ନୂଆଦିଲ୍ଲୀ: କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ଟେବୁଲ ଟେନିସ ମହାସଂଘର ମାନ୍ୟତା ରଦ୍ଦ କରିଦେଇଛି । କ୍ରୀଡ଼ା ମନ୍ତ୍ରଣାଳୟ ଭାରତୀୟ ଅଲିମ୍ପିକ ସଂଘକୁ ଖେଳର ପ୍ରଶାସନ ପରିଚାଳନା ପାଇଁ ଏକ ଆଡ୍ହକ୍ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛି । ଟିଟିଏଫଆଇ (TTFI) ଭିତରେ ଥିବା ପ୍ରଶାସନିକ ତ୍ରୁଟିଗୁଡ଼ିକର ଏହି କମିଟି ଯାଞ୍ଚ କରିବ ।

କ୍ରୀଡ଼ା ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଟିଟିଏଫଆଇ ସମୟାନୁସାରେ ନିର୍ବାଚନ କରାଇବାରେ ବିଫଳ ହୋଇଥିଲା । ଯେଉଁଥି ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ବର୍ଷ ଆରମ୍ଭରେ ସରକାର ଟିଟିଏଫଆଇକୁ ନୋଟିସ ଦେଇଥିଲେ, ଯାହାର ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ ।

କ୍ରୀଡ଼ା ମନ୍ତ୍ରଣାଳୟ ନିଜ ନିର୍ଦ୍ଦେଶନାମାରେ କହିଛି ଯେ, "ଆଇଓଏ, ଆଇଟିଟିଏଫ ସହିତ ପରାମର୍ଶ କରି ଭାରତୀୟ ଟେବୁଲ ଟେନିସ ମହାସଂଘର ସମସ୍ତ ତ୍ରୁଟି ଦୂର କରିବ ।" ବର୍ତ୍ତମାନ ସମୟରେ ଟିଟିଏଫଆଇର ନେତୃତ୍ୱ ମେଘନା ଅହଲାବତଙ୍କ ପାଖରେ ରହିଛି । ମେଘନା ଏହାର ପ୍ରଥମ ମହିଳା ସଭାପତି ଏବଂ ହରିୟାଣାର ବିଧାୟକ ଦୁଷ୍ୟନ୍ତ ଚୌଟାଲାଙ୍କ ପତ୍ନୀ । ଦୁଷ୍ୟନ୍ତ ଚୌଟାଲା, ଟିଟିଏଫଆଇର ପୂର୍ବତନ ସଭାପତି ଅଜୟ ସିଂହ ଚୌଟାଲାଙ୍କ ପୁଅ । ଅହଲାବତ ଡିସେମ୍ବର ୨୦୨୨ରେ ଏହି ପଦ ସମ୍ଭାଳିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଗତ କିଛି ମାସ ହେବ ଟିଟିଏଫଆଇରେ ଅସ୍ଥିରତା ଚାଲିଆସୁଛି । ଜାନୁଆରୀ ମାସରେ ଆର୍ଥିକ ଅନିୟମିତତା ଅଭିଯୋଗରେ ମହାସଚିବ ତଥା ପୂର୍ବତନ ଖେଳାଳି କମଲେଶ ମେହେତାଙ୍କୁ ସସପେଣ୍ଡ କରାଯାଇଥିଲା । ମେହେଟ୍ଟା ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ କରିଥିଲେ, ଯାହା ପରେ ତାଙ୍କର ନିଲମ୍ବନ ରଦ୍ଦ କରାଯାଇଥିଲା।

ଷ୍ଟାର ପ୍ୟାଡଲର ମାନିକା ବାତ୍ରାଙ୍କୁ ମଧ୍ୟ ଟିଟିଏଫଆଇ ଏସୀୟ କ୍ରୀଡ଼ା ଟିମରୁ ବାହାର କରିଦେଇଥିଲା, ଯାହା ପରେ ଏହି ସଂସ୍ଥା ଆହୁରି ବିବାଦ ଘେରକୁ ଆସିଥିଲା । ବାତ୍ରା ଏହି ନିଷ୍ପତ୍ତିର କଠୋର ସମାଲୋଚନା କରିଥିଲେ ଏବଂ କ୍ରୀଡ଼ା ମନ୍ତ୍ରଣାଳୟକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । ମନ୍ତ୍ରଣାଳୟ ଟିଟିଏଫଆଇକୁ ପ୍ରଭାବିତ କରୁଥିବା ସମସ୍ତ ପ୍ରସଙ୍ଗକୁ ଗୁରୁତର ସହ ନେଇଥିଲା ଏବଂ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ।