯାତ୍ରୀଙ୍କ ସମସ୍ୟା ଆହୁରି ବଢ଼ିଯାଇଥିଲା। ବସ୍‌ରେ ଯାତ୍ରା ପାଇଁ ପୂର୍ବରୁ ପ୍ରତ୍ୟେକ ଯାତ୍ରୀଙ୍କଠାରୁ ପ୍ରାୟ ୭୦୦ରୁ ୮୦୦ ଟଙ୍କା ଭଡ଼ା ନିଆଯାଇଥିଲା। କିନ୍ତୁ ବସ୍ ସିଜ୍ ହେବା ପରେ ସେମାନଙ୍କୁ ଭଡ଼ା ଫେରସ୍ତ ମିଳିନଥିଲା। ପରିବହନ ବିଭାଗ ଯାତ୍ରୀମାନଙ୍କୁ ରୁଦ୍ରପୁର ରୋଡୱେଜ୍ ଷ୍ଟେସନ୍‌କୁ ଆଣିବା ସହ ଆଗକୁ ପଠାଇବା ପାଇଁ ପରିବହନ ନିଗମକୁ ଗାଡ଼ି ବ୍ୟବସ୍ଥା କରିବାକୁ କହିଥିଲା। କିନ୍ତୁ ଯାତ୍ରୀମାନେ ପୁଣି ଭଡ଼ା ଦେବାକୁ ଅସମର୍ଥତା ପ୍ରକାଶ କରିଥିବାରୁ ମାଗଣାରେ ଯାତ୍ରା ବ୍ୟବସ୍ଥା କରିବା ସମ୍ଭବ ହୋଇନଥିଲା। ଫଳରେ ରାତି ଅଧରେ ଛୋଟ ପିଲା ଓ ପରିବାର ସହ ଯାତ୍ରୀମାନଙ୍କୁ ବିକଳ୍ପ ଯାତାୟାତ ବ୍ୟବସ୍ଥା ପାଇଁ ହଇରାଣ ହେବାକୁ ପଡ଼ିଥିଲା। କେହି ଘରୁ ଟଙ୍କା ମଗାଇଥିବା ବେଳେ ଆଉ କେହି ଅନ୍ୟ ମାଧ୍ୟମରେ ଆଗକୁ ଯିବାର ବ୍ୟବସ୍ଥା କରିଥିଲେ।

Also Read- ନାଳକୁ ଓଲଟିଲା ସ୍କୁଲ୍ ବସ୍, ୨୫ରୁ ୩୦ ଜଣ ପିଲା ଆହତ; କାଚ ଭାଙ୍ଗି ଉଦ୍ଧାର କଲେ ଗ୍ରାମବାସୀ

୨୦୮ କିମି ରାସ୍ତାରେ ବସକୁ କେହି ଦେଖିଲେନି?

ଏହି ଘଟଣା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି- ଲଖୀମପୁର ଖେରୀରୁ ରୁଦ୍ରପୁର ପର୍ଯ୍ୟନ୍ତ ୨୦୮ କିଲୋମିଟର ରାସ୍ତାରେ ବସ୍ଟି କୌଣସି ଚେକିଂରେ କାହିଁକି ଧରାପଡ଼ିଲା ନାହିଁ? ୩୦ ଜଣରୁ ଅଧିକ ଯାତ୍ରୀ ବସାଇବାର କ୍ଷମତା ନଥିବା ବସରେ ୧୬୮ ଜଣଙ୍କୁ ନେଇ ଦୀର୍ଘ ରାସ୍ତା ଅତିକ୍ରମ କରାଯାଉଥିଲା। ବସ୍‌ଟି ଲୁଧିଆନା, ଖନ୍ନା, ଜାଲନ୍ଧର ଓ ଅମ୍ବାଲା ଯିବାର ଥିଲା। ତେଣୁ ଏହି ରାସ୍ତାରେ ଥିବା ପୁଲିସ, ପରିବହନ ବିଭାଗର ଚେକିଂ ପଏଣ୍ଟ ଓ ଅନ୍ୟ ସମ୍ପୃକ୍ତ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ବିଶେଷକରି ବସ୍‌ରେ ୩୦ ଜଣ ଶିଶୁ ମଧ୍ୟ ଯାତ୍ରା କରୁଥିବାରୁ ଯାତ୍ରୀ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ରୁଦ୍ରପୁରରେ ଯଦି ପରିବହନ ବିଭାଗ ବସ୍‌ଟିକୁ ଅଟକାଇନଥାନ୍ତା, ତେବେ ଏହା ଆହୁରି ଦୂର ପର୍ଯ୍ୟନ୍ତ ଏହିଭଳି ଓଭରଲୋଡ୍ ଯାତ୍ରୀଙ୍କୁ ନେଇ ଯାଇଥାନ୍ତା।

୩ ଦିନରେ ଦ୍ୱିତୀୟ ଓଭରଲୋଡ୍ ବସ୍

ଓଭରଲୋଡ୍ ବସ୍ ବିରୋଧରେ ଚାଲିଥିବା ଅଭିଯାନ ମଧ୍ୟରେ ମାତ୍ର ତିନି ଦିନରେ ଏହା ଦ୍ୱିତୀୟ ବଡ଼ ଘଟଣା। ଏହା ପୂର୍ବରୁ ଶନିବାର ରାତିରେ କିଚ୍ଛା ଅଞ୍ଚଳରେ ଟନକପୁରରୁ ଲୁଧିଆନା ଯାଉଥିବା ଜଗଦମ୍ବା ଟ୍ରାଭେଲ୍ସର ବସରେ ୫୦ ଜଣ ଯାତ୍ରୀଙ୍କ ଅନୁମୋଦିତ କ୍ଷମତା ଥିବାବେଳେ ପ୍ରାୟ ୧୧୦ ଜଣ ଯାତ୍ରୀ ମିଳିଥିଲେ। ଏହି ବସ୍ର ପରମିଟ୍ ବାତିଲ କରାଯାଇଥିଲା। ପରିବହନ ବିଭାଗ କହିଛି ଯେ କ୍ଷମତାଠାରୁ ଅଧିକ ଯାତ୍ରୀ ନେଇ ଚାଲୁଥିବା ବସ୍ ବିରୋଧରେ ଆଗାମୀ ଦିନରେ ମଧ୍ୟ ଅଭିଯାନ ଜାରି ରହିବ। ଯାତ୍ରୀମାନଙ୍କୁ ମଧ୍ୟ ଓଭରଲୋଡ୍ ବସ୍ରେ ଯାତ୍ରା ନକରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ନିୟମ ଭାଙ୍ଗି ଶହ ଶହ ଯାତ୍ରୀଙ୍କୁ ନେଇ ଏଭଳି ବସ୍ କିପରି ରାଜ୍ୟରୁ ରାଜ୍ୟ ଘୁରୁଛି ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ଦାୟୀ କିଏ?