ନୂଆଦିଲ୍ଲୀ: କ୍ରିକେଟ୍ ମ୍ୟାଚ୍ ବେଳେ ଅନେକ ସମୟରେ ଖେଳାଳିମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥାଏ । ପ୍ରାୟତଃ ସବୁ ବିବାଦର ସମାଧାନ ମଧ୍ୟ ପଡ଼ିଆରେ ହିଁ ହୋଇଯାଏ । ଖେଳାଳି କିମ୍ବା କୋଚ୍ ମାମଲାକୁ ନିୟନ୍ତ୍ରଣ କରି ଝଗଡ଼ା ଶେଷ କରିବାକୁ ଚେଷ୍ଟା କରନ୍ତି । କୋଚ୍ ଅନେକ ଥର ଖେଳାଳିମାନଙ୍କୁ ସେମାନଙ୍କ ଭୁଲ୍ ଅନୁଭବ କରାନ୍ତି ଯେପରି ଭବିଷ୍ୟତରେ ବିବାଦରୁ ଦୂରେଇ ରହିବେ । ହେଲେ, ଶ୍ରୀଲଙ୍କାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ମ୍ୟାଚ୍ ବେଳେ ଖେଳାଳିମାନଙ୍କ ସହ ହୋଇଥିବା ଯୁକ୍ତିତର୍କ ଯୋଗୁଁ ଜଣେ କ୍ରିକେଟ୍ କୋଚ୍‌ଙ୍କ ଜୀବନ ଚାଲିଯାଇଛି । ମୃତ କୋଚ୍‌ଙ୍କ ନାଁ ସୁମିଥ୍ ଫର୍ଣ୍ଣାଣ୍ଡୋ । ତାଙ୍କୁ ୬୨ ବର୍ଷ ହୋଇଥିଲା । ଏହି ଘଟଣାରେ ଜଣେ କ୍ରିକେଟରଙ୍କୁ ଗିରଫ କରାଯାଇଛି ।

ରିପୋର୍ଟ ଅନୁସାରେ, ଅଗଷ୍ଟ ୮ରେ କୋଲମ୍ବୋରେ ଏକ କ୍ରିକେଟ୍ ମ୍ୟାଚ୍ ବେଳେ ପିଇବା ପାଣିକୁ ନେଇ ବିବାଦ ହୋଇଥିଲା । ପ୍ରାଥମିକ ତଦନ୍ତ ଅନୁଯାୟୀ, ବ୍ଲୁମଫିଲ୍ଡରେ ଟ୍ରେନିଂ ନେଉଥିବା କ୍ରିକେଟର ପାଣି ଟ୍ୟାପ୍ ନିକଟକୁ ଯାଇଥିଲେ କିନ୍ତୁ ସେଠାରେ ପାଣି ଉପଲବ୍ଧ ନଥିବା ଦେଖିବାକୁ ପାଇଥିଲେ । ପରେ ଖେଳାଳି ଏବଂ କ୍ଲବରେ ନିଯୁକ୍ତି ପାଇଥିବା ଫର୍ଣ୍ଣାଣ୍ଡୋଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କଥିତ ଭାବେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି । ଫର୍ଣ୍ଣାଣ୍ଡୋଙ୍କ ଶେଷକୃତ୍ୟ ଗୁରୁବାର କରାଯାଇଛି ।

ପୋଲିସ ଅନୁଯାୟୀ, ଏହି ମାମଲାରେ ଜଣେ ୧୭ ବର୍ଷୀୟ ଖେଳାଳିଙ୍କୁ ସୋମବାର ଦିନ ସୁମିଥ୍ ଫର୍ଣ୍ଣାଣ୍ଡୋଙ୍କ ଉପରେ କଥିତ ଆକ୍ରମଣ ଅଭିଯୋଗରେ ଗିରଫ କରାଯାଇଛି । ମଙ୍ଗଳବାର ତାଙ୍କୁ କୋଲମ୍ବୋର ଏକ ଆଦାଲତରେ ହାଜର କରାଯାଇଥିଲା, ସେଠାରୁ ତାଙ୍କୁ ଅଗଷ୍ଟ ୧୭ ପର୍ଯ୍ୟନ୍ତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି ।

ଫର୍ଣ୍ଣାଣ୍ଡୋ ମୋରାଟୁୱା ସ୍ଥିତ ପ୍ରିନ୍ସ ଅଫ୍ ୱେଲ୍ସ କଲେଜର ପୂର୍ବତନ କ୍ରିକେଟ୍ କୋଚ୍ ରହିଥିଲେ । ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁସଲ ମେଣ୍ଡିସଙ୍କୁ ସେ ସ୍କୁଲ ଦିନରୁ କୋଚିଂ ଦେଇଥିଲେ । ତାଙ୍କ ମାର୍ଗଦର୍ଶନରେ କୁସଲଙ୍କ ସମେତ ଅନେକ ପ୍ରତିଭାବାନ କ୍ରିକେଟର ପ୍ରଶିକ୍ଷଣ ନେଇଥିଲେ । ପରେ ଫର୍ଣ୍ଣାଣ୍ଡୋ ଶ୍ରୀଲଙ୍କାର ପ୍ରଥମ ଶ୍ରେଣୀ କ୍ରିକେଟ୍ ପ୍ରତିଯୋଗିତାରେ ଭାଗ ନେଉଥିବା ବ୍ଲୁମଫିଲ୍ଡ କ୍ରିକେଟ୍ ଆଣ୍ଡ ଆଥଲେଟିକ୍ କ୍ଲବରେ କ୍ୟୁରେଟର୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।